Unknown

 

 

 

 

 

 

 

 

 

 

 

ଅଭାଗିନୀର ଚଉଠି

ଶ୍ରୀ ଭାଗୀରଥି ଦାସ

 

ମୋର ମୋ ଦେବତା । ମୋ ଭାଗ୍ୟ ଆକାଶର ସୂର୍ଯ୍ୟ, ଚଲା ପଥର ସତର୍କ ପ୍ରହରୀ ଏବଂ ମୋର ଅଗ୍ରଗତିର ସ୍ରଷ୍ଟା–ଅଗ୍ରଜ ପୂଜ୍ୟପାଦ ଶ୍ରୀଯୁକ୍ତ ଗୌରଚନ୍ଦ୍ର ଦାସଙ୍କୁ

 

ଭାଇ,

 

ପାଇଛି ଅନେକ ଦେଇ ନାହିଁ କିଛି

ସହିଛି କଷଣ କେତେ,

ପକ୍ଷୀ ଲଗାଇଛ ଉଡ଼ା ଶିଖାଇଛ

ଆଧାର ଦେଇଛ ମୋତେ ।

କି ଦେଇ ଶୁଝିବି ଋଣ ହେ ଦେବତା

କିବା ଅଛି ମୋର ପାଣ୍ଠି,

ଚରଣ ଯୁଗଳେ ଅର୍ପଣ କରୁଛି

ଅଭାଗିନୀର ଚଉଠି ।

Image

 

କଟକ ଜିଲ୍ଲା ଅନ୍ତର୍ଗତ, ଜଗତ୍‌ସିଂହପୁର ସହରଠାରୁ ମାତ୍ର ଏକ ମାଇଲ ଦୂରରେ ଅବସ୍ଥିତ ପାଟଣୀ ଗାଁରେ, ଏକ ମଧ୍ୟବିତ୍ତ ଖଣ୍ଡାୟତ ପରିବାରରେ, ୧୯୪୩ ମସିହା ନଭେମ୍ବର ଏକ ତାରିଖରେ ଲେଖକ ଶ୍ରୀ ଭାଗୀରଥି ଦାସଙ୍କର ଜନ୍ମ । ପିତାଙ୍କ ନାମ ଶ୍ରୀ ବାଉରୀବନ୍ଧୁ ଦାସ ଓ ମାତାଙ୍କ ନାମ ଶ୍ରୀମତୀ ଚମ୍ପା ଦେବୀ । ପନ୍ଦର ବର୍ଷ ବୟସରୁ ସାହିତ୍ୟ ଓ ଅଭିନୟ କ୍ଷେତ୍ରରେ ନିଜକୁ ନିୟୋଜିତ କରିଛନ୍ତି । ଉପନ୍ୟାସ, କ୍ଷୁଦ୍ର ଗଳ୍ପ, କବିତା, ନାଟକ ଓ ଅଭିନୟ ତଥା ଡ୍ରାମା ନିର୍ଦ୍ଦେଶନା ଇତ୍ୟାଦିରେ ଲେଖକ ସୁପରିଚିତ । ଏହା ଛଡ଼ା ଶ୍ରୀ ଦାସ ଓଡ଼ିଶା କୃଷିବିଭାଗ ସଂପ୍ରସାରଣ କର୍ମୀରୂପେ ନିୟୋଜିତ । ଅଳ୍ପ ବୟସରେ କଲମ ଚଳାଇ ଯେ କେଇଜଣ ଲେଖକ ସୁନାମ ଅର୍ଜନ କରିଛନ୍ତି ଲେଖକ ଶ୍ରୀ ଦାସ ସେମାନଙ୍କ ମଧ୍ୟରେ ଅନ୍ୟତମ ।

 

ପ୍ରକାଶକ

Image

 

ଏକ

 

ମାଘ ପରେ ଫଗୁଣ ଆସେ ଫଗୁ ଉଡ଼ାଇ । ମଧୁ ମାସର ସୁଷମା ବୋଳି ସବୁଜ ରଙ୍ଗରେ ରଙ୍ଗିନ କରେ ସାରା ପୃଥବୀକୁ । ଦୁଷ୍ଟ ବସନ୍ତ କାଉଁରୀ କାଠି ଲଗାଏ ଏଇ ହଳଦୀ ରଙ୍ଗର ପ୍ରଜାପତିଙ୍କ ଦେହରେ । କିଶୋରୀ ହୁଏ ଯୁବତୀ, ଜୀବନ ତା’ର ବହନ କରେ ଯୌବନ-ଭରା ପସରା । ମନ ଖୋଜେ ସାଥୀ, ଆଉ ସାଥୀ ପାଇଲେ ସଭିଏଁ ଲୋଡନ୍ତି ଚାନ୍ଦନୀ ରାତି ।

 

ଚୋରାଚାନ୍ଦିନୀର ଚାନ୍ଦୁଆ ତଳେ ବସନ୍ତର ଶିରିଶିରି ସମୀରଣ ଅଙ୍ଗରେ ଆରେ ଶିହରଣ, ଦେହ ବିଚଳିତ ହୋଇ ମନକୁ କରେ ଲଗାମଛଡ଼ା । ପାଗଳ ମନ ଡିଆଁମାରେ କାହିଁ କେତେ ଦୂରକୁ । ଖାଲ ଢିପ ନ ମାନି ମନ ପବନ ଡଙ୍ଗା ତା’ର ଭିଡ଼ିଚାଲେ ଲକ୍ଷ୍ୟହୀନ ଭାବରେ ପକ୍ଷ ମେଲାଇ । କାହିଁ କେତେ ଦୂରକୁ, ପାଖକୁ, ପୁଣି କେବେ କେତେବେଳେ ଅବା ନିରାଶ ହୁଏ, ଠୋକର୍‍ ଖାଇ ଆଖି ଲୁହରେ ଦୁନିଆ ଭସାଏ । ଠିକ୍‌ ସେତିକିବେଳେ ଦୁଷ୍ଟ ବସନ୍ତ ମଜା ଦେଖେ ।

 

ବୟସ ଆସେ, ଚଉଦ ପରେ ପନ୍ଦର, ତା’ପରେ ଶୋହଳ । ନିଘଞ୍ଚ ସ୍ୱାର୍ଥପର ଦୁନିଆର ମନ ଉଡ଼ିଚାଲେ ବହୁ ଦୂରକୁ । ପ୍ରେମ-ପାରାବାରରେ ତରଣୀ ବାହି କାଉଁରୀ କାଠିରେ ଆହୁଲା ପକାଇ ପ୍ରେମିକ-ପ୍ରେମିକା ବାହାନ୍ତି ତାଙ୍କର ତରଣୀ । ଜୀବନର ତରୀ । ପ୍ରେମର..... । ମନରେ ଲଗେ ନିଆଁ । ଅନ୍ତରରେ ଲାଗେ ଭୋଗ କରିବେ । ନା, ଯିଏ ତାଙ୍କୁ ବାରମ୍ବାର ଅପମାନ ଦେଇଛି, ତାଙ୍କ ସୁନାମରେ କାଳି ବୋଳିଛି, ଦେଶରେ ଶସ୍ତା ନାଆଁ କମେଇ ଗର୍ବରେ ଛାତି ଫୁଲାଇ ଚାଲିଛି,ସେ ତାକୁ ସବୁଦିନ ପାଇଁ ଶାସ୍ତିଦେବେ ।

 

ଆଷାଢ଼ ମାସ । ଘନ ବର୍ଷାର ଯୋଗୁ ଦୁର୍ଯୋଗମୟ ରାତ୍ରି । ନିବିଡ଼ ଅନ୍ଧକାର ରାତିରେ ମୁହଁକୁ ମୁହଁ ଦିଶୁନାହିଁ । ସନ୍ଧ୍ୟା ନ ହେଉଣୁ ତାଟି କବାଟ ପଡ଼ିଗଲାଣି । ଗ୍ରାମର ଅଧେ ଲୋକ ତାଙ୍କର ଚିର ଭିଟାମାଟି ଛାଡ଼ି ମଶାଣି ଭୂଇଁକୁ ଚାଲିଗଲେଣି । ଏବେ ବି ଶୁଭୁଛି କାନ୍ଦଣାର ଲହରୀ, ଓ ! କି ହୃଦୟସ୍ପର୍ଶି ସେ କାନ୍ଦଣାର ସ୍ୱର ! କିଏ ପୁତ୍ରକୁ ହରାଇ କାନ୍ଦୁଛି, ପୁଣି କିଏ ନବ ପରିଣୀତା ସ୍ତ୍ରୀ, ପ୍ରିୟ ସ୍ୱାମୀକୁ ହରାଇ ବିକଳରେ ଦୁଃଖର ଶିଖା ତୋଳୁଛି । ବିରାଟ ଶୂନ୍ୟତା ଭିତରେ ଶୁଭୁଛି କାନ୍ଦଣାର ଆର୍ତ୍ତନାଦ । ମହାପାତ୍ରେ ହସିଉଠିଲେ.....ହାଃ–ହାଃ–ହାଃ–

 

ଏଇ ତାଙ୍କ ପକ୍ଷେ ସୁବର୍ଣ୍ଣ ସମୟ । ଚକ୍‍ ଚକ୍‌ କରି ଉଠିଲା ମକରା ହାତରେ ଛୁରିଟା.....

 

ଛୁରି !

 

କାଉ ରାବିଲା ବେଳକୁ ଆମ୍ବ ପଡ଼ିଲା ଭଳି...... । ହଁ......ରାତି ବୋଧେ ଖୁବ୍‌ କଳା ରଙ୍ଗ ଧାରଣ କରିଥିଲା । ଅନ୍ଧାର ରାତି ସାଙ୍ଗକୁ ଝିପିଝିପି ବର୍ଷାର ସମାବେଶ ମନୁଷ୍ୟ ହୃଦୟରେ ଦୁଃଖାନଳ ଜାଳି ଦେଇଥିଲା । ଠିକ୍‌ ଏଇ ମହା-ବେଳରେ ଅନୁକୂଳ କଲେ ବିନୋଦ ମହାପାତ୍ର ସାଙ୍ଗରେ ମକରାକୁ ନେଇ । ହଇଜା ରୋଗରେ ଘାଣ୍ଟି ହୋଇ ଅବ୍ୟକ୍ତ କ୍ରନ୍ଦନ କରୁଥିଲେ ଧାର୍ମିକ ରଘୁନାଥ ପଟ୍ଟନାୟକ । କାନ୍ଦୁଥିଲେ ସୁନନ୍ଦ ଓ ଅନିତା । ଆହା.....ବିଚରା ପିଲା ଦୁଇଟି ଦୁଇଦିନ ହେଲା ଉପାସ । ମା’କୁ ହରାଇ ଶୋକସାଗର ବକ୍ଷରେ ଉବେଇ ଟୁବେଇ ହେଉଥିଲେ ପିଲା ଦୁଇଟି-। ରଘୁବାବୁ ପିଲା ଦୁଇଟିର ଭବିଷ୍ୟତ ଚିନ୍ତା କରି ଭାବିବାରେ ବ୍ୟସ୍ତଥିଲେ । ସେ ମରିଗଲେ କ’ଣ ହେବ ଭାଇ-ଭଉଣୀ ଦୁହିଁଙ୍କର ? ସେ କେବଳ କାନ୍ଦୁଥିଲେ ଆଉ ଭାବୁଥିଲେ ।

 

ଏତିକିବେଳେ ଘରକୁ ପଶି ଆସିଲେ ବିନୋଦ ମହାପାତ୍ର ଓ ମକରା । ତା’ପରେ ମନଭରି ରଘୁନାଥଙ୍କୁ କଟୂକ୍ତି ପ୍ରୟୋଗ କଲେ ମହାପାତ୍ର । ଧମକାଇଲେ, ଧଳା କାଗଜରେ ଦସ୍ତଖତ୍‌ ନ କଲେ ସେ ସୁନନ୍ଦର ଗଳା ଚିପି ମାରିବେ । ରଘୁନାଥ ବାଧ୍ୟହୋଇ ଦସ୍ତଖତ୍‌ କଲେ, ସେଇ ସାଦା କାଗଜରେ । ସେତିକିରେ କିନ୍ତୁ ସନ୍ତୁଷ୍ଟ ହେଲେନି ମହାପାତ୍ରେ । ଭବିଷ୍ୟତରେ କାଳେ ରଘୁନାଥ ଏକଥା ପ୍ରକାଶ କରିଦେବେ ଓ ତାଙ୍କ ସୁନାମରେ କାଳି ବୋଳିବେ ଏଇ କଥା ଭାବି ସେ ହତ୍ୟାକଲେ ସରଳ ଲୋକପ୍ରିୟ ରଘୁନାଥଙ୍କୁ ।

 

ତା’ପରେ.....

 

କୋଳରେ ଥାଇ କାନ୍ଦି ଉଠିଲା ଅନିତା । ଏଗାର ବର୍ଷର ଝିଅ ଓ ସାତ ବର୍ଷର ପୁଅ ସୁନନ୍ଦ ଜ୍ଞାନ ହରାଇ ପଡ଼ି ରହିଲେ ମାଟି କଣ୍ଢେଇ ପରି ।

 

ମକରା ରଘୁନାଥଙ୍କର ମୃତ ଶରୀର ନେଇ ପକାଇ ଦେଇ ଆସିଲା ଗାଁ ଶେଷ ମୁଣ୍ଡ ଦାଣ୍ଡଟାରେ, ଯେଉଁଠି ପଡ଼ିଛନ୍ତି ରଘୁନାଥଙ୍କର ଅତିପ୍ରିୟ ବନ୍ଧୁମାନେ । ପ୍ରକୃତରେ ପ୍ରାଣରୁ ଅଧିକ ସେ ଯେଉଁମାନଙ୍କୁ ସ୍ନେହ କରୁଥିଲେ ସେମାନଙ୍କୁ ଛାଡ଼ି ସେ ଏକା ରୁହନ୍ତେ ବା କେମିତି ?

 

ଫେରି ପଡ଼ିଲା ମକରା । ଭାଇ ଭଉଣୀ ଦୁହିଁଙ୍କୁ କାନ୍ଧରେ ରଖି ନେଇଗଲା ମହାପାତ୍ରଙ୍କ ଘରକୁ । ଆଗରେ ବିନୋଦ ମହାପାତ୍ରେ, ପଛରେ ମକରା ।

 

କଟକର ଗୋଟିଏ ଆବର୍ଜନା-ପୂର୍ଣ୍ଣ ଗଳିରେ ପିଲା ଦୁଇଟିକୁ ଫିଙ୍ଗିଦେଇ ସନେଇ ଡ୍ରାଇଭର ଓ ମକରା ଫେରି ପଡ଼ିଲେ ଖୁବ୍‌ ଚଞ୍ଚଳ ।

 

ମୁଠାଏ ଭାତ ପାଇଁ ଓ ରୋଗୀଣା ଭାଇକୁ ବଞ୍ଚାଇବା ପାଇଁ ଅନିତା ହାତ ପାତିଲା ଜଣକ ପରେ ଜଣକୁ । କିନ୍ତୁ......

 

ଶେଷରେ ରମେଶବାବୁ ଓ ମିନାକ୍ଷୀ ଦେବୀ କୋଳକୁ ଟେକିନେଲେ ଅରକ୍ଷ ପିଲା ଦୁଇଟିକୁ । ଦିନପରେ ଦିନ ଗଡ଼ି ଚାଲିଲା ନିୟତିର ଇଙ୍ଗିତରେ । .....ରଘୁନାଥଙ୍କ ଶ୍ୟାଳକ ସଦାନନ୍ଦବାବୁ ସୁଦୂର କଲିକତାରେ ରହି ବ୍ୟବସାୟ କରୁଥିଲେ । ସେ ଖବର ପାଇ ଆଶ୍ଚର୍ଯ୍ୟ ହେଲେ । ଖୁବ୍‌ ଶୀଘ୍ର ଫେରିଲେ ଏଠାକୁ । ଖୋଜିବାକୁ ଲାଗିଲେ ଅନିତା ଓ ସୁନନ୍ଦକୁ, କିନ୍ତୁ.....କେଉଁଠି ସେମାନେ କିଏ ଜାଣେ ?

 

ସେ ଦିନର କଥା......ରଘୁବାବୁଙ୍କ କୋଠିଆଠାରୁ ସଦାନନ୍ଦ ଶୁଣିଲେ ରଘୁବାବୁଙ୍କ ଘରେ ଭୂତ ଅଛି । ଆଶ୍ଚର୍ଯ୍ୟ ! ଭୂତ ! ପୁଣି ଘର ଭିତରେ..... !

 

ସେଦିନ ପୂର୍ଣ୍ଣମୀ....ଚାକର କୋଠିଆମାନେ ଶୋଇପଡ଼ିଲେଣି କେତେବେଳଠୁ । ସଦାନନ୍ଦବାବୁ ଶୋଇପାରୁ ନାହାନ୍ତି । ସତେ କ’ଣ ଏଠି ଭୂତ ଅଛି ! ଖଟ ଉପରେ ପଡ଼ିରହି ସେ ଚାହିଁ ରହିଲେ ପ୍ରଶସ୍ତ ଅଗଣାକୁ, ନା....ଶୋଇ ହେବନି.....ବଗିଚା ଆଡ଼ରୁ ବୁଲି ଆସିଲେ ଭଲ ହୁଅନ୍ତା । ବଗିଚାରେ ସିମେଣ୍ଟ ଚେୟାର ଦୁଇଟି । ଆରେ, ସେଠି କିଏ ? ରଘୁବାବୁ ପରା ! ସଦାନନ୍ଦବାବୁ ନିଜ ଆଖିକୁ ବିଶ୍ୱାସ କରିପାରୁ ନ ଥିଲେ । ହଁ, ରଘୁବାବୁଙ୍କ ପ୍ରତାତ୍ମା । ସିମେଣ୍ଟ ଚେୟାର ଆଡ଼କୁ ସେ ଆଗେଇ ଗଲେ । ରଘୁବାବୁ ମଣିଷ ଭଳି ଗୋଟିଏ ପରେ ଗୋଟିଏ ଘଟଣା କହିଗଲେ । ସଦାନନ୍ଦବାବୁ କେବଳ ଲୁହବୁହା ନୟନରେ ଚାହିଁ ରହିଥିଲେ । ଶେଷରେ ମହାପାତ୍ରଙ୍କୁ କ୍ଷମା ଦେବା ପାଇଁ ସେ ଆଦେଶ ଦେଲେ ତାଙ୍କୁ । ଅନିତା ଉପରେ ଆତ୍ମବିଶ୍ୱାସ ରଖିଥିବେ ସେ ଏବଂ ତାଙ୍କର ଅଭିଳାଷ ଜଣାଇ ଅଦୃଶ୍ୟ ହୋଇଗଲେ ରଘୁନାଥବାବୁ ।

 

ଅନିତା ଓ ସୁନନ୍ଦର ଖବର ପାଇ ରମେଶବାବୁଙ୍କ ପାଖକୁ ଗଲେ ସଦାନନ୍ଦବାବୁ । ମିନାକ୍ଷୀ କିନ୍ତୁ ପିଲା ଦୁଇଟିକୁ ପାଖରୁ ଛାଡ଼ିବାକୁ ରାଜି ହେଲେନି । ରଘୁବାବୁଙ୍କ ଅଭିଳାଷ ରମେଶବାବୁଙ୍କୁ ସଦାନନ୍ଦବାବୁ ଜଣାଇଲେ ।

 

ରଘୁବାବୁଙ୍କ କଥା–

 

ସୁନନ୍ଦ ଡାକ୍ତର ହେବ । ଅନିତା ବିବାହ କରିବ ମହାପାତ୍ରଙ୍କ ପୁଅ ଅଶୋକକୁ । ଗ୍ରାମରେ ଦାତବ୍ୟ ଚିକିତ୍ସାଳୟ ଓ ବିଦ୍ୟାଳୟ ରହିବ । ଆଦର୍ଶ ଆଶ୍ରମ ଓ ସେବାସଦନ ପ୍ରତିଷ୍ଠିତ ହେବ । ସୁନନ୍ଦ ଡାକ୍ତର ହୋଇ ବିନା ମୂଲ୍ୟରେ ଦୁଃଖୀ-ରଙ୍କୀଙ୍କ ସବା କରିବ, ଇତ୍ୟାଦି.....ଏଥିରେ ଏକମତ ହୁଅନ୍ତି ରମେଶବାବୁ । ଗ୍ରାମକୁ ଫେରିଯାଇ, ରଘୁବାବୁଙ୍କର ସମସ୍ତ ସମ୍ପତ୍ତିର ଖବର ବୁଝନ୍ତି ସଦାନନ୍ଦବାବୁ । ଏହାପରେ ଦିନ ଗଡ଼ିଚାଲେ ପାଣିସୁଅ ପରି.....

 

ଏ ମଧ୍ୟରେ ବିନୋଦ ମହାପାତ୍ର ତାଙ୍କ ପୁଅ ଅଶୋକ ଓ ଝିଅ ସୁନନ୍ଦାଙ୍କୁ କଟକ ପଠାନ୍ତି ପାଠ ପଢ଼ିବାକୁ । ସାହାଯ୍ୟ କରନ୍ତି ତାଙ୍କ ସାଙ୍ଗ ମଦନ ବାବୁ । ସେ ସ୍ଥାନ ଦିଅନ୍ତି ନିଜ ଘରେ ଅଶୋକ ଓ ସୁନନ୍ଦାକୁ । ଦିନ ଆସେ, ଛୋଟ ହୋଇ ସୁନନ୍ଦ ଆଗରେ ସମସ୍ତ କଥା କହି ବସେ ଅନିତା । କଟିଯାଏ ଦଶବର୍ଷ । ସୁନନ୍ଦ ଆଗରେ ଶପଥ କରେ ଅନିତା, ସେ ପିତୃହତ୍ୟାକାରୀକୁ ଉପଯୁକ୍ତ ଦଣ୍ଡ ହେବ । ଅବାକ୍‍ ହୋଇ ଅପା ମୁହଁକୁ ଚାହିଁରହେ ଛାତ୍ର ସୁନନ୍ଦ । ସୁନନ୍ଦ କଲେଜ ଛାଡ଼ି ମେଡ଼ିକାଲ କଲେଜରେ ପଢ଼େ । ଅନିତା ମାଟ୍ରିକ ପାସ୍‍ କରି ଘରେ ରହେ । ସୁନନ୍ଦା ଯୁବତୀ ହୁଏ, ଅଶୋକ କୃଷି ମହାବିଦ୍ୟାଳୟରେ ନାମ ଲେଖାଏ । ଏହା ମଧ୍ୟରେ ଆଉ କେତୋଟି ବର୍ଷ ବିତେ । ଦିନ ସରେ ରାତି ମରେ, ମାସ ବିତେ, ଶୀତ ଯାଏ–ଆସେ ବସନ୍ତ ଠିକ୍ ପୂର୍ବପରି.....

 

ଦିନେ ରାତିରେ......ସୁନନ୍ଦା କାର୍‍ ନେଇ ଫେରୁଥାଏ । ଧକ୍‌କା ହୁଏ ସୁନନ୍ଦ ସହିତ । ଆଘାତ ପାଇ ସଜ୍ଞା ହରାଇ ପଡ଼ିରହେ ସୁନନ୍ଦ । ସୁନନ୍ଦା କାରରେ ପକାଇ ମଦନ ବାବୁଙ୍କ ଘରକୁ ଆଣେ ସୁନନ୍ଦକୁ । ରାତିରେ ଫେରେ ଅଶୋକ । ପୂର୍ବ ପରିଚିତ ସ୍କୁଲ ସାଥୀ ସୁନନ୍ଦକୁ ମଦନ ବାବୁଙ୍କ ଘରେ ଶୋଇଥିବାର ଦେଖି ଆଶ୍ଚର୍ଯ୍ୟ ହୁଏ । ଆସନ୍ତି ରମେଶ ଓ ମିନାକ୍ଷୀ ଅନିତାକୁ ସାଥିରେ ନେଇ । ତା’ପରେ ସୁନନ୍ଦକୁ ନେଇ ଫେରନ୍ତି ନିଜ ଘରକୁ । ସାଥିରେ ଆସନ୍ତି ଅଶୋକ ଓ ସୁନନ୍ଦା । ଦୁଇଟି ରାତି ବିତିଯାଏ, କେଉଁ ଏକ ଶୁଭ ବେଳାରେ ସମସ୍ତେ ଚିହ୍ନା ପରିଚୟ ହୁଅନ୍ତି ଆଖି ଲୁହ ଝରାଇ, ଅଶୋକ ସବୁ ଶୁଣି ନିଜ ବାପର କଲା କର୍ମ ପାଇଁ କ୍ଷମା ମାଗନ୍ତି ଅନିତା ଦେବୀଙ୍କୁ । ହେଲେ, ଅନିତା ହାରିଯାଏ ଅଶୋକଙ୍କ ନମ୍ରତା ପାଖରେ । ଆଖି ଲୁହରେ ଆସେ ସଂକ୍ଷିପ୍ତ ଇସାରା.....ପ୍ରେମର ଆଭାସ । ଅଶୋକର ସେଇ ଧାରଣା ବୋଧହୁଏ....

 

ଦିନ ବିତିଯାଏ, ଅଶୋକ ସୁନନ୍ଦକୁ ଛାଡ଼ି ଫେରି ଗଲାବେଳେ ମନରେ ଭାବେ ଅନିତା କଥା । ଅନିତା ମଧ୍ୟ ମନେମନେ ଭଲପାଇ ତା’ କଥା ଭାବେ ।

 

ଅନିତା କ୍ଳାନ୍ତ । ଔଷଧ ଦେବାକୁ ହେବ ସୁନନ୍ଦକୁ । ସେହି ଦାୟିତ୍ୱ ବହନ କରେ ସୁନନ୍ଦା-। ତା’ପରେ ହୁଏ ସୁନନ୍ଦ ଓ ସୁନନ୍ଦାର ଚାରିଚକ୍ଷୁର ମିଳନ । ଚାଲେ ପ୍ରେମାଳାପ, ହାଲୁକା ଧରଣର ଯୁକ୍ତିତର୍କ । ଅନିତା ସବୁ ଶୁଣେ, ଚେଇଁ ରହି ପାଖ କୋଠରୀଟିରେ–

 

ଯୁକ୍ତିରେ ହାରେ ସୁନନ୍ଦ । ସୁନନ୍ଦା କୁହେ–ଆପଣ ଶାସ୍ତି ପାଇବେ ସୁନନ୍ଦ ବାବୁ । ନୀରବ ରହେ ସୁନନ୍ଦ । ଅନିତା ସବୁ ବୁଝେ । ଭବିଷ୍ୟତ ଆଶା ଦେଇ ଏବଂ ସ୍ୱର୍ଗତ ବାପାଙ୍କ ଅଭିଳାଷ ପୂରଣ ପାଇଁ ସ୍ୱାମୀ ସ୍ତ୍ରୀ ରୂପରେ ବାନ୍ଧିଦିଏ ସୁନନ୍ଦ ସୁନନ୍ଦାକୁ । ତା’ପରେ..... ? ଅଶୋକ କଥା ଭାବୁ ଭାବୁ ଶୋଇପଡ଼େ ଅନିତା ।

Image

 

ଟିକିଏ ଆଗରୁ କହୁଛି

 

କେଉଁ ଏକ ଅଖ୍ୟାତ ପଲ୍ଲୀ–କୋଳରେ ଜନ୍ମ ଗ୍ରହଣ କରିଥିଲେ ପରୋପକାରୀ ଜମିଦାର ରଘୁନାଥ ପଟ୍ଟନାୟକ, ସେହି ଗ୍ରାମର ଆଉ ଜଣେ ଜମିଦାର ବିନୋଦ ମହାପାତ୍ର.....

 

ରଘୁନାଥ ସମସ୍ତ ପ୍ରଜାମାନଙ୍କୁ ଭାଇ ରୂପରେ ଦେଖୁଥିଲେ । ସେ ଭାବୁଥିଲେ ଯଶ ଅମର । କ୍ଷଣସ୍ଥାୟୀ ଜୀବନ ନେଇ ଗର୍ବ କରିବା ବୃଥା ସିନା, ତେଣୁ ତାଙ୍କ ମନରେ ଥିଲା ସେବା କରିବାର ଝୁଙ୍କ, ସେଥିପାଇଁ ସେ ସର୍ବଜନ ପୂଜିତ ହୋଇପାରିଥିଲେ । ସହଧର୍ମିଣୀ କମଳା ମଧ୍ୟ ସ୍ୱାମୀଙ୍କ ଅନୁଗାମିନୀ ଥିଲେ......

 

ବିନୋଦ ମହାପାତ୍ରଙ୍କ ଚରିତ୍ର ଥିଲା ଉଦ୍ଧତ । ପର ତଣ୍ଟିଚିପି ନିଜର ପରିସର ବୃଦ୍ଧି କରିବାପାଇଁ ସେ ସର୍ବଦ ଚେଷ୍ଟିତ ଥିଲେ । ରଘୁବାବୁଙ୍କ ଗୁଣରେ ବାନ୍ଧିହୋଇ ପଡ଼ିଥିଲେ ସମସ୍ତ ଗ୍ରାମବାସୀ । ମହାପାତ୍ରଙ୍କ ହାତଛଡ଼ା ହୋଇ ଯାଇଥିଲେ ସମସ୍ତେ ।

 

ସେଥିପାଇଁ ରଘୁବାବୁଙ୍କୁ ଧରାପୃଷ୍ଟରୁ ବିଦାୟ ଦେବା ପାଇଁ ଚେଷ୍ଟା କରୁଥିଲ ମହାପାତ୍ର । କିଛି ଦିନ ପରେ ଆରମ୍ଭ ହେଲା ପ୍ରଳୟଙ୍କରୀ ହଇଜା, ଖସିଗଲେ ଅଗଣିତ ଲୋକ । କମଳା ମଧ୍ୟ ରଘୁନାଥଙ୍କୁ ଛାଡ଼ି ଅମରପୁରୀର ଯାତ୍ରୀ ହେଲେ । ରଘୁବାବୁ ଆକ୍ରାନ୍ତ ହେଲେ ହଇଜାରେ, ସେଦିନ ନିବିଡ଼ ଅନ୍ଧାର ରାତ୍ରି.....ମହାପାତ୍ରଙ୍କ ପକ୍ଷେ ଏଇ ରାତିଟି ଏକ ସୁବର୍ଣ୍ଣ ସୁଯୋଗ, ଏପରି ସୁଯୋଗ ହରାଇଲେ, ହୁଏତ ପଛକୁ ତାର କୁଫଳ ଚିଆଁ । ଆଖି ଲଭେ ରାତ୍ରି ଅନିଦ୍ରାର ବ୍ୟଥା, କିନ୍ତୁ କାହାକୁ କିଏ କାହିଁକି ? ସାଥୀକୁ ?

 

କାହିଁ ସାଥୀ, ସାଥୀ କାହିଁ ?

 

ସତେ ତ...... ।

 

ଅନିତାର ଅଜଣାତରେ ସେ କହି ଉଠିଲା ସାଥୀ କାହିଁ ? ଚମକି ପଡ଼ିଲା ସେ । ସତେ ତ, ଏତେ ବଡ଼ ଦୁନିଆରେ ତା’ ନିଜର ହୋଇ କିଏ ଅଛି ? ମନରେ ଆନନ୍ଦ ଭରିଯାଇଛି–ସୁନନ୍ଦ ସହ ସୁନନ୍ଦାକୁ ମିଳନ କରାଇ, କିନ୍ତୁ ପୁଣି ଏ ଅଶାନ୍ତି କାହିଁକି ? କାହିଁକି ଏ ଦୁର୍ବଳତା । କ’ଣ ତା’ର ଅଭାବ ଅଛି ! ନା, ଏଣିକି ସେ ନିଶ୍ଚିନ୍ତ ହେବ, ଖୁବ୍‌ ନିଶ୍ଚିନ୍ତରେ ଦିନ କାଟିବ । ଓଃ ! କି କ୍ଳାନ୍ତ ସେ......

 

ବାଁ ପଟେ ବଗିଚା । ରମେଶବାବୁଙ୍କର ଅତି ପ୍ରିୟ ଏଇ ଫୁଲ ବଗିଚା । ରକ୍ତ ଗୋଲାପ ଦୋହଲି ଦୋହଲି ଦୋଳି ଖେଳୁଛି ଉପରୁ ତଳ ଆଉ ତଳୁ ଉପରକୁ ହୋଇ । ଆଉ, ସେଇ ଯେଉଁ କଳା ଅସୁନ୍ଦର ଭ୍ରମରଟା ଗୁଣୁ ଗୁଣୁ ତାନ କରି ଗୋଲାପ ସାଥିରେ ଅଝଟ କରୁଛି, ସେଇ ଭଅଁରଟା ମରୁନାହିଁ, ଏଡ଼ିକି ନିର୍ଲଜ୍ଜ ସେଟା । ସେ ଚେଷ୍ଟା କରୁଛି ଗୋଲାପଠାରୁ ମଧୁ ଚୋରି କରି ନେବାକୁ । ମନ ମୋହି ନେବାକୁ, ଜୀବନ ଯୌବନ ସବୁ ଲୁଟି କରି ନେବାକୁ, କିନ୍ତୁ ଗୋଲାପ ! ସେ ସତୀ ସାବିତ୍ରୀ । ପଥଭ୍ରଷ୍ଟ ହେବ କିପରି ? ଗୋଲାପ ଲୟ ଲଗାଇଛି ତା’ର ପ୍ରିୟ ଅନ୍ୟ ଏକ ଭ୍ରମର ପାଦରେ । ସେ ଏ ଦୁଷ୍ଟ ଭ୍ରମରକୁ ଚାହେଁନା । ଏଇଟା ଦୁଷ୍ଟ, ଠକ, ଦଗାଦାର । ସହସ୍ର ଫୁଲର ନାୟକ । ଏଭଳି ଏକ ନଷ୍ଟ ଚରିତ୍ର ଭ୍ରମରକୁ ସେ ଭୁଲିପାରିବ ନାହିଁ କି ? ସେ ଚାହେଁ ଜଣେ ସାଥୀକୁ, ଏଇଟା କିଏ ମ । ନା–ତୁ ଯା.....ଯା....ଆ–ଉଁ.....ଆରେ

 

ଭ୍ରମରଟା କେତେ ଅନୁରୋଧ କଲା, କାକୁତି ମିନତି ଜଣେଇଲା, କିନ୍ତୁ ସବୁ ବ୍ୟର୍ଥହେଲା ଗୋଲାପର ସେହି ଗୋଟାଏ କଥାରେ–ନା–ନା–ନା– ।

 

ଭ୍ରମର ଉଡ଼ିଗଲା କନିଅର ପାଖକୁ, ସେ ତା’ର ଭାଗ୍ୟ । ହଉ, କ’ଣ ଅବା କରିବ । କନିଅର ପାଖରେ ମଲ୍ଲିକା ମଉଳି ପଡ଼ିଛି । ପଛରେ କାଞ୍ଚନ । ଧଳାଶାଢ଼ି ପିନ୍ଧି ସବୁଜ ପତ୍ର ଗହଳରେ ଆଖି ମିଟିକା ମାରୁଛି । ଇସାରା ଦଉଛି, ତୁନି କରି କହୁଛି–ତୁମେ ଆସ । ଭ୍ରମର, ଆସ-। କନିଅର କ’ଣ ମୋ’ଠାରୁ ବେଶି ସୁନ୍ଦରୀ ? ମୁଁ ଯେ ତୁମକୁ ଚାହିଁ ବସିଛି । ଆସ–ମୋ ଗୁଣ, ମୋର ମନଭୁଲା ରୂପ, ସୁମଧୁର ପ୍ରେମ ତୁମେ କ’ଣ ଚାହଁନା ? ଆସନା..... ! ମୋ ରାଣ !

 

ଭ୍ରମର ଭାବି ଦେଖିଲା, ଆରେ ସତେ ତ । କାଞ୍ଚନ ତା’ର, ଅତି ଆପଣାର । ଆହ୍ୱାନ ଜଣାଉଚି କିମିତି ନଯିବ ! ନା ସେ ଯିବ । ସେ ଉଡ଼ିଗଲା କାଞ୍ଚନର ପଣତ ତଳକୁ । ଗୋଲାପ ଦୀର୍ଘଶ୍ୱାସ ତ୍ୟାଗ କଲା ।

 

ହେ ଭଗବାନ ! ଏ ଭ୍ରମରଟା ଏତେ ଲମ୍ପଟ, ଠକ, ଦଗାଦାର ! ଆହା ବିଚାରୀ କନିଅର-! ଲୁହ ଢାଳୁଛି, ବାହୁନି କାନ୍ଦୁଛି କଇଁ କଇଁ ହୋଇ, ଆଉ ଚୋରଣୀ କାଞ୍ଚନ, ଚୁପ୍‌ । ଅଭିମାନିଆଁ ରାଗରେ ଗୋଲାପର ମୁଖମଣ୍ଡଳ ଆହୁରି ଲାଲ ହୋଇଗଲା । ଗୋଲାପ ଆଖି ଫେରାଇଲା, ଆଗରେ ତା’ର ଇପ୍‌ସିତ ପ୍ରିୟତମ । ଗୁଣୁ ଗୁଣୁ ତାନରେ ବୀଣା ବଜାଇ ଅଳି କରୁଛି, ଆହ୍ୱାନ ଜଣାଉଛି ସେ । ପ୍ରିୟତମକୁ ସ୍ଥାନ ଦେଲା ତା’ର କୋମଳ କୋଳରେ । ଅର୍ପଣ କଲା ତା’ର ସବୁ କିଛି, ସରମରେ ମୁଖ ତଳକୁ କରି । ସରମରେ ନରମି ହୋଇ ପ୍ରିୟତମର କୋମଳ କୋଳରେ ସେ ହଜିଗଲା ।

 

ମିଶିଗଲା....ଆହା !

 

ଅନିତା ଏକଲୟରେ ଅନାଇ ରହିଛି । ଆଖି ଆଗରେ ତା’ର ଦୁନିଆର ପବିତ୍ର ପ୍ରେମ, ପୁଣି କଳୁଷିତ ପ୍ରେମ । ସ୍ନେହ, ମୋହ; ମାୟା, ମମତାଭରା ମନନେଇ ସେ ଆଜି ଠିଆହୋଇଛି । ଏକାକିନୀ ଜୀବନ କଟାଇ ନିଜକୁ ନିଜେ ସର୍ବହରା କରିଛି । ସବୁ ଥାଇ ଆଜି କିଛି ନ ଥିଲା ପରି । ପଚିଶଟି ବସନ୍ତ ଅତିକ୍ରମ କରି ଛବିଶଟି ପାହାଚରେ ସେ ଗୋଡ଼ ଦେଇଛି । ଆଖି ଆଗରେ ସୁନ୍ଦର ଓ ଅସରନ୍ତି ପଥ । ପୁଣି ଅସମାପ୍ତ ଆଶା । ନାରୀ ସେ । ବିଚିତ୍ର ନିଷ୍ଠୁର ନିୟତି ସହିତ ସେ ଯେ ଆଉ ପାରୁନି......ତଥାପି ତାକୁ ବଞ୍ଚି ରହିବାକୁ ହେବ । ହଁ....ଏଇ ଯେ....ବାପାଙ୍କର ଆକୁଳ କ୍ରନ୍ଦନ କାନରେ ବାଜୁଛି । ତାଙ୍କର ଆଖି ଲୁହରେ ଜଳି ଉଠୁଛି ପ୍ରତିହିଂସାର ଦାବାନଳ । ମହାପାତ୍ରର ନିର୍ମମ କାର୍ଯ୍ୟ ମନରେ ଗୁମୁରି ଉଠି ସୃଷ୍ଟ କରୁଛି ଝଡ଼ । ବାପା ତା’ର ପରପାରିରେ ଚାହିଁ ରହିଛନ୍ତି, ପଚାରୁଛନ୍ତି–ଅନିତା ! ସୁନନ୍ଦକୁ ଠିକ୍‌ ବାଟରେ ଚଳାଇ ତାକୁ ଠିକ୍‌ ମୋରି ଭଳି ମଣିଷ କର । କ’ଣ ତା’ର କର୍ତ୍ତବ୍ୟ, କ’ଣ ସେ କରିବ ? ଦେହରେ ଭରା ଯୌବନ, ପ୍ରାଣରେ ନୂତନ ଉନ୍ମାଦନା, ଆଖିରେ ଶାଣିତ କଟାକ୍ଷ । ମନ ଲୋଡ଼ୁଛି ସାଥୀ । ଯୌବନର ପୂରନ୍ତା ଯମୁନା ଚାହୁଁଛି ମିଶିବାକୁ ପ୍ରଶାନ୍ତ ମହାସାଗର ଦେହରେ । ଆଉ କେତେଦିନ ଧରି ପ୍ରଜାପତି ଭଲ ଡେଣା ମେଲାଇ ଘୂରି ବୁଲିବ ? ନା, ସେ ଆଉ ପାରିବ ନାହିଁ । ଜୀବନର ପରିପୂର୍ଣ୍ଣତା ପାଇଁ ବିବାହ କରିବା ନିହାତି ପ୍ରୟୋଜନ । ଏକାକୀ ସେ ଆଉ ପାରୁନି । ଖୁବ୍‌ କ୍ଳାନ୍ତ ସେ । ଆଉ ଦୁଃଖ କଷ୍ଟ ସେ ସହି ପାରିବନି-। ତାକୁ ବିବାହ କରିବାକୁହିଁ ହେବ । ସେ ଚାହେଁ ଆଶ୍ରୟ, ସେ ଚାହେଁ ମୁଠାଏ ଶରଧା, ଚେନାଏଁ ପ୍ରେମ, ଟିକିଏ ହସ ଓ ଚିରଶାନ୍ତି.....ହଁ, ଶାନ୍ତି.....

 

ତାକୁ ଘର ସଂସାର କରିବାକୁ ହେବ । ବରଣ କରିବାକୁ ପଡ଼ିବ ଏକ ଜୀବନ ସାଥୀଙ୍କୁ । ସେଇ ସାଥୀଙ୍କ ଚରଣ ତଳେ ନିଜକୁ ନୈବେଦ୍ୟ ଦେଇ ସେ ଲାଭ କରିବ କୁଳଲକ୍ଷ୍ମୀର ଗୌରବ । ତା’ପରେ.....

 

ଇହକାଳ, ପରକାଳର ସ୍ୱାମୀ ଦେବତାଙ୍କ ବର ଲାଭ କରି ସେ ହେବ ଜନନୀ । କୋଳରେ ଧରିବ ସୁନାର କୁଣ୍ଢେଇ । ତା’ପରେ ? ତା’ପରେ ? ପୁଣି କ’ଣ ହେବ ?

 

ନା–ନା–ସେ ଏଗୁଡ଼ାକ ଭାବୁଛି କାହିଁକି ? ନା–ସେ ବିବାହ କରିବନି । ଚିର କୁମାରୀ–ବ୍ରତ ଅବଲମ୍ବନ କରି ସେ ହେବ ତାଙ୍କରି ଭଳି ।

 

କାହାଭଳି ସେ ହେବ ! ବିନା ଆଶ୍ରାରେ କୌଣସି ଲତାତ’ ନିଜ ଗୋଡ଼ରେ ଠିଆହୋଇ ପାରିବା କେବେ ଶୁଣିନି । ବିନା ଆଶ୍ରାରେ ନାରୀ କ’ଣ ତିଷ୍ଠି ପାରିବ ନାହିଁ ? ପ୍ରକୃତରେ କ’ଣ ଆଶ୍ରୟ ତା’ର ନିହାତି ଦରକାର ? ଏହା କ’ଣ ସମ୍ଭବ ।

 

ସମ୍ଭବ ହେଉ ବା ନ ହେଉ, ବାପାଙ୍କ ସୁନାମ ଲାଗି ତାକୁ ବିବାହ କରିବାକୁ ହେବ । ସେ ହେବ କୁଳବଧୂ–ଗୃହଲକ୍ଷ୍ମୀ– । ହଁ ସେ ବିବାହ କରିବ । ନିଜେ ନିଜର ସାଥୀ ଖୋଜି ନେବ । ସାବିତ୍ରୀଙ୍କ ଆଦର୍ଶରେ ସେ ଅନୁପ୍ରାଣିତ ହେବ । ଠିକ୍‌ ସାବିତ୍ରୀଙ୍କ ଭଳି–ଶୟନେ, ସ୍ୱପନେ, ଜାଗରଣେ, ଜୀବନେ, ମରଣେ କେବଳ ଭାବୁଥିବ ତା’ର ସ୍ୱାମୀଙ୍କ କଥା । ‘‘ଦୁହିତା ଦୁଇ କୁଳକୁ ହିତା’’ ପ୍ରବାଦକୁ ସେ ଅକ୍ଷରେ ଅକ୍ଷରେ ପାଳନ କରି ଲାଭ କରିବ କୁଳ ଲକ୍ଷ୍ମୀର ଗୌରବ ।

 

ସେ ଏପରି ଏକ ସାଥୀ ଚାହେଁ, ଯିଏ କି ପୂଜ୍ୟ ଉତ୍କଳମଣିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିବେ । ଦୀନ ଦରିଦ୍ରଙ୍କ ଦୁଃଖରେ ଆଖିରୁ ବହି ଯାଉଥିବ ଅଶ୍ରୁଧାରା । ପର ଦୁଃଖରେ ନିଜକୁ ଭୁଲି ଯେ ଗରିବର ସେବା କରୁଥିବେ । ସେହି ମହାନ୍‌ ବ୍ୟକ୍ତି ହେବେ ତା’ର ଦେବତା, ଜୀବନର ସାଥୀ ।

 

ହଁ, ସେ ଏଭଳି ସାଥୀଟିଏ ଚାହେଁ–

 

ଈଶ୍ୱର ପ୍ରଦତ୍ତ ଯୌବନ-ତରଣୀକୁ ପ୍ରବଳ ଜଳସ୍ରୋତରେ ସେ ଭସାଇଦେବ କାହିଁକି ! ମନ-ବଗିଚାରେ ଫୁଟୁଥିବା ରକ୍ତ ଗୋଲାପ ମାଟିରେ ଲୋଟିବ କାହିଁକି ? ସେ ଚାହେଁ ସାଥୀ, ଆଜୀବନ ବାହୁ ବନ୍ଧନରେ ବାନ୍ଧି ରଖିବାକୁ ଚାହେଁ ସାଥୀକୁ । ପ୍ରିୟତମଙ୍କୁ ଚାହେଁ, ଲୋଟିଯିବାକୁ ଚାହେଁ ସେହି ପ୍ରିୟତମଙ୍କ ଶାନ୍ତିମୟ କୋଳରେ । ଗାଇବାକୁ ଚାହେଁ ମିଳନ ସଙ୍ଗୀତ ।

 

ଆଶା ତା’ର ଅସୀମ, ସେ ହେବ ଚୁମ୍ବନ-ପ୍ରେୟସୀ ପ୍ରିୟା । ହେବ ସେ ରାଈ ବିନୋଦିନୀ । ପ୍ରିୟତମଙ୍କ ବାହୁଡ଼ା ପଥକୁ ଚାହିଁ ଢାଳିବ ଅସରନ୍ତି ଅଶ୍ରୁ । ଗାଇବ ସେ ସ୍ୱାଗତିକା ସଙ୍ଗୀତ । ମରୁପ୍ରାନ୍ତରେ ଫୁଟାଇବ ରଜନୀଗନ୍ଧା, ଶୀତଳ ଚାନ୍ଦର ଜୋଛନା ତଳେ, ନୀଳ ଗଗନର ଚାନ୍ଦୁଆ ତଳେ ସାଜିବ ସେ ଅଭିସାରିକା ଅଭିସାର ମଧ୍ୟରେ ପ୍ରେମର ସଙ୍ଗୀତ ଗାଇ ଧୀର ପଦକ୍ଷେପରେ ଆସିବେ ତା’ର ପ୍ରିୟତମ । ମୃଦୁ ବସନ୍ତର ହାଲୁକା ସମୀରଣରେ ଚୂର୍ଣ୍ଣକୁନ୍ତଳ ତା’ର ମୁଖମଣ୍ଡଳରେ ଲୋଟୁଥିବ । ଫୁଟିଥିବ ରଜନୀ ଗନ୍ଧା, ସୁଗନ୍ଧରାଜ, ହେନା, ଆଉ କେତେ ଅସରନ୍ତି ଫୁଲ । ସେ ଢଳିପଡ଼ିବ ତା’ର ପ୍ରିୟତମଙ୍କ ଶାନ୍ତିମୟ କୋଳରେ । ମନ-ଯମୁନାର ବାଳି-ବେଳାରେ ବାଜୁଥିବ ବିରହ ବଇଁଶୀ । ବଇଁଶୀର କରୁଣ ମନ ଭୁଲା ରାଗିଣୀରେ ସେ ହେବ ଅସହିଷ୍ଣୁ, ମନରୁ ହଟିଯିବ ଗ୍ଳାନି, ଦୁଃଖ ଚିନ୍ତା ସବୁକିଛି । ତା’ ଅଧରରେ ଥରିଲା ଓଷ୍ଠ ଲଗାଇ ଇପ୍‌ସିତ ପ୍ରିୟତମ କହିବେ–

 

‘‘ଅନିତା, ଏଇ ଚାନ୍ଦର ରୁପେଲି ଜୋଛନା-ନଦୀରେ ତୁମକୁ ନେଇ ମୁଁ ବାହିବି ମୋର ଜୀବନର ତରୀ, ତୁମେ ଡରିବ ନାହିଁତ ?

 

ନା, ମୁଁ ମୋଟେ ଡରିବି ନାହିଁ ।

 

ସତ କହୁଛ ?

 

ହୁଁ

 

କିଛି ଶୁଣିପାରୁଛ ?

 

କାହିଁ ? ନାଇଁ ତ ?

 

ଏଇ ଶୁଣ, ନଦୀର ସେଇ ବାଲିବେଳାରେ ଗୋରୁ ରଖୁଆଳ ଗୋପାଳ ପୁଅର ବିରହ ବଇଁଶୀ ବାଦନ । ଏଥର ଶୁଣିପାରିଲ ?

 

ଉହୁଁ.....

 

ତୁମେ ବଡ଼ ମିଛୋଇ......

 

ଆଉ ତୁମେ ?

 

ମୁଁ ?

 

ହଁ, ତୁମେ

 

ମୁଁ ଯୁଧିଷ୍ଠିରଙ୍କ ଭଳି ସତ୍ୟବନ୍ତ, ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ଯୁବକ । ଧର୍ମପଦ, ବାଜୀରାଉତଙ୍କ ଭଳି ଜାତିର ସମ୍ମାନ ରଖେ । କ’ଣ କିଛି ବୁଝିଲ ?

 

ହଁ ବୁଝିଲି, କିନ୍ତୁ ତୁମେ ଛାଡ଼ିଗଲେ ଯେ–

 

କ’ଣ କୁହ ।

 

ଭ୍ରମରଭଳି ମଧୁଲୁଣ୍ଠନ କରି ଫୁଲରାଣୀକୁ କନ୍ଦାଅ, ନୁହେଁ ?

 

ପାଗଳି, ତୁମେ ଭାରି ଦୁଷ୍ଟ–

 

ଆଉ ତୁମେ ଭାରି ଶିଷ୍ଟ ।

 

ନାଇଁମ, ମୁଁ ତୁମର ମନଚୋର ।

 

ସତେ ?

 

ପ୍ରିୟତମ କଡ଼େଇ ଧରିବେ ତାକୁ, ଗଣ୍ଡ ଦେଶରେ ଆଙ୍କିଦେବେ, ଅସଂଖ୍ୟ ଚୁମ୍ବନ । ତା’ପରେ....ତା’ପରେ.....

 

ନିର୍ଲଜ୍ଜ ଚାନ୍ଦଟା କଳା ବାଦଲର ପଣତତଳେ ଲୁଚିଯାଇଥିବ ? ସେ ଢଳି ପଡ଼ିବ ତାଙ୍କରି କୋଳରେ, ତା’ପରେ ଅଜଣା ନଦୀର ବକ୍ଷ ଉପରେ ସେ ଦୁହେଁ ଭାସିଯିବେ–ଅଜଣା ଜଗତକୁ ।

 

ଅନିତା ଚମକି ପଡ଼ିଲା । ସାରା ଦେହରେ ଖେଳିଗଲା ତା’ର ଅସଂଖ୍ୟ ଅଜଣା ପୁଲକ । ସୁପ୍ତ ମନଟା ବିଳପି ଉଠିଲା । ବାହୁନି ଉଠିଲା ସୁପ୍ତ ଯୌବନ । ଆଖି ବୁଜି ହୋଇଗଲା ଅନିତାର । ସମ୍ମୁଖରେ ନିବିଡ଼ ଅନ୍ଧାର, ସତେ ଯେପରି ଏତେ ବଡ଼ ଅନ୍ଧାରୀ-ମୁଲକରେ ସେ ଏକା । ସୁନନ୍ଦ ପହଞ୍ଚି ଦେଖିଲା ଦେଈ ତା’ର ନୀରବରେ ଠିଆହୋଇ କ’ଣ ଚିନ୍ତା କରୁଛି, ଡାକିଲା–

 

ଦେଈ ?

 

ଅନିତା ନୀରବ ।

 

ଦେଈ,.....ବେଈ.....

 

କିଏ.....ସୁନନ୍ଦ, ବାସ୍ତବ ଜଗତକୁ ଫେରି ଆସିଲା ସେ । ଅନେକ ବେଳୁ ସେ ଏଠି ଠିଆ ହୋଇଛି । ସୁନନ୍ଦ କିଛି ଜାଣିପାରିନିତ ? ଆଖି ଆଗରେ ସୁନନ୍ଦ । ଶାନ୍ତିମୟ ଚେହେରା, ଧୀରସ୍ଥିର, ଠିକ୍‌ ବାପାଙ୍କ ଭଳି । ସୁନନ୍ଦ କହିଲା–ଦେଈ ! ତୁ ଏଠି ଅଛୁ–ମୁଁ କେତେ ଡାକିଲିଣି, ତୁ ଶୀଘ୍ର ଆସିଲୁ–

 

କାହିଁକି, ମୋ ପାଖରେ ତୋର କିଛି କାମ ଅଛି ?

 

ଅଶୋକ ପରା ଆସିଛି ! ଟକିଏ ଚା’ କରି ଦେବୁନି । ନା, ମୁଁ ଯାଉଛି, ତା’ର ତେଣେ କେତେ କାମ । ଚା’ ଟିକିଏ ଖାଇଦେଇ ସେ ଶୀଘ୍ର ଫେରିଯିବ । ଆ, ଚଞ୍ଚଳ.....

 

ସୁନନ୍ଦ ଚାଲିଗଲାଣି । ଅନିତା ମନରେ ଦ୍ୱନ୍ଦ୍ୱ । ଅଶୋକବାବୁ ଆସିଛନ୍ତି, ଖୁବ୍ ଭଲକଥା, ଆନନ୍ଦର କଥା, ସେ ଆସନ୍ତୁ । ଥରେ ନୁହେଁ, ବହୁଥର ଆସନ୍ତୁ । ତାଙ୍କୁ ଦେଖିଲାଦିନୁ ପ୍ରକୃତରେ ମୁଁ ଭୁଲିପାରୁନି । ଅଶୋକ–ସୁନ୍ଦର ଚେହେରା, ଆଦର୍ଶବାନ ଯୁବକ । କଥା ତାଙ୍କର ମଧୁଭରା । ବାସ୍ତବିକ ମଣିଷ ଭଳି ମଣିଷ ଏଇ ଅଶୋକବାବୁ । ଏଇ କେତେଦିନ ତଳର କଥା । ବିନା ଦ୍ୱନ୍ଦ୍ୱରେ ରାଜି ହୋଇଗଲେ ଆଶ୍ରମର କାର୍ଯ୍ୟ ଗ୍ରହଣ କରିବାକୁ । ବାପାଙ୍କ କୃତକର୍ମ ପାଇଁ ସେ କ୍ଷମାଚାହିଁ ଲୋତକ ବିସର୍ଜନ କଲେ । ଗମ୍ଭୀରଭାବେ ଉତ୍ତର ଦେଲେ । ସତକୁସତ ମୋ ମନରେ ମୁଁ ତାଙ୍କୁ ସ୍ଥାନ ଦେଇଛି । କାହିଁକି ? କେଉଁଥି ପାଇଁ ? କିଛି ସ୍ଥିର କରିପାରୁନି । ଯେତେ ଭାବିଲେ ସିଦ୍ଧାନ୍ତରେ ପହଞ୍ଚି ପାରୁନି । ତାଙ୍କର ଭଉଣୀ ସୁନନ୍ଦା ଭାବୀ ଭାଉଜ । ସୁନନ୍ଦର ଭାବୀ ପତ୍ନୀ, ଠିକ୍‌ ଭାଇ ପରି ଭଉଣୀ । କଥା କଥାକେ ହସ, ଯୁକ୍ତିରେ ଓକିଲ ହାରିଯିବେ । ସେହି ଲାବଣ୍ୟମୟୀ ସୁନନ୍ଦାର ଭାଇ ଏଇ ଅଶୋକବାବୁ ।

 

ସତକଥା କହିବାକୁ ଗଲେ ଅଶୋକବାବୁଙ୍କ ଅଜାଣାତରେ ମୁଁ ତାଙ୍କୁ ଭଲପାଇ ବସିଛି । ତାଙ୍କୁ ଦେଖିଲା ଦିନୁ ମୋର ଆକାଶ ପାତାଳ ଭଳି ପରିବର୍ତ୍ତନ ହୋଇଛି । କରିଥିବା ପ୍ରତିଜ୍ଞାରୁ ମୁଁ ବଳିଯାଇଛି । କିନ୍ତୁ ଫଳ କ’ଣ ହେବ ତାହା ଈଶ୍ୱର ଜାଣନ୍ତି । ଏଇ ସୁନନ୍ଦ ଡାକିଲାଣି, ଦେଈ.....ଏ ଦେଈ, ଓହୋ....ତୁ ଗଲୁ କୁଆଡ଼େ । ଟିକିଏ ଚଞ୍ଚଳ ଆ’ ଭଲା ଦେଈ.....

 

ଅନିତା ସୁନନ୍ଦର ଏଇ ପିଲାଳିଆ କଥାରେ ହସିଦେଲା । କୁନି ଭାଇଟା ତା’ର ପଲାଙ୍କ ଭଳି ଅଳି କରେ । ମାରେ, ରାଗେ, ରୁଷେ, ନଖାଇ କଲେଜ ପଳାଏ ।

 

ଅନିତା ଦ୍ରୁତ ଗତିରେ ଚାଲିଗଲା । ଚା’ ବସାଇଲା । ପୂଝାରି ଛୁଟିରେ ଯାଇଛି । ସମସ୍ତ କାମ ତାକୁ ହିଁ ତୁଲାଇବାକୁ ପଡ଼ୁଛି । ଅଶୋକ ବସି ସୁନନ୍ଦ ସହିତ କଥାବାର୍ତ୍ତା ହେଉଛି । କଲେଜ କଥା ଆଉ ଅନ୍ୟ କେତେ କଥା ।

 

ଚା’ ନେଇ ପହଞ୍ଚିଲା ଅନିତା । ଗୋଟିଏ କପ୍ ଅଶୋକବାବୁଙ୍କ ହାତକୁ ବଢ଼ାଇ ଦେଇ ଆଉ ଅନ୍ୟ କପ୍‌ଟି ସୁନନ୍ଦ ହାତକୁ ଦେଲା । ତା’ପରେ ଫେରିଆସି ରୋଷେଇ ଘରେ ଅନ୍ୟ କାମରେ ସେ ମନଦେଲା, କିନ୍ତୁ କୌଣସି କାମରେ ତା’ର ମନ ଲାଗୁନି । କିଛି ଭଲ ଲାଗୁନି ।

 

ଅଶୋକବାବୁ ଯିବାକୁ ବସିଲେ । ସୁନନ୍ଦ ମନାକଲା । ଅଶୋକ କହିଲା–ନାଇ ଭାଇ, ମୋର ବହୁତ କାମ ଅଛି । ଯାଏଁ । ତୁ ଯିବୁ ଆମର ଘରଆଡ଼େ । ନିଶ୍ଚୟ ଯିବୁ, ଏଁ–ଅଶୋକ କହିଲା ।

 

କ’ଣ ଖୋଇବୁ କହିଲୁ ।

 

କ’ଣ ଆଉ ଖୋଇବି । ସୁନନ୍ଦା ହାତ ତିଆରି ସରୁଚକୁଳି, କ’ଣ ରାଜି ତ ?

 

ସତେ, ତା’ହେଲେ ନିଶ୍ଚୟ ଯିବି ।

 

ତା’ହେଲେ ମୁଁ ଯାଏଁ, ମୁଁ ଯାଉଛି ଅନିତା ଦେବୀ.....ଅନିତା ଆସିଲା ମୁହଁ ତଳକୁ କରି, ସତେ ଯେପରି ଲାଜକୁଳି ଲତାପରି । ଧୀର ଗଳାରେ କହିଲା, ପୁଣି ଆସିବେ ତ ? ଭୁଲିଯିବେନି ତ-?

 

ନିଶ୍ଚୟ ଆସିବି କହି ଅଶୋକ ଚାଲିଗଲା । ପଢ଼ାପଢ଼ିରେ ଲାଗିପଡ଼ିଲା ତା’ ପଢ଼ାଘରେ-

 

ଅଶୋକ ଭାବୁଛି, ମନରେ ଅସରନ୍ତି ଭାବନା । ଅନିତାର ରୂପ ଚାହାଣି ଓ ଭାଷା ଅଶୋକର ଭାବନାର ବସ୍ତୁ, ଅନିତା ଷୋଡ଼ଶୀ ଯୁବତୀ ତନ୍ୱୀ, ରୂପସୀ । କିଛିଦିନ ତଳେ ସେ ଥିଲା ବାଳିକା । ଯୌବନ ଥିଲା କଳ୍ପନା ନଦୀର ଆରପାରିରେ, କିନ୍ତୁ ଆଜି ସେ ଯୌବନର ପାହାଚ ଉପରେ ଠିଆହୋଇ ଆଖି ଠାରୁଛି ।

 

ଅଶୋକ ଯୁବକ, କିମିତି ଭୁଲିବ ସେ ଅନିତାକୁ । ମନରେ ଝଡ଼ ସୃଷ୍ଟି କରୁଛି, ଅନିତାର ଲାଜମିଶା କଥା ପଦକ । ‘ପୁଣି ଆସିବେ, ଭୁଲିଯିବେନି’–ପ୍ରକୃତରେ ଅନିତା କଥା ସତ୍ୟରେ ପରିଣତ ହୋଇଛି, ମାତ୍ର ପଦିଏ କଥା ସେ ଭୁଲିପାରୁନି,କାହିଁକି ତା’ ମନ ମଧ୍ୟରେ ଅନିତାର ଆସ୍ଥାନ ଜମେଇ ଦେଇଛି । କିଛି ବୁଝି ପାରୁନି ସେ । ପୁଣି ମନରେ ପ୍ରଶ୍ନ ଉଠୁଛି ସତେ କ’ଣ..... ?

 

ହଁ.....

 

ପ୍ରଥମ ଦେଖାରେ ଏଇମିତି ହୋଇଥାଏ । ଯୁବକ ଯୁବତୀଙ୍କ ମଧ୍ୟରେ ଭଲ ପାଇବାଟା ନୂଆ କଥା ନୁହେଁ ।

 

ତେବେ ଅନିତାକୁ ସେ କ’ଣ ପାଇପାରିବ ? କରି ପାରିବ ତାକୁ ପ୍ରେମର ପ୍ରତିମା ? ବରି ପାରିବ ତା’ର କୁଳବଧୂ ଭାବରେ ? ଜଡ଼ାଇ ପାରିବ ନିଜ ବୁକୁ ଉପରେ ? ତା’ ଗୋଲାପି ଅଧର ସହିତ ଅଧର ମିଳାଇ ଗାଇପାରିବ ମିଳନ ସଙ୍ଗୀତ ? ନିଜ ପ୍ରଶ୍ନରେ ନିଜେ ଚମକି ଉଠିଲା ଅଶୋକ । ନା.....ବୋଧେ ସମ୍ଭବ ହେବନି ତା’ କଳ୍ପନାର ଆଶା । ଅନିତାର ପିତାଙ୍କୁ ତା’ ବାବା ନିର୍ମମଭାବେ ହତ୍ୟା କରିଛନ୍ତି । ଏକଥା ଅନିତା କେବେହେଲେ ଭୁଲି ପାରିବ ନାହିଁ । ତେବେ ଥରେ ସେ ପଚାରି ବୁଝିନେବ ଅନିତାଠାରୁ–ତା’ ମନରୁ କ’ଣ ପ୍ରତିଶୋଧର ନିଆଁ ଲିଭିନାହିଁ !

 

ଅଶୋକ କେତେବେଳେ ଘରେ ପହଞ୍ଚିଯାଇଛି ସେ କଥା ତାକୁ ମୋଟେ ଜଣାଯାଇନି । ସତେ ମ ! ଭାବନାରେ ସେ ଥିଲା ବିଭୋର–ମିଛ ମଣିବେନି, ଅନିତା ତା’ ମନ ମନ୍ଦିରରେ ଆସ୍ଥାନ ଜମେଇ ସାରିଥିଲା । ଅଶୋକ ପ୍ରତି ମୁହୂର୍ତ୍ତରେ ଶୁଶ୍ୱଥିଲା ଅନିତା କଣ୍ଠର ମଧୁର ଝଙ୍କାର ! ସତେ ଯେପରି ତା’ କାନ ପାଖରେ ଅନିତା କହୁଥିଲା, ପ୍ରିୟତମ ପୁଣି ଆସିବେ । ଥରେ ନୁହେଁ, ବହୁତ ଥର । ଏମିତି–ଏଁ– ? ଦିନେ ନୁହେଁ, ବହୁ ଦିନ.....

 

ସତ.... !!

 

ଏ ଦିନ ବିତିବ କିମିତି ?

Image

 

ଦୁଇ

 

ସଦାନନ୍ଦବାବୁ ବ୍ୟସ୍ତହୋଇ ଡାକି ଉଠିଲେ, ନାରଣ......ନାରଣ.....ନାରଣ ତରତର ହୋଇ ଆସି ପହଞ୍ଚିଲା ସଦାନନ୍ଦବାବୁଙ୍କ ପାଖରେ । ତା’ ହାତରେ ପେନ୍ଥାଏ ଚାବିକାଠି ।

କିରେ ତୁ କ’ଣ କରୁଥିଲୁ ? ମୂଲିଆ ଆସିଲେଣି ?

ହଁ, ଆଜ୍ଞା ।

ରାଜମିସ୍ତ୍ରୀ କେତେଜଣ ଆସିଛନ୍ତି ?

ଆଠ ଜଣ ।

ଯା, ସିମେଣ୍ଟ କୋଡ଼ିଏ ବସ୍ତା ବାହାର କରି ଦେ ।

ନାରଣ ଚାଲିଗଲା ଗୋଦାମ ଘରକୁ । ସଦାନନ୍ଦବାବୁ ସ୍ୱସ୍ତିର ନିଶ୍ୱାସ ନେଲେ.... !

ସଦାନନ୍ଦବାବୁ ନିଜର ସମସ୍ତ କାମ ଭୁଲି ଲାଗିପଡ଼ିଛନ୍ତି ଏହି ମହତ୍ତ୍ୱଭରା କାମରେ । ଦାତବ୍ୟ ଚିକିତ୍ସାଳୟ କୋଠା କାମ ସରିବା ଉପରେ । ବାଁ ପାଖକୁ ଆଶ୍ରମ କୋଠା ଅଧା ହୋଇ ଗଲାଣି । ଆଶ୍ରମ କୋଠା ନିକଟକୁ ଆଉ ଦୁଇଧାଡ଼ି ଘର ତିଆରି ହେଉଛି । ଲୋକେ ଲାଗିଛନ୍ତି । କାମ ଚାଲିଛି.....

ଏକା ଏକା କେତେ ଏବେ ଖଟିବେ ? ଯେଉଁ କାମ ନକରିବେ ସେ କାମ ହେବନି । ମୁଣ୍ଡ ଉପରେ ଗୁରୁ ଦାୟିତ୍ୱ । ଗ୍ରାମବାସୀମାନେ ସାହାଯ୍ୟ କରୁଛନ୍ତି ଅବଶ୍ୟ, ତଥାପି ତାଙ୍କୁ ବହୁତ ଖଟିବାକୁ ହେଉଛି । କାମ ଦାମ ତ ହେବ, ତେବେ ତାଙ୍କର ଆଉ ଗୋଟାଏ ଚିନ୍ତା–ଅନିତାର ବାହାଘର ପୁଣି ଅଶୋକ ସାଥିରେ । କିମିତି ହେବ, କ’ଣ ସେ କରିବ ! ଏ କଥା ବିନୋଦ ମହାପାତ୍ରଙ୍କୁ ଜଣେଇବା କଥା । ଜଣେଇବେ, ହେଲେ ଯଦି ସେ ଅରାଜି ହୁଅନ୍ତି କ’ଣ ହେବ ?

ମୈତ୍ରେ କ’ଣ..... ?

ତେବେ...... ?

ରଘୁଭାଇଙ୍କର ଅନ୍ତିମ ଆଶା ଅପୂରଣ ରହିଯିବ । ସଦାନନ୍ଦବାବୁଙ୍କ ମନ ଦବିଗଲା । ନା, ନା–ସେ ଯେକୌଣସିମତେ ରଘୁଭାଇଙ୍କ କଥା ରଖିବେ ।

ଅନିତା ଗତ ଛବିଣ ତାରିଖରେ ଖଣ୍ଡେ ଚିଠି ଦେଇଥିଲା । ଆଜକୁ ମାସେ ହେଲାଣି ଆଉ ଚିଠି ସେ ଦେଇନି । ଚିଠିରେ କାମ କେତେଦୂର ଗଲା, କିମିତି ଚାଲୁଚି, ଏଇପରି କେତେକଥା ଲେଖା ଥିଲା । ଆଉ ଏ ମଧ୍ୟରେ କିଛି ଖବର ଆସିନି, ସଦାନନ୍ଦବାବୁ କାମ ଆଡ଼କୁ ଆଗେଇଲେ ।

ଦଶଟା ବେଳେ ପାଇଲେ ଅନିତାର ଖଣ୍ଡେ ଚିଠି । ଆନନ୍ଦରେ ଅଧୀର ହୋଇ ଲଫାଫାଟି ଖୋଲି ପଢ଼ିଲେ ।

କଟକ

ତା୨୫–୨–୬୮

 

ମାନନୀୟ

 

ମାମୁ–

 

ମୋର ଭୂମିଷ୍ଠ ପ୍ରଣାମ ଗ୍ରହଣ କରିବେ । ସୁନନ୍ଦର ପ୍ରଣାମ ନେବେ । ମାଇଁଙ୍କୁ ମଧ୍ୟ ପ୍ରଣାମ ଜଣାଇବେ । ଗତ ୨୦ ତାରିଖରେ ମୁଁ ଆପଣଙ୍କ ଚିଠି ପାଇଛି ! ଏଠାରେ ବିନୋଦ ମହାପାତ୍ରଙ୍କ ପୁଅ ଅଶୋକ ଓ ଝିଅ ସୁନନ୍ଦା ସହିତ ଆମ ଭାଇ ଭଉଣୀ ଦୁହିଁଙ୍କର ଚିହ୍ନା ପରିଚୟ ହୋଇଯାଇଛି । କଥାଛଳରେ ଅଶୋକବାବୁ ଆଶ୍ରମ ଓ ଗ୍ରାମର ଉନ୍ମୟନ କାର୍ଯରେ ପ୍ରାଣପଣେ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ସୁନନ୍ଦା ନର୍ସିଂ ଟ୍ରେନିଂ ନେଉଛି, ତା’ର ମଧ୍ୟ ଇଚ୍ଛା ଯେ ସେ ଆଶ୍ରମରେ ସେବାକାର୍ଯ୍ୟ ଚଳାଇବ । ଏବେ ଅଶୋକବାବୁ କୃଷି ମହାବିଦ୍ୟାଳୟରେ ପଢ଼ୁଛନ୍ତି । ତାଙ୍କର ଏଇଟା ଶେଷ ବର୍ଷ । କୃଷି ଉନ୍ନୟନ କାର୍ଯ୍ୟକ୍ରମରେ ସେ ଦୃଢ଼ ପଦକ୍ଷେପ ନେବେ ବୋଲି ନିଜ ଖୁସିରେ ପ୍ରତିଜ୍ଞା କରିଛନ୍ତି । ସୁନନ୍ଦର ଆରବର୍ଷକୁ ଡାକ୍ତରୀ ପଢ଼ା ସରିଯିବ । ସୁନନ୍ଦା ମଧ୍ୟ ପାସ୍‍ କରିସାରିଥିବ । ଆଉ ଦେଢ଼ବର୍ଷ ମଧ୍ୟରେ ଆମେ ଗ୍ରାମକୁ ଫେରିଯିବୁ । ତେବେ ସେ ଏଇ ମଧ୍ୟରେ ଫେରିବେ ବୋଲି ଆଶା କରୁଛି । ମା’ ମଧ୍ୟ ଯିବେ । ଆଶାକରେ ସବୁକାମ ସୁରୁଖୁରୁରେ ଚାଲିଥିବ । ଆପଣଙ୍କ ଅକ୍ଳାନ୍ତ ପରିଶ୍ରମର ଫଳ ଫଳିବାକୁ ଆଉ ଅଳ୍ପଦିନ ବାକି ଅଛି । ହଉ, ଗ୍ରାମର ଲୋକମାନଙ୍କୁ ମୋର ପ୍ରଣାମ ଜଣାଇଦେବେ ।

 

। ଇତି ।

ସ୍ନେହର

ଅନିତା

 

ସଦାନନ୍ଦବାବୁ ଆନନ୍ଦରେ ଆତ୍ମହରା ହୋଇଉଠିଲେ । ଦରଗଢ଼ା ଦିଆଲ ଉପରେ ବସିପଡ଼ିଲେ ସେ । ଆଖି ଆଗରେ ତାଙ୍କର ନାଚିଉଠିଲା ରଘୁବାବୁଙ୍କ କଙ୍କାଳମୟ ଚେହେରା ଖଣ୍ଡିକ । ସତେ ଯେପରି ତାଙ୍କୁ ସେ କହୁଛନ୍ତି, ସଦାନନ୍ଦ ! ତୁ ବ୍ୟସ୍ତ ହେଉଛୁ କାହିଁକି ? ସବୁ କାମ ଆପେ ଆପେ ହୋଇଯିବ । ମୁଁ ତୋ ପଛେ ପଛେ ଅଛି । ଯେଉଁଠି ତୁ ହାରିଯିବୁ ସେଠି ମୁଁ ସେ କାମ ତୁଲେଇ ନେବି । କିନ୍ତୁ ମୁଁ ଯେଉଁଠି ହାରିବି ସେଠାରେ ଏ ଦୁନିଆର କୌଣସି ଲୋକ ଜିତିପାରିବ ନାହିଁ ।

 

ମନକୁ ମନ କହିଉଠିଲେ ସଦାନନ୍ଦବାବୁ ।

 

ରଘୁଭାଇ ! ତୁମେ ହାରିଯିବ ?

 

ପୁଣି ସେ ପର ମୁହୂର୍ତ୍ତରେ ଉତ୍ତର ପାଇଲେ–ହଁ ସଦାନନ୍ଦ, ମୁଁ ହାରିବି । ସେଇଠି, ଯେଉଁଠି ଅନିତାର ଜୀବନ-ନାଟକର ଶେଷ ହେବ ।

 

ରଘୁଭାଇ !

 

.....ହଁ ରେ ଭାଇ, ଆମେ ସମସ୍ତେ ହାରିଯିବା, ଜିତିବ ଏକା ଅନିତା । ସତାନନ୍ଦ ବାବୁ ବ୍ୟସ୍ତ ହୋଇପଡ଼ିଲେ । ସତେ ସେ ଏସବୁ କ’ଣ ଅନୁଭବ କଲେ ? ଏଗୁଡ଼ାକ ଅର୍ଥହୀନ କଥା–ତାଙ୍କ ମନର ଦୁର୍ବଳତା । ଅନିତା ସହିତ ଅଶୋକର ପରିଚୟ ହୋଇଛି । ଅଶୋକ ପ୍ରତିଶ୍ରୁତି ଦେଇଛି ନିଜ ଜୀବନକୁ ଉତ୍ସର୍ଗ କରିବ ଦେଶର ସେବାରେ । ସେ ହେବ ଆଦର୍ଶ ସେବକ, ଅନିତା ଯେ ଅଶୋକକୁ ବିବାହ କରିବ ଏ କଥା ନିରାଟ ସତ୍ୟ । ସେ ଏ ବିଷୟରେ ମହାପାତ୍ରଙ୍କୁ ଜଣାଇବେ । ମନାକଲେ ଅନୁରୋଦ କରିବେ । ଗୋଡ଼ ଧରିବେ, ହଁ–ସେ ଆଜି ମହାପାତ୍ରଙ୍କ ନିକଟକୁ ଯିବେ । ଆଜି ନୁହେଁ ଏଇକ୍ଷଣି । ସଦାନନ୍ଦବାବୁ ବାହାରି ପଡ଼ିଲେ ମହାପାତ୍ରଙ୍କ ଘର ଅଭିମୁଖେ ।

 

ମହାପାତ୍ରେ ଦାଣ୍ଡ ଘରେ ବସିଛନ୍ତି । ମନରେ ଅସରନ୍ତି ଭାବନା । ନିଜ କଲାକର୍ମ ପାଇଁ ଚିନ୍ତା କରି ଦୁର୍ବଳ ହୋଇପଡ଼ିଛନ୍ତି ସେ । ଯାହା ଭାବି ସେ ଏତେ ବଡ଼ ମହାପାପ କଲେ କ’ଣ ଅବା ପାଇଲେ ! ଏଇକଥା ଭାବି ଭାବି ମହାପାତ୍ରେ ବାର୍ଦ୍ଧକ୍ୟର ଶେଷ ଜୀବନରେ ଅନୁତାପର ନିଆଁରେ ଜଳି ପୋଡ଼ି ମରୁଛନ୍ତି । ରଘୁନାଥ ଚାଲିଗଲାପରେ ମଧ୍ୟ ଦାଉ ସାଧୁଛି । ତାଙ୍କ ଛାତି ଉପରେ ସଦାନନ୍ଦ ଗଢ଼ି ତୋଳିଛି ‘‘ରଘୁନାଥ ସେବାସଦନ ।’’ ରାଗରେ ଦୁଃଖରେ ନିଜ କଲା ପାପ ନିଆଁରେ ଜଳି ଉଠୁଥିଲା । ବିନୋଦ ମହାପାତ୍ରେ ଆଜି ତାଙ୍କ ମନରେ ଆଉ ଗୋଟିଏ ଘଟଣାର ଝଡ଼ ସୃଷ୍ଟି କରିଛି । କଥା ହେଲା ଅଶୋକର ବିଭାଘର । ସୁନନ୍ଦାର ବିଭାଘର । ଅଶୋକ ପାଖକୁ ଚିଠି ଦେଇ ମତାମତ ଲୋଡ଼ିଥିଲେ, ମନା କରିଦେଲା । ସୁନନ୍ଦାର ବିବାହ ସେ ନିଜେ ସ୍ଥିର କରିବ । ଚିଠିନେଇ ଆସିଥିବା ଲୋକଠାରୁ ବୁଝିଲେ ରଘୁନାଥର ପୁଅ ଝିଅଙ୍କ ସହ ଅଶୋକ ସୁନନ୍ଦାର ପରିଚୟ ହୋଇଛି ।

 

ସେ ଆଶ୍ଚର୍ଯ୍ୟ ହେଲେ । ରଘୁନାଥର ପୁଅ ଡାକ୍ତରୀ ପଢ଼ୁଛି । ଝିଅ ମଧ୍ୟ ଶିକ୍ଷିତା । ଧନ୍ୟ ରଘୁନାଥ । ଧନ୍ୟ ତୋର ଧର୍ମବଳ । ତୁ ନ ଥାଇ ମଧ୍ୟ ରାସ୍ତାର ଭିକାରି ପିଲା ଆଜି ମଣିଷ ଭଳି ମଣିଷ ହୋଇ ଦୁନିଆ ଦାଣ୍ଡରେ ଚାଲି ପାରୁଛନ୍ତି ।

 

ମନେପଡ଼ୁଛି ରଘୁନାଥଙ୍କର ଏକ ନିବେଦନ–ଅଶୋକ ସହିତ ଅନିତାର ବିବାହ । ସେତେବେଳେ ସେ ମନା କରିଦେଇଥିଲେ । ସେ କିନ୍ତୁ ଅଛନ୍ତି, ରଘୁନାଥ ନାହିଁ । ସ୍ୱର୍ଗରେ ଥାଇ ରଘୁନାଥ ଅପେକ୍ଷା କରିଥିବ ଅନିତା ସହ ଅଶୋକର ମିଳନ ଦେଖିବା ପାଇଁ, କିନ୍ତୁ କ’ଣ ସେ କରିବେ ? କିଛି କୂଳ କିନାରା ନ ପାଇ ମଝି ସମୁଦ୍ରରେ ଉବୁଟୁବୁ ହେଉଥିଲେ ବିନୋଦ ମହାପାତ୍ରେ-। ଟେବୁଲ ଉପରେ ମଥାରଖି ସେ ଭାବୁଥିଲେ । ହଁ, କେବଳ ଭାବନା ଥିଲା ତାଙ୍କର ଏକମାତ୍ର ପନ୍ଥା ।

 

ସଦାନନ୍ଦବାବୁ ପହଞ୍ଚି ଦେଖିଲେ ମହାପାତ୍ରେ କ’ଣ ଚିନ୍ତା କରୁଛନ୍ତି । ଧୀର ଗଳାରେ ଡାକିଲେ–‘‘ବିନୋଦ ବାବୁ ।’’ ମହାପାତ୍ରେ ଭାବନା ରାଇଜରୁ ଫେରିପଡ଼ି କହିଉଠିଲେ, କିଏ ? ଓ ସଦାନନ୍ଦ, ବସ ବାପ, ଆରେ କିଏ ଅଛି–ପାନ, ଚା’ ଆଣ ।

 

କୃତଜ୍ଞତା ପ୍ରକାଶ କରି ସଦାନନ୍ଦବାବୁ କହିଲେ, ନା ଥାଉ, କିଛି ଦରକାର ନାହିଁ । ମୁଁ ଇମିତି ଆପଣଙ୍କ ପାଖକୁ ବାହାରି ଆସିଲି ।

 

କ’ଣ କୁହ ?

 

ଆପଣ ବ୍ୟସ୍ତ ଥିଲାପରି ଜଣା ପଡ଼ୁଛନ୍ତି । କ’ଣ ଆଉ କହିବି ? ମୁଁ ଯାଉଛି । ସୁବିଧା ଦେଖି ପରେ ଆସିବି ।

 

ଆରେ ନାଇଁ, କିଛି ଭାବିବା ଦରକାର ନାହିଁ । କ’ଣ କହିବ କୁହ, ମୁଁ ବେଶ୍‌ ସୁସ୍ଥ ଅଛି ।

 

କଥା କ’ଣ କି, ରଘୁଭାଇଙ୍କର ଇଚ୍ଛା ଥିଲା, ଆଉ ସ୍ୱପ୍ନରେ ମଧ୍ୟ ମୋତେ କହିଥିଲେ–ସଦାନନ୍ଦବାବୁ ଅଟକି ଗଲେ ।

 

ମହାପାତ୍ର ସଦାନନ୍ଦଙ୍କ ମୁଖରୁ ରଘୁନାଥଙ୍କ ନା ତାଙ୍କ କାନରେ ଶୁଣି ଚମକି ଉଠି କହିଲେ–ରଘୁ କ’ଣ କହିଥିଲା ? କୁହ, କୁହ, ରହିଗଲ କାହିଁକି ?

 

ନାଇଁ ସେମିତି କିଛି ନୁହେଁ । ତେବେ.....

 

ଆରେ ଡରୁଛ କି ? ଏ ଘର କ’ଣ ତମ ଘର ନୁହେଁ ? ଯାହା କହିବାକୁ ଆସିଛ କୁହ ।

 

ଆପଣ ରଖିଲେ ସିନା କହିବି ।

 

ଓହୋ, ନ କହିଲେ ରଖିବା କଥା କେମିତି କହିବି ?

 

ହଉ ଆପଣଙ୍କୁ ମୋର ଅନୁରୋଧ, ଅଶୋକ ସହିତ ଅନିତାର ବିବାହ ଦିଅନ୍ତୁ ।

 

ଅନିତା ?

 

ରଘୁ ଭାଇଙ୍କ ଝିଅ, ମୋର ଭାଣିଜୀ ।

 

ମହାପାତ୍ରେ ନୀରବ ରହିଲେ । ଯାହା ଭାବି ସେ ସ୍ଥିର କରିପାରୁନଥିଲେ ସଦାନନ୍ଦଙ୍କ ମୁହଁରେ ସେଇ କଥାର ଆଭାଷ । କ’ଣ ଅବା କର୍ତ୍ତବ୍ୟ, ହଁ–ସେ ସଦାନନ୍ଦ କଥା ରଖିବେ । ଅଶୋକ ସଙ୍ଗେ ଅନିତାର ବିବାହ ତାଙ୍କର ସମ୍ପୂର୍ଣ୍ଣ ମତ ବୋଲି ଜଣାଇ ଦେବେ । ମହାପାତ୍ରଙ୍କୁ ନୀରବ ରହିବାର ଦେଖି ସଦାନନ୍ଦ କହିଲେ, କିଛି କହିଲେ ନାହିଁ ତ ?

 

କିଛି ଆଉ କ’ଣ, ମୋର ମଧ୍ୟ ଇଚ୍ଛା ଯେ ମୁଁ ଅନିତାକୁ ବୋହୂ କରି ଘରକୁ ଆଣିବି ।

 

ସଦାନନ୍ଦବାବୁ ଆନନ୍ଦରେ ମହାପାତ୍ରଙ୍କୁ କୁଣ୍ଢାଇ ପକାଇ କହିଉଠିଲେ, ବିନୋଦ ବାବୁ ! ଆପଣଙ୍କ କରୁଣା ମୁଁ ଜୀବନରେ ଭୁଲି ପାରିବି ନାହିଁ । ଆପଣଙ୍କ ପାଖରେ ମୋର ଆଉ ଗୋଟିଏ ଅନୁରୋଧ ଅଛି । ତାହା ହେଉଛି, ରଘୁନାଥ ପଟ୍ଟନାୟକଙ୍କ ଅମର ସ୍ମୃତିର ପ୍ରତୀକ ‘‘ରଘୁନାଥ ସେବା ସଦନ’’ର ନିର୍ମାଣ କାର୍ଯ୍ୟରେ ଆପଣଙ୍କ ସହଯୋଗ । ଆଶାକରେ ଆପଣ ନିଶ୍ଚୟ ସାହାଯ୍ୟ କରିବେ ।

 

ମହାପାତ୍ରେ ଅଳ୍ପ ହସି କହିଲେ, ତୁମେ ବଡ଼ ଅଡ଼ୁଆରେ ପକାଇଲ । ହଉ, ଯେତେବେଳେ ସମୟ ପାଇବି ନିଶ୍ଚୟ ସାହାଯ୍ୟ କରିବି ।

 

ସଦାନନ୍ଦବାବୁ ଆନନ୍ଦ ମନରେ ପରଲୋକଗତ ରଘୁବାବୁଙ୍କୁ ଆନ୍ତରିକ ପ୍ରଣାମ ଜଣେଇ ଫେରିଲେ । ମହାପାତ୍ରେ ଭଗବାନଙ୍କ ଉଦ୍ଦେଶ୍ୟରେ କହିଉଠିଲେ–ପ୍ରଭୁ ! ମୋତେ କ୍ଷମା କର ।

 

ତିନି

 

ଗାଁ ଶେଷମୁଣ୍ଡ ବରଗଛ, ଗଛତଳେ ଛୋଟ କୁଡ଼ିଆଟିଏ । କୁଡ଼ିଆର ବାଉଁଶ କବାଟକୁ ଆଉଜି ବସିଛି ମକରା, ଦେହରେ ବଡ଼ରୋଗରେ ଅସହ୍ୟ ଯନ୍ତ୍ରଣା । ଅସହଣି ବ୍ୟଥାରେ ସେ ଆଜି ଜର୍ଜରିତ । ଗ୍ରାମରୁ ସାହି ଭାଇଏ ତାକୁ ବାହାର କରିଦେଇଛନ୍ତି, ଆଶ୍ରୟ ନେଇଛି ଏଇ ବରଗଛ ମୂଳରେ । ବିନା ଆପତ୍ତିରେ ଆଶ୍ରୟ ଦେଇଛି ଥୁଣ୍ଟା ବରଗଛଟା । ଗୋଟାଏ ବର୍ଷ ବିତିଗଲାଣି । ରୋଗର ପରିଶର ବୃଦ୍ଧି ପାଇଛି । ହାତର ଆଙ୍ଗୁଳିଗୁଡ଼ିକ ବଙ୍କା ହୋଇ ଗଲାଣି । ନାକଟା ପଦାକୁ ବାହାରି ପଡ଼ିଲାଣି । ଦେହରେ ମନ୍ଦାମନ୍ଦା ନାଲିରଙ୍ଗର ଛଉ । ଆଜି ସେ ସର୍ବହରା । ମା’ ଥିଲା, ବିଚରା ଗଲା । ଏଇଦିନ ଆଖି ବୁଜିଲା, ନିଜକର୍ମ ଆଦରି ମକରା ବଞ୍ଚିଛି । ଗୋଟାଏ ଅନାବଶ୍ୟକ ମଣିଷ ସିଏ......ହାୟ ଭାଗ୍ୟ !!

 

ମକରା ଆକାଶକୁ ଅନାଇ ବସିଛି । ମନରେ ପିଛିଲା କଥାର ଢେଉ ତାକୁ ଠେଲି ଦେଉଛି ଆଗକୁ, ଖୁବ୍‌ ଆଗକୁ । ତା’ କୁଡ଼ିଆ ଆଗରେ ଗାଁ ମଶାଣି । ଏଇ ମଶାଣିରେ ସେ ଦିନେ ରାତିରେ ରଘୁନାଥକୁ ଗଡ଼ାଇଦେଇ ବୀରଦର୍ପରେ ମକରା ମହାପାତ୍ରଙ୍କ ବାହୁଛାୟାତଳେ ନିର୍ଭୟରେ ଦିନ କାଟିଥିଲା । କାଟୁଥିଲା ଦିନଗୁଡ଼ିକୁ ମହା ଆରାମରେ । ନିଜ ବାହୁବଳରେ ଅସଂଖ୍ୟ ଚୋରି କରି ବେଶ୍‌ ସୁଖରେ ଦିନ କାଟୁଥିଲା । କିନ୍ତୁ ଧରମ ସହିଲା ନାହିଁ । ତା’ ଦେହରେ ଦେଖାଦେଲା ଦୁରାରୋଗ୍ୟ କୁଷ୍ଠ । ପୁଅର ଦୁଃଖ ଦେଖି ବୁଢ଼ୀମା’ ଶେଷ ନିଶ୍ୱାସ ତ୍ୟାଗକଲା । ସାନ ଭାଇ ଆଗରୁ ତଡ଼ିଦେଲେ । ତାକୁ ସବୁ ଅନ୍ଧାର ଦିଶିଲା । ଆଶାଭରସା ବିନୋଦ ମହାପାତ୍ରେ । ତାଙ୍କ ପାଖକୁ ଗଲା । ସେ କହିଲେ–ମକରା, ମୁଁ କ’ଣ କରିବି । ଗାଁ ଲୋକେ ତ ମୋତେ ରଖେଇ ଦେଉ ନାହାନ୍ତି-। ଆଉ ତୋତେ ମୁଁ କେଉଁଠି ରଖିବି ? ତୁ ଯା’ ସେଇଠିକି, ସେ ବରଗଛ ପାଖକୁ । ମୋ ଜମିରେ କୁଡ଼ିଆ କରି ରହ । ଦରକାର ବେଳେ ଆସି ସେରେ ଅଧେ ନେଇ ଚଳିଯା । ଈଶ୍ୱରଙ୍କ ନାମ ଗାୟନ କର ଯା–

 

ନିରାଶ ହୋଇ ମକରା ଫେରିଲା ଗେଡ଼ ମାମୁଙ୍କ ପାଖକୁ । ଗେଡ଼ ମାମୁ ପିଣ୍ଡାରେ ବସି ବାଣି କାଟୁଥିଲେ । ମକରାକୁ ଦେଖି କହିଉଠିଲେ–ଆରେ କିଏ, ମକୁ । ଆ ବାପ ଆ । ମକରା ପିଣ୍ଡାକୁ ଉଠି ଯାଇଥିଲା, କିନ୍ତୁ ଧାର୍ମିକ ଗେଡ଼ ମାମୁ ତାକୁ ଚାହିଁ କଅଁଳ କଣ୍ଠରେ କହିଲେ–ବାପା ମକୁ,ସେଇ ତଳେ ବ, ନିଉଛୁଣା ରୋଗଟା ହୋଇଛି ପରା, ଦାଣ୍ଡରେ ବସ । ଆରେ ତୁ ମୋର ପର ନୁହଁରେ, ନିଜର ରକ୍ତ । ହେଲେ ନିଉଛୁଣା ରୋଗଟା ହୋଇଛି ନା, ସେଥିପାଇଁ କହିଲି.....ହେଁ......

 

ମକରା ନିରାଶରେ ଦାଣ୍ଡରେ ଠିଆହେଲା । ଗେଡ଼ ମାମୁ କହିଲେ, କୁଆଡ଼େ ଆସିଲୁ ? ମକରା କହିଲା, ଗାଁ ଲୋକେ ମୋତେ ତଡ଼ି ଦେଉଛନ୍ତି । ତମେ ଏଇ ଗାଁ ଲୋକ । କହିବାର କଥାହେଲା ମୋତେ ମୋ ଘରେ ରହିବାର ଅନୁମତି ମିଳୁ ।

 

ଗେଡ଼ ମାମୁ ବାଣି ତାକୁଡ଼ିକୁ ଘୂରାଉ ଘୂରାଉ କହିଲେ–ବୁଝିଲୁ ମକୁ, ତୋ କଥା ବୁଝିଲି-। ହେଲେ ବାପ ! ଓଃ କ’ଣ ତୋତେ ଅବା କହିବି ? ଆପଣାର ଲୋକଟା ତୁ । ତେବେ, ପଞ୍ଚ ପରମେଶ୍ୱର ଯେଉଁ ନିଷ୍ପତ୍ତି ନେଉଛନ୍ତି ସେଥିରେ ମୋର କହିବାର କିଛି ନାହିଁ । ଏଇଟା ହେଲା ନିଶାପ କଥା । ଦାଣ୍ଡର ନ୍ୟାୟ......ତୁ ମନରେ ଅନ୍ୟ କିଛି ଚିନ୍ତା କରନା, ମୁଁ ତୋ ମଙ୍ଗଳ ପାଇଁ, ତୋତେ ଗ୍ରାମରେ ରଖିବା ପାଇଁ ବହୁତ ଚେଷ୍ଟା କଲି,–ହେଲେ ଗାଁ ଲୋକେ ମୋ କଥା କାଟିଦେଲେ । ନେଙ୍କା ପୁଅ ‘ବନୁ’ଟା ଏକଜିଦ୍‌ କଲା–ନା, ମକରା ବଡ଼ରୋଗୀଟା । ଆମ ଗ୍ରାମରେ ରହିବ ? ୟହାଳି ପୁଅ ନୂଆ ମେମ୍ବର ହୋଇଛି.....ମୁଁ ଆଉ କ’ଣ କରନ୍ତି କହିଲୁ ? ଶେଷକୁ ନିରାଶ ହୋଇ ଫେରିଲି । ହଁ.. ପୁଅ, ତୁ ଚିନ୍ତା କରନା, ଆସୁଥିବୁ–ସେରେ ଅଧେ ନେଇ ଚଳି ଯାଉଥିବୁ, ଯା.....ବାପ ମକୁ....ଯା....ଏଇତ ବାପ ନିଜ କଲା କରମରେ ବାପ......

 

ଆହା ମକରା......

 

ଆଖିରୁ ଲୁହ ପୋଛି.....

 

ନିଜ କଲା କର୍ମର ପାପକୁ ମୁଣ୍ଡରେ ଧରି.....

 

ଆପଣା ଦୁଃଖକୁ ଆପେ ଭୋଗିବ ପାଇଁ.....

 

ଏଇ ପୋଖରୀ ହୁଡ଼ାରେ ଥିବା ବରଗଛ ମୂଳେ.....

 

ଶ୍ମଶାନର ମୁଖଶାଳାର ଏକ ଛୋଟ କୁଡ଼ିଆ କରି.....

 

ନିଜକୁ ସାଇତି ରଖିଛି.....

 

ବର୍ଷ ଗୋଟାଏ ବିତି ଗଲାଣି । ହଁ.....

 

ଗୋଟିଏ ବର୍ଷ....

 

ରୋଗର ପରିସର ଆହୁରି ବଢ଼ି ଯାଇଛି । ହାତର ଆଙ୍ଗୁଠିଗୁଡ଼ାକର ଚିହ୍ନ ମଧ୍ୟ ନାହିଁ । ବସିଛି ମକରା । ମନେପଡ଼ୁଛି ସନେଇ ଭାଇ କଥା.....

 

ଡ୍ରାଇଭର ସନେଇ ଆଜି ଦାଣ୍ଡର ଭିକାରି । ଜିପ୍ ଦୁର୍ଘଟଣାରେ ଗୋଡ଼ ଭାଙ୍ଗିଗଲାପରେ, ପର ଦୁଆରେ ହାତ ପାତିବା ଛଡ଼ା ଆଉ ତା’ର କି ଭପାୟ ଥିଲା ? ବାଉରି ଘର ପୁଅ ସନେଇ । ଘରେ ତା’ର ସ୍ତ୍ରୀ ଫୁଲ, ଝିଅ ମାଳ । ଫୁଲ ଏବେ ୟା’ ତା’ ଘରେ ଙ୍କି ମାଢ଼ିଚି ସେରେ ଆଣୁଛି । ଆଉ ଝିଅ ମାଳ.....ମାଳ ଏଇବର୍ଷ ମାଇନର ପାସ୍‍କରି ଘରେ ଅଛି । ବଢ଼ିଲା ଝିଅ ଆଉ ପଢ଼ିଲେ କ’ଣ ଶୋଭା ହେବ ? ଫୁଲ ନାକ ଛିଞ୍ଚାଡ଼ିଲା । ସନେଇ ବାଧ୍ୟହୋଇ ମୁଣ୍ଡ ହଲାଇଲା । ମାଳ ଘରେ ଅଛି । ଯୁବତୀ ସେ, ସୁନ୍ଦରୀ ତନ୍ୱୀ ସେ ।

 

ସନେଇ ବାଡ଼ିରେ ଆସରା କରି ଯାଏ–ଭିକ ମାଗିବାକୁ । ଫୁଲ ବିଲ ବାଛେ, ପର ଘର ଲିପେ । ଧାନ କୁଟେ, ଫେରେ ମାଈସଞ୍ଜ ବେଳକୁ, ମାଳ ରୋଷେଇ କରେ । ଏଇମିତି ସନେଇ ଦିନ କାଟେ । ସକାଳୁ ଯାଏ–ଯାହା ଆଣେ ସେଥିରେ ଚଳେ–ପୁଣି ଯାଏ ସକାଳକୁ–ଏମିତି ଚାଲେ ସବୁ ଦିନେ–

 

ମକରା ଆଜି ଭାବୁଛି–କାହିଁ ସେଦିନ । କେଉଁଆଡ଼େ ଉଭେଇ ଗଲା ସନେଇ, ନେତୁ ସାଙ୍ଗରେ ମିଶି ଚୋରୀ କରିବା କାର୍ଯ୍ୟ । ମାଳି ବ୍ରାହ୍ମଣୀର ଅଭିଶାପ ଆଜି ଅକ୍ଷରେ ଅକ୍ଷରେ ସତ ହୋଇଛି । ମାଳି ବ୍ରାହ୍ମଣୀ ନାହିଁ, ରଘୁବାବୁ ମଧ୍ୟ ନାହାଁନ୍ତି–ଓଃ, ଦେହଟା ଶୀତେଇ ଉଠୁଛି । ଏଇ ହାତରେ–ଦରମରା ରୋଗଣା ରଘୁବାବୁଙ୍କୁ ସେ ଶେଷ କରିଦେଇଥିଲା । ରଘୁବାବୁ ନାହାନ୍ତି । ଆଜି କିନ୍ତୁ ସେ ଅଛି, ସନେଇ ଅଛି । ସେ ଦୁହେଁ ଥିବେ ସେହିଦିନ ପର୍ଯ୍ୟନ୍ତ–ଯେ ପର୍ଯ୍ୟନ୍ତ ତାଙ୍କର ପାପର ପ୍ରାୟଶ୍ଚିତ ନ ହୋଇଛି । ମକରା ନିଜ ମନକୁ ପ୍ରଶ୍ନ କଲା–ମୁଁ ଏତେଗୁଡ଼ାଏ ଅପକର୍ମ କରି କ’ଣ ପାଇଲି । ଉତ୍ତର ସେ କିଛି ପାଏନା......

 

ଘର ଢିଅ ଖଣ୍ଡିକ ଥିଲା, ତାକୁ ଏବେ ଗେଡ଼ ମାମୁ ନିଜ ନାମରେ ଲେଖେଇ ନେଇଛନ୍ତି-। ଗେଡ଼ ମାମୁ ! ଯେଉଁ ଗେଡ଼ ମାମୁଙ୍କ ମୁହଁର କଥାରେ ସେ ସମ୍ଭବକୁ ଅସମ୍ଭବ ଓ ଅସମ୍ଭବକୁ ସମ୍ଭବ ରୂପ ଦେଉଥିଲା, ଯାହାର ଆଦେଶରେ ସେ ବହୁ ଲୋକଙ୍କ ମନରେ ଦୁଃଖ ଦେଇଥିଲା, କେତେ ଲୋକଙ୍କର ଧନଦୌଲତ୍‍ ବୋହିନେଇ ଗେଡ଼ ମାମୁଙ୍କ ଘରେ ଭର୍ତ୍ତି କରିଦେଉଥିଲା, କଂସା ବାସନ, ହଣ୍ଡା, ଲୁହାଛଡ଼, ସିମେଣ୍ଟ, କାଠ ଏପରିକି ବିଲରୁ ଧାନ, ହଳାରୁ ଛଣ, ପୋଖରୀରୁ ମାଛ ମଧ୍ୟ ମକରା ସନେଇ ନେଇ ଗେଡ଼ ମାମୁ ଘରେ ପୂରେଇ ଥିଲେ, ଆଜି ସେ ଘୃଣାରେ ନାକ ଟେକୁଛନ୍ତି ।

 

ବିନୁ କଥା......

 

ନେତୁ କଥା.....

 

ବିନୁ ମହାଚାଲାକ, ମକୁଦ୍ୱାରା ସେ ବହୁତ କାମ କରାଇ ନେଇଛି । ଆଉ ବିନୁ ମେମ୍ବର-। ତା’ଭଳି ଶହେରୁ ଅଧିକା ସେ । ନିମକହାରାମ ମକୁର ବାଲ୍ୟସାଥୀ, ଆଜି ତାକୁ ଦେଖିଲେ ଆଡ଼େଇ ହୋଇଯାଉଛି । ନିଶରେ ହାତ ମାରି ମାମଲତକାର ବୋଲେଇଚି । ନେତୁ ବିଚରା ଗରିବଟା । ଛାଡ଼ ତା’ କଥା । ମନେମନେ ଗେଡ଼ ମାମୁ, ବିନୋଦ ମହାପାତ୍ର ଓ ବିନୁ ଉପରେ ଚିଡ଼ି ଉଠିଥିଲା ମକରା । ଏଇ ମୁହୂର୍ତ୍ତରେ ଏଗୁଡ଼ାକର ଗଳା ଚିପି ସେ ମାରିଦେଇ ପାରନ୍ତା-

 

ମକରା କାନ୍ଦୁଥିଲା । ତୁହାଇ ତୁହାଇ ଆଉ ଅଭିଶାପ ଢାଳୁ ଥିଲା । କିନ୍ତୁ ତା’ ମନରେ ସେ ଭାବୁଥିଲା ଗେଡ଼ ମାମୁ ଅଛନ୍ତି, ଅଛନ୍ତି ବିନୋଦ ମହାପାତ୍ରେ, ନିଜେ ସେ ମଧ୍ୟ ଅଛି, କିନ୍ତୁ ନାହିଁ କେବଳ ଦେହର ତାକତ, ମନର ସାହସ, ସବୁ ଲିଭିଯାଇଛି ସତ୍ୟାନାଶୀ ରୋଗର କବଳରେ । ଆଃ ଭଗବାନ, ଭଗବାନ ମୁକ୍ତି ଦିଅ ।

 

ଆଖିରୁ ଲୁହ ପୋଛିଲା ମକରା । ସଞ୍ଜବେଳ ହୋଇଗଲାଣି । ସେ ଉଠି ଡିବିରି ଲଗାଇଲା । ନିଶୁନ୍ ମଶାଣିଟା ଖାଁ-ଖାଁ ଲାଗୁଛି । ଏକୁଟିଆ ସେ ମଶାଣିରେ । ଯେଉଁଠି ଚିରନିଦ୍ରାରେ ଶୋଇଯାଇଛନ୍ତି ଏଇ ଗ୍ରାମର ଶହ ଶହ ଲୋକ । ଆଉ ଶେଷରେ ଆଖି ବୁଜିଛନ୍ତି ରଘୁନାଥ ପଟ୍ଟନାୟକ । ଚମକି ଉଠିଲା ସେ । ରଘୁବାବୁଙ୍କ ଶେଷ ଅନୁରୋଧ ତା’ର ମନେପଡ଼ୁଛି । ଶିହରି ଉଠିଲା ସେ । ମକରାର ଆଖି ଆଗରେ ଭାସି ଉଠିଲା ଅନିତାର ଲୁହବୁହା ମୁଖ ଖଣ୍ଡକ । ସେ ଆଉ ଭାବିପାରୁନି । ଈଶ୍ୱରଙ୍କ ଉଦ୍ଦେଶ୍ୟରେ ହାତ ଉଠାଇଲା ମକରା । ଭଗବାନ ! କ୍ଷମାକର, ମୋତେ ମୁକ୍ତି ଦିଅ ପ୍ରଭୁ ! ମୂର୍ଖ ମଣିଷଟାଏ ମୁଁ । ମୁକ୍ତି ଦିଅ ମୋତେ, ମୁକ୍ତିଦିଅ ପ୍ରଭୁ !

 

ରାତି ଆଠଟା ହେଲାଣି । ସନେଇ ଫେରୁଛି ନଈ ଆର ପାଖ ଗ୍ରାମରୁ । ହାତରେ ବାଡ଼ି ଓ କାନ୍ଧରେ ପଡ଼ିଛି ଚାଉଳଭରା ମୁଣିଟି । କୁଡ଼ିଆରୁ ବାହାରି ମକରା କହିଲା, କିଏ ସନେଇ ଭାଇକି-? ହଁରେ ମକରା, ମୁଁ ସନେଇ । ଏତକ କହି ସେ ଆଗେଇଲା । ସନେଇକୁ ପଛରୁ ଡାକି ମକରା କହିଲା, ଭାଇ ମୁଠାଏ ଦିଅନ୍ତୁକି, ଫୁଟାଇଦିଅନ୍ତି । ସନେଇ ଥମିଗଲା । କିଛି ଶୁଣିପାରିଲା ନାହିଁ ବୋଧେ । ପୁଣି ପ୍ରଶ୍ନ କଲା, କ’ଣ କହିଲୁ ? ମକରା ଟିକିଏ ଆଗକୁ ଯାଇ ପୂର୍ବକଥାର ପୁନରାବୃତ୍ତି କଲା, ସନେଇ କିଛି ନ କହି ଆଗକୁ ମାଡ଼ିଚାଲିଲା । ନିରାଶରେ ଫେରିଲା ସେ ପେଟର ଭୋକ, ଦେହ ଅବଶ, ଛିଣ୍ଡା ମଶିଣାଟା ଲମ୍ବାଇ ଦେଇ ଗଡ଼ିଗଲା ମକରା । ମନରେ ଭାବିଲା ସନେଇ କଥା-। ମୁଠାଏ ଚାଉଳ ଦେବାକୁ ସେ ଆଜି ଅମଙ୍ଗ । ହଉ, ଯାହା କର୍ମରେ ଥିବ, ସେୟା ହେବ-। କମଳଟିକୁ ଦେହ ଉପରକୁ ଟାଣି ନେଇ ଶୋଇଗଲା ହତଭାଗ୍ୟ ମକରା । ହାଏ ଭାଗ୍ୟ !

 

ସେ ଶୋଇଯାଇଛି ଭୋକିଲା ପେଟରେ ! ଦୁଃଖର ପ୍ରଳୟଙ୍କର ଝଡ଼ରେ । ମକରା ଆଜି ସର୍ବହରା ଭିକ୍ଷୁକ, କିନ୍ତୁ ଅନୁତପ୍ତ ସେ । ଅନୁତାପର ଅଗ୍ନିଶିଖାରେ ସେ ଜଳି ପୋଡ଼ି ହନ୍ତସନ୍ତ ହୋଇ ମରୁଛି । ସନେଇ ମକରା ଏକା ମା’ ପେଟରୁ ଜନ୍ମ ନ ହେଲେ ମଧ୍ୟ ଏକା ଭାଇ ପରି ମିଳିମିଶି ସାଙ୍ଗ ସୁଖରେ ଅନେକ ଦିନ ବିତାଇଥିଲେ । ମହାପାତ୍ରଙ୍କ କଥାକୁ ପାଦୁକ ପରି ମନେକରି ଯେକୌଣସି ନିନ୍ଦନୀୟ କାମକରି ଚାଲିଥିଲେ । ମହାପାତ୍ରଙ୍କ ଆଖିର ଇଙ୍ଗିତରେ ଅସମ୍ଭବକୁ ସମ୍ଭବ ରୂପଦେଇ ମହାଦେବଙ୍କ ଷଣ୍ଢଭଳି ଗର୍ଜନ କରି ଗରୁଡ଼କୁ ଧମକାଉଥିଲେ । ଯାହା ରୋଜଗାର କରୁଥିଲେ ସେତକ ଉଡ଼ୁଥିଲା ମଦଭାଟିରେ ।

 

କିନ୍ତୁ ଆଜି ଦୁଇବନ୍ଧୁ ପଥର ଭିକାରି, ଅର୍ଥହୀନ କାଙ୍ଗାଳ । ଘୃଣାର ପାତ୍ର । କିନ୍ତୁ କାହିଁକି-? କାହିଁକି ? କାହିଁକି ତାଙ୍କର ଏ ଅବସ୍ଥା ? ଏ ପ୍ରଶ୍ନର କେବଳ ଗୋଟିଏ ଉତ୍ତର ହେଉଛି ଯାହା କରିବ ସେୟା ପାଇବ । ଉଧାର ସେରକ ତିନିପା ହୁଏନି.....ହୁଏ ପାଞ୍ଚପା....

 

ମକରା ଶୋଇଛି ! ରାତି ଦଶଟା ହୋଇଗଲାଣି । ନିଦ ତା’ର ଭାଙ୍ଗିଗଲା । ପେଟରେ ଭୋକର ତାଣ୍ଡବଲୀଳା । ନିଦ ଆସିବ କେଉଁଠୁ ? ଓଃ, ମୁନ୍ଦାଏ ବାସି ତୋରାଣି ହୁଅନ୍ତାକି..... ! କିନ୍ତୁ......

 

ମକରା ଉଠି ବସିଲା । ଅସହାୟ ଭାବରେ ଚାହିଁରହିଲା ମଶାଣି ମଝିକି । ମଶାଣି ମଝି ରାସ୍ତାରେ ଆଲୁଅ ଜଳୁଛି । ତାଟିଟାକୁ ଟେକିଦେଇ ପଦାକୁ ବାହାରି ପଡ଼ିଲା ସେ । ଡାକେ ଦୂରରେ ଆଲୁଅ ଦିଶୁଛି । ବୋଧେ କିଏ ଆସୁଛି ।

 

ଅପେକ୍ଷା କରି ଏକଲୟରେ ଅନାଇ ରହିଲା ସେ । ଆଲୋକଟି ନିକଟରୁ ନିକଟତର ହେଲା । ମକରାର କୁଡ଼ିଆ ପାଖରେ ପହଞ୍ଚିଲା ରିକ୍ସାଟି ।

 

ମକରା ପଚାରିଲା କୁଆଡ଼େ ଯିବ ? ରିକ୍ସାରେ ବସିଥିବା ଭ୍ରଦଲୋକ ଉତ୍ତର ଦେଲେ ଏଇ ଗାଁ’କୁ ।

 

ଏଇ ଗାଁ’କୁ ? ମକରା ମନରେ ପ୍ରଶ୍ନବାଚୀ । ଭଦ୍ରଲୋକ କହିଲେ–ବିନୋଦ ମହାପାତ୍ରଙ୍କ ଘରକୁ ମୁଁ ଯିବି । ....ବିନୋଦ ବାବୁଙ୍କ ନା ଶୁଣି ମକରା ସାହସ କରି ପଚାରିଲା, କେଉଁଠୁ ଆସିଲେ ?

 

ରିକ୍ସା ଆରୋହୀ ମକରାକୁ ଚିହ୍ନିପାରି କହିଉଠିଲେ–କିଏ ମକରା ଭାଇ କି ? ଆନନ୍ଦ ହୋଇ ମକରା କହିଲା, ଏଁ, ଅଶୋକବାବୁ ପରା, ଏତେ ରାତିରେ ଆସୁଛ ? ରାତିକାଳ, କେତେବେଳେ କେଉଁ କଥା......

 

ସମବେଦନା ଜଣେଇ ଅଶୋକ କହିଲା, ରାତି ବେଶୀ ହୋଇନି ମ ? ହଁ, ସବୁ ଭଲ ତ-?

 

ଆଉ କି ଭଲ ଅଶୋକବାବୁ, ଦିନେ ଖାଇଲେ ପାଞ୍ଚଦିନ ଉପବାସ । ଆଜି ସକାଳୁ କିଛି ଖାଇନି । ଯଦି କିଛି ଦୟା କରନ୍ତି–

 

ଅଶୋକ ସାଙ୍ଗରେ ଆଣିଥିବା କିଛି କମଳା ଲେମ୍ବୁ ମକରାକୁ ଦେଇ ଆଗେଇଲା । ପଛରୁ ଡାକି ମକରା କହିଲା, କାଲି ଦେଖା ହେବ ତ ? ମୋର ବହୁତ କଥା କହିବାର ଅଛି । ମକରା କଥା ସେ ନିଜେ ଶୁଣିଲା ସିନା, କିନ୍ତୁ ଅଶୋକ ଶୁଣିପାରିଲା ନାହିଁ । ନିରାଶ ବଦନରେ କୁଡ଼ିଆ କବାଟ ବନ୍ଦ କଲା ସେ । ରାତି ଯୁବକରୁ ବାର୍ଦ୍ଧକ୍ୟରେ ପଦାର୍ପଣ କରୁଥିଲା–ମଶାଣି ବନ୍ଧରୁ ଶୁଭୁଥିଲା ଭେରଣ୍ଡାର ଉତ୍କଟ ଚିତ୍କାର, ତେଣିକି କାନ ନ ଦେଇ ମକରା କମଳା ଲେମ୍ବୁ ଖାଇବାରେ ଲାଗିଗଲା । କର୍ମହୀନ ମକରା ଆଜି କଲା-କର୍ମର ଫଳ ଭୋଗୁଛି ! ଧନ, ଜନ, ଗୋପ ଲକ୍ଷ୍ମୀ ଥିଲେ ମଣିଷ ମନୁଷ୍ୟ ହୁଏନା, ବିବେକ ଜ୍ଞାନ ଓ ନ୍ୟାୟ ବିଚାର କରି ମଣିଷ ହୁଏ ଅମର । ଯଶ କୀର୍ତ୍ତି ନେଇ ମଣିଷ, ମଣିଷ ପଣିଆ ଲାଭ କରେ, କିନ୍ତୁ ମକରାର ଏ ଅଧଃପତନ ପାଇଁ ଦାୟୀ କିଏ-? ସେ ନିଜେ ନୁହେଁ କି ?

 

ଚାରି

 

କଟକରେ ଗୌରୀଶଙ୍କର ପାର୍କ । ବସିଛି ସୁନନ୍ଦା । ଆଖି ତା’ର ଲାଖି ରହିଛି ଗୋଟିଏ ମାସିକ ପତ୍ରିକା ଉପରେ । ସୁନନ୍ଦାର ଏକ କବିତା ଆତ୍ମପ୍ରକାଶ କରିଛି ଏଇ ପତ୍ରିକାଟିରେ । ମନପ୍ରାଣ ଢାଳି ଦେଇ ସୁନନ୍ଦା ସେଇ କବିତାଟିର ଅର୍ଥ କରୁଥିଲା । ମନ ତା’ର ବୁଡ଼ି ଯାଇଥିଲା ଆଗାମୀ ଆନନ୍ଦରେ ।

 

ଆସିଛି ସୁନନ୍ଦ । ସାଥିରେ ତନୁଜା । ସୁନନ୍ଦାକୁ ଦେଖୁ ଦେଖୁ ତନୁଜା କହିଲା–ଆରେ, ହଜିଲା ବଳଦ ଖୋଜିଲାଠାରେ ! ସୁନନ୍ଦ ମୁହଁ ଉଠାଇ ଅନାଇଲା ତନୁଜାକୁ । ଆଗରେ ସୁନନ୍ଦା ! ଲାଜରେ ସେ ଜଳି ଯାଉଛି । ବିଦାୟୀ ସୂର୍ଯ୍ୟଙ୍କର ଳାଲ କବିତାର ରଙ୍ଗରେ ବେଶ୍‍ ସୁନ୍ଦର ଦିଶୁଥିଲା ସୁନନ୍ଦା ।

 

ସୁନନ୍ଦାକୁ ଏପରି ଚାହିଁ ରହିଥିବାର ଦେଖି ତନୁଜା କହିଲା–କ’ଣ ଏତେ ଦେଖୁଛନ୍ତି ସୁନନ୍ଦବାବୁ ? ଲାଜେଇ ଯାଇ ସୁନନ୍ଦ କହିଲା, ନାଇଁ ଏମିତି ଅନାଇଥିଲି ।

 

ଉଦ୍ଦେଶ୍ୟ କିଛି ଥିବ ନିଶ୍ଚୟ ?

 

ସେମକିତି କିଛି ନୁହେଁ ।

 

ତେବେ କିମିତି ?

 

ଏମିତି, ସେମିତି, ଯେମିତି ।

 

ସୁନନ୍ଦ କଥାରେ ହସିଲା ସୁନନ୍ଦା, ତନୁଜା ନିଜକୁ ଲଜ୍ଜିତ ମନେକରି କୃତ୍ରିମ ରାଗମିଶା କଣ୍ଠରେ କହିଲା, ନା–ଏ ଅପମାନ ଅତି ଅସହ୍ୟ ! ମୁଁ ଯାଏଁ–

 

ଆଗେଇଲା ତନୁଜା ପଛେ ପଛେ ସୁନନ୍ଦା ! ପଛରୁ ଡାକି ସୁନନ୍ଦ କହିଲା–ଏମିତି ରାଗିଲେ ଚଳିବ ? ଆପଣା ଭିତରେ କ’ଣ ଏମିତି ହୁଏ ନାହିଁ ?

 

ଯାଉ ଯାଉ ଅକଟି ଗଲେ ସୁନନ୍ଦା ଓ ତନୁଜା । ସୁନନ୍ଦାକୁ ଚାହିଁ ହସବୋଳା କଣ୍ଠରେ ତନୁଜା କହିଲା, ତୁ ଯା ସୁନନ୍ଦ ବାବୁଙ୍କ ସାଥିରେ କଥା ହବୁ, ମୁଁ ଯାଉଛି, ମୋର ତେଣେ କେତେ କାମ । ଏତିକି କହି ଲୋକ ଗହଳି ମଧ୍ୟରେ ଲୁଚିଗଲା ସୁନନ୍ଦାର ସାଥୀ ତନୁଜା ।

 

ସ୍ଥିର ହୋଇ ଠିଆ ହୋଇଛି ସୁନନ୍ଦା । କ’ଣ କରିବ, କ’ଣ କହିବ କିଛି ସ୍ଥିର କରିପାରୁନି ସେ । ସୁନନ୍ଦ ଆସି ଠିଆହେଲା ସୁନ୍ଦରୀ ସୁନନ୍ଦା ପାଖରେ, ସୁନନ୍ଦା ବିଚାରୀ....ସେ ବଡ଼ ଅଡ଼ୁଆରେ ପଡ଼ିଲା । ସୁନନ୍ଦା ଯେ ଏତେ ଲାଜକୁଳି ସେ ଜାଣି ନ ଥିଲା । ସୁନନ୍ଦା ଥରୁଥିଲା, ସତେ ଯେପରି ଏଇ ଟିକକ ପରେ ସେ ଫାଶୀଖୁଣ୍ଟକୁ ଯିବ । ଓଃ, ବଡ଼ ଅସୁବିଧା ହେଲା । ସେ ଏବେ କରେ କ’ଣ-? ଆଉ ଯାଏ କୁଆଡ଼େ ! ଅଜଣା ଦେବତାଙ୍କ ଉଦ୍ଦେଶ୍ୟରେ ହାତ ଉଠାଇଲା ଷୋଡ଼ଶୀ ସୁନନ୍ଦା-! ସୁନନ୍ଦ ମଧ୍ୟ କମ୍‍ ଅଡ଼ୁଆରେ ପଡ଼ିନି–ଜୀବନରେ ନୂତନ ଅନୁଭୂତି ଓ ନୂତନ ପ୍ରେମ–ଏସବୁ କ୍ଷେତ୍ରରେ ବାସ୍ତବିକ ମଣିଷ ବଡ଼ ଅସୁବିଧାରେ ପଡ଼େ । ସେ ଯାହାହେଉ, ସାହସ ସଞ୍ଚୟ କରି ଗୋଟାଏ ରିକ୍ସା ଡାକିଲା ।

 

ରିକ୍ସାବାଲା ପାର୍କଗେଟ୍‌ ନିକଟରେ ବ୍ରେକ୍‌ କସିଲା । ଆସନ୍ତୁ ସୁନନ୍ଦା ଦେବୀ ! ଟିକିଏ କାଠଯୋଡ଼ି କୂଳଆଡ଼େ ବୁଲି ଆସିବା ।

 

ଲାଜିରେ ଥରୁଥିଲା ସୁନନ୍ଦା । କ’ଣ କରିବ ? ନା ନା, ରିକ୍ସାରେ ସେ ସୁନା ପିଲାଟି ଭଳି ବସି ପଡ଼ିବା ଦରକାର । ହଁ, ରିକ୍ସାର ଗୋଟିଏ ପଟକୁ ବସିପଡ଼ିଲା ସୁନନ୍ଦା । ଲାଜରେ ସେ ଥରୁଛି । ଅଲକ୍ଷ୍ୟ ଭାବରେ ସେ ଅନାଇ ରହିଛି । ଲକ୍ଷ୍ୟହୀନ ଭାବରେ ବିଭୋର ହୋଇ....ସୁନନ୍ଦା ପାଖକୁ ସୁନନ୍ଦ ।

 

ପୁରୁଣା ଦେହରେ ନୂଆ ଯୌବନ । ଖୁବ୍‌ ପାଖରେ ସେ....ମନଟା ମନା ମାନୁନି.. ଲାଜରେ ଏକବାରେ ଭାଙ୍ଗିପଡ଼ୁଥିଲା ସୁନନ୍ଦା ।

 

ଓଡ଼ିଶା ଇତିହାସ ବର୍ଣ୍ଣିତ କାଠଯୋଡ଼ି ବନ୍ଧ । ସଞ୍ଜର ମଧୁମୟ ଶୀତଳ ସମୀର । ପୃଥିବୀର ଅଗଣିତ ମାଇଲ ଖୁଣ୍ଟ । ବ୍ୟବଧାନର ଆରପଟେ ଧୂସରିଆ ବାଦଳ କୋଳରେ ଅସଂପୂର୍ଣ୍ଣ ଶଶୀ । ନୀରବ ବାଲିବେଳା । ସହରର କୋଳାହଳମୟ ପରିବେଶଠାରୁ ଯଦିଓ ବେଶୀ ଦୂରରେ କାଠଯୋଡ଼ି ବାଲିବେଳା ନଥିଲା ତଥାପି ନୀରବ ଥିଲା.....ନୀରବରେ, ଖୁବ୍ ନୀରବରେ । ଏବେ ମଧ୍ୟ ବିଦାୟୀ ଭାନୁଙ୍କର ନାଲି ହସ ନୀଳ ଆକାଶରୁ ଲୁଚିନି, ଧାର ଧାର ଆକାଶର ପ୍ରଶସ୍ତ ବୁକୁରେ ସେଇମିତି ନେସି ହୋଇ ରହିଛି । ଯେମିତି ଥିଲା ସେଇମିତି ମ !

 

ଆଗରେ ସୁନନ୍ଦା, ପଛରେ ସୁନନ୍ଦ.....ସୁନନ୍ଦା ନୀରବ, ସୁନନ୍ଦ ମଧ୍ୟ..... !

 

ଏଇ ଆଗରେ ଛୋଟ ଧରଣର କଳା ଧାରଟିଏ । ନୀଳରଙ୍ଗ ରଙ୍ଗିନୀ ହୋଇ ଅବିଶ୍ରାନ୍ତ ଭାବେ ବହି ଚାଲିଛି । ନା ଆଉ ଚାଲି ହେବନି ଏ ଶୁଖିଲା ବାଲିରେ ? ଓଃ ! ବସିପଡ଼ିଲା ସୁନନ୍ଦ । ନୀରବରେ କିଛି ସମୟ ଠିଆ ହୋଇ ନଈଧାର ଦେହରେ ଭାସି ଯିବି ସମୁଦ୍ରକୁ.....ଏଁ ?

 

ସନନ୍ଦା ବଡ଼ ଅଡ଼ୁଆରେ ପଡ଼ିଲା, ଏବେ ତା’ ପାଳି, ଏତେବେଳ ପର୍ଯ୍ୟନ୍ତ ସେ ନୀରବ ଥିଲା–ଏବେ କିଛି କହିବା ନିହାତି ଦରକାର । କ’ଣ କରିବ, ସୁନନ୍ଦା ଚାଲିଛି ଆଗକୁ....ଆଗକୁ । ଆଉ ମାତ୍ର ଅଳ୍ପ ଦୂରରେ ଜଳଧାରଟି ଲମ୍ବି ଯାଇଛି....ସୁନନ୍ଦ ଧାଇଁ ଯାଇଁ ପଛରୁ କୁଣ୍ଢାଇ ଧରିଲା ସୁନନ୍ଦାକୁ । ତା’ପରେ ଧୀରେ ଗଳାରେ କହିଲା–ଏମିତି ରୁଷନ୍ତି । ଅଳ୍ପ ହସି ସୁନନ୍ଦା କହିଲା, ଆଉ କିମିତି ?

 

ଫିକ୍‌ କରି ହସିଦେଲା ସୁନନ୍ଦା, ସତେ ଯେପରି ନଦୀର ଏଇ ବାଲିବେଳାରେ ଗୁଡ଼ାଏ ମୁକ୍ତା ଝଡ଼ି ପଡ଼ିଲା । ସୁନନ୍ଦା ସୁନନ୍ଦକୁ ଟାଣିନେଇ ଏକ ବାଲି ସ୍ତୂପରେ ବସିପଡ଼ି କହିଲା ବସ । ସୁନନ୍ଦା ବସିଲା ତା’ ପ୍ରିୟତମଙ୍କୁ ଲାଗି... । ସୁନନ୍ଦ କହିଲା–ଆଉ ଟିକିଏ ହସିଲ....

 

ଉଁ

 

ଆରେ, ଅଳପ ହସନା–

 

ମୋଟେ ନୁହେଁ–

 

ନା....ନା....ନା....

 

ରାଣ ପକାଇବି ?

 

ନା.....

 

ମୋ ରାଣ.....

 

ତୁମେ ରାଣ ପକାଇଲେ, ତୁମ ଦେଈ କାନ୍ଦିବେ, ମୁଁ ତ ତୁମ ଦେଈ ନୁହେଁ ଯେ କାନ୍ଦିବି–-!

 

ତେବେ ତୁମେ ମୋର କ’ଣ ?

 

ମୁଁ....ମୁଁ..... ?

 

ମୁ ତୁମର.....ତୁ.....ମ....ର.....

 

ସୁନନ୍ଦା କିଛି କହିପାରୁନି । ସତେ ଯେପରି ମହାଭୁଲ କରିପକାଇଛି । ସୁନନ୍ଦ ସୁନନ୍ଦାର ଏପରି ଅବସ୍ଥା ଦେଖି ସୁନନ୍ଦା କୋଳରେ ମଥା ରଖି କହିଲା–କୁହନା....

 

ନୀରବ ବାଲିବେଳା । ସୁନନ୍ଦା ବସିଛି–ପାଖରେ ସୁନନ୍ଦ । ଆକାଶରେ ଶିଶୁ ଶଶୀଙ୍କର ମମତା ବୋଳା ଓ ମନମତାଣିଆ ହସ । ପଛରୁ ଦିଶୁଛି କଟକ ସହରର ବିଭିନ୍ନ ରଙ୍ଗର ଆଲୋକ ମାଳା । ନୀରବତା ଭାଙ୍ଗି ସୁନନ୍ଦ କହିଲା–ସତ କହିବ ସୁନନ୍ଦା ! ତୁମେ ସତେ କ’ଣ ମୋତେ ଭଲପାଅ ? ଲାଜରେ ଝାଉଁଳି ପଡ଼ିଲା । ରୂପସୀ ସୁନନ୍ଦା କ’ଣ କହିବ, କିମିତି କହିବ, କେଉଁ ଭାଷାରେ ତା’ ଅନ୍ତର ତଳର ଗୋପନ କଥା ପ୍ରକାଶ କରିବ ତା’ ଈପ୍ସିତ ପ୍ରିୟତମଙ୍କ ଆଗରେ !

 

କିଛି କହୁନା ଯେ ? ପ୍ରଶ୍ନ କଲା ସୁନନ୍ଦ ।

 

କ’ଣ କହିବି ?

 

ଦେଖ, ଜୀବନରେ ଯେତେବେଳେ ଭଲ ପାଇଲି ଓ ସ୍ନେହର ଅର୍ଥ ବୁଝିଲି ଓ ମହତ୍ୱ ଉପଲବ୍‌ଧି କଲି, ଠିକ୍‍ ସେତିକି ବେଳେ ତୁମ ସହିତ ଦେଖା । ତା’ପରେ ତନୁଜାକୁ ବିଶ୍ୱାସ କରି ସବୁ କହିଲି, କିନ୍ତୁ ସେ ନିଲଠି ଅନିତା ଅପାଙ୍କୁ ସବୁ କହିଲା ।

 

ତା’ପରେ ?

 

ହଁ ତା’ପରେ ଅପା ଯାହା କଲେ ତୁମେତ ଜାଣ ! ସେଇ ଦିନଠୁ ମୁଁ ତୁମକୁ ସ୍ୱାମୀ ରୂପେ ବରଣ କରିନେଇ ନିଜକୁ ହଜାଇ ଦେଇଛି ତୁମ ଶ୍ରୀଚରଣ ତଳେ.... ।

 

ଆଚ୍ଛା ସୁନନ୍ଦା, ଏଇଭଳି ମିଳନ ଲଗ୍ନରେ ତୁମେ ମୋତେ କିଛି ଦେବନି.... ?

 

ମୋ ପାଖରେ କ’ଣ ଅଛି ? ବରଂ ତୁମେ କିଛି ଦିଅ ।

 

ଦେବି ?

 

ହଁ, ଦିଅନା–ରାତି ହେଲାଣି–ଯିବାନି.....

 

କେଉଁ ଏକ ଅଜଣା ଆବେଗରେ ସୁନନ୍ଦ ସୁନନ୍ଦାକୁ କୋଳକୁ ଟାଣିନେଲା । ସୁନନ୍ଦାର ଗୋଲାପି ଗଣ୍ଡରେ ଆଙ୍କିଦେଲା ଅମୂଲ୍ୟ ଚୁମ୍ବନ କତୋଟି । .....ଲାଜରେ ସରିଗଲା ସୁନନ୍ଦା । ଦେହ ଥରୁଛି, ମନ ମନା ମାନୁନି, ଦେହଟା ଅସମ୍ଭବ ଧରଣର ଉଷ୍ମରେ ହଜି ଯାଉଛି । ଚେତନା ଆସ୍ତେ ଆସ୍ତେ ଲୋପ ହୋଇ ଆସୁଛି । ଆଖି ଦୁଇଟି ମୁଦି ହୋଇଗଲା ସୁନନ୍ଦାର । ସେ ଢଳି ପଡ଼ିଲା ସୁନନ୍ଦର ପ୍ରଶସ୍ତ ବୁକୁ ଉପରେ । ତା’ପରେ.....ହଁ, ତା’ପରେ ସୁନନ୍ଦର ଥରିଲା ଅଧର ନଇଁ ଆସୁଥିଲା ସୁନନ୍ଦାର ମୁଖପଦ୍ମ ଉପରକୁ.....

 

ଦୂରରୁ ଶୁଭୁଥିଲା ଏକ ଆକର୍ଷଣୀୟ ରେଡ଼ିଓ ସଙ୍ଗୀତ

ସଜନୀ, ଲାଜରେ ସରିଗଲି ଆଜ

ବଳେ କୋଳେ ବସାଇଲେ

ସେ ନାଗର ରାଜ

ଲାଜରେ

 

ପାଞ୍ଚ

 

ସଞ୍ଜ ଆସିଲା, ଗୋଟାଏ ଦିନ ପରେ । ମନ୍ଦ ମନ୍ଦ ମଳୟ ସୁଗନ୍ଧରାଜର ଗନ୍ଧ ଚୋରି କରି ନେଉଥିଲା ଦୂରକୁ... ଦୂରକୁ....ଆକାଶର ଛାତି ଉପରେ ଶୀତଳ ଚନ୍ଦ୍ରମା । ଦିନମଣିଙ୍କ ଦିନଦୂତ କାକପୋଲ ଲୁଚି ଯାଉଥିଲା ସବୁଜ ପତ୍ର ଗହଳରେ । ତା’ ସ୍ଥାନରେ ନିଯୁକ୍ତି ପାଇଥିଲା ସଞ୍ଜରାଣୀର କୁଞ୍ଜ ଚରଣ ଆଶ୍ରିତା କଳା କୋକିଳ । କୋକିଳର ମହୁଆ ବୋଳା କୁହୁ କୁହୁ ତାନରେ ତଳେ ଆତ୍ମହରା ହୋଇ ସଞ୍ଜରାଣୀ ଚାନ୍ଦଧୂଆ ଧଳା ଶାଢ଼ିର ପଣତ ତଳେ ଚନ୍ଦ୍ର ଉଦିଆ ମୁହଁଟି ଲୁଚାଇ ପ୍ରିୟ ଚାନ୍ଦକୁ ସୂଚାଇ ଦେଉଥିଲା, ପ୍ରେମର ସଂକ୍ଷିପ୍ତ ଇସାରା । ଆକାଶରେ ଶୁଭ୍ର ଚନ୍ଦ୍ରମା ତା’ର ପସରା ମେଲାଇ ଆଶାର ଅସରା କାହାଣୀ ଶୁଣାଇବା ଲାଗି ଆହୁରି ନିକଟରେ ଓହ୍ଲାଇ ଆସୁଥିଲା ଧୀରେ–ଖୁବ୍‍ ଧୀରେ ସେ ଆଗେଇ ଆସୁଥିଲା ।

 

ସବୁଜ ଧରାସ୍ୱର୍ଗ ମମତା, ସ୍ନେହ ଓ ସୋହଗଭରା ଏଇ ପ୍ରେମର ହାଟଟା । ପ୍ରେମ ଏଇ ରୂପକ ଜଗତ-ହାଟରେ ଏଇ ମଣିଷ ବେପାରୀ ସାଜେ । ବଣିଜ କରେ । କିଣେ ମମତା, ବିକେ ସ୍ନେହ । ମନର ଗନ୍ତାଘରେ ସାଇତି ରଖେ ଯଶ ଓ କୀର୍ତ୍ତି । ଦୟା, ଧର୍ମ, ଦାନ ଓ ଆଦର୍ଶରେ ମଣ୍ଡିହୋଇ ମଣିଷ ସାଜେ ମଣିଷ । ଦିନ ଆସେ ରୁପା ଥାଳି ଧରି । ରାତି ଆସେ କଳା ଶାଢ଼ି ପିନ୍ଧି । ଆସେ ଚାନ୍ଦ ଶୀତଳ ସମୀର ବିଞ୍ଚି, ଦିନ ଯାଏ ରାତି ବଢ଼େ, ଚାନ୍ଦ ଛିଡ଼େ, ବର୍ଷ ବଢ଼େ ଓ ବର୍ଷ ବର୍ଷ ଧରି ଜଗତ ଅଛି । ପୃଥିବୀର କଣ୍ଟକିତ ଶାସନ କୋମଳ କୋଳେ ମଣିଷ ବାସ କରେ ଶାନ୍ତିରେ । ଗାଁ ଗଣ୍ଡା ସହର ସବୁଠାରେ ମଣିଷ ଦେଖେ ଦେଖା ଶିଳ୍ପୀଙ୍କୁ । ପାଏ ଅଦେଖା ପରଶ, ଦିନରେ ଖଟେ ରାତିରେ ଖଟେ, ପୁଣି ନିବିଡ଼ ରାତିରେ ‘‘ମା–ଟି ମା’’ କୋଳରେ ଶାନ୍ତିରେ ଆଶ୍ରୟ ନିଏ–ନିଦ୍ରାଯାଏ; ଶ୍ରମ ଦୂରେଇ ଯାଏ । ପାଏ ସେ ଅଦମ୍ୟ ଆବେଗ । ନୂତନ ଶକ୍ତି ଓ ବଞ୍ଚି ରହିବାର ଅସୀମ ଆନନ୍ଦ । କ୍ଳାନ୍ତିପରେ ଶୋଇଯାଏ ସେ–ମୋହିତ ହୋଇ ‘‘ମାଟି ମା’’ କୋଳରେ । ସବୁଦିନ ପରି ଆଜି ମଧ୍ୟ ସଞ୍ଜ ଆସିଛି କେତେବେଳଠାରୁ । ମୁଁ ଯେଉଁ ମାଟିରେ ପ୍ରଥମେ ପାଦ ଦେଲି; ସେହି ମହୀୟାନ ସବୁଜ ସ୍ୱର୍ଗ ମୋର ପ୍ରିୟ ବନ୍ଦନୀୟା ଅଭିନନ୍ଦନୀୟା–ଏଇ ଆମ ପାଟଣୀ ଗାଁ; ପଲ୍ଲୀଶ୍ରୀ ।

 

ପାଟଣୀ ଗାଁ ସବୁଜ ଜଗତରେ ଧରାସ୍ୱର୍ଗ ଆମର ଏଇ ପଲ୍ଲୀଶ୍ରୀ । ଗାଁ ମହାଦେବ ମନ୍ଦିର ପାଖ ମଠ । ସେହି ମଠ ଚୌପାଢ଼ିରେ ଚାଲିଛି ଭଜନ ଓ ଭାଗବତ ପାଠ । ଗାଁ ପୋଖରୀ ବାଟହୁଡ଼ା ବଟ ବିହାରୀଙ୍କ ଆସ୍ଥାନରୁ ଶୁଣାଯାଉଚି ନାମ, ମଠ କୀର୍ତ୍ତନର ଲହରୀ । ସରଳ ମଣିଷଙ୍କର ପବିତ୍ର ମନର ଆହ୍ୱାନ : ବିଶ୍ୱ ଶିଳ୍ପୀଙ୍କର ଜୟଗାନ । ଦୁଃଖ ପାଶୋରା ହରିନାମ.....ଏବେ ଠିକ୍‍ ସନ୍ଧ୍ୟା ସାତଟା ।

 

ଅଶୋକ ଫେରୁଛି ଆଶ୍ରମ କାମ ସାରି । କାମ ଚାଲିଛି–ସେହି କାମ କରାଇବା ଦାୟିତ୍ୱ ନେଇଛି ଅଶୋକ । ସଦାନନ୍ଦଙ୍କୁ ସାହାଯ୍ୟ ନ କଲେ ସେ ଏକା କ’ଣ କରିବ ? ସେଇଥିପାଇଁ ଅଶୋକ କଟକରୁ ଫେରି ଏଇ କାମରେ ଲାଗିଛି ।

 

ଅଶୋକ ଫେରୁଛି....

 

କ୍ଳାନ୍ତ ସେ । ଦୁଇ ମାସ ହେଲା କଟକରୁ ଆସିଲାଣି କାମ ସରୁନି । ବୋଧେ କାଲି କାମ ସରିଯାଇପାରେ । ପରଦିନ ସେ କଟକ ଫେରିଯିବ । ଏତେ ଦିନ ହେଲାଣି ସେ ଅନିତାକୁ ଦେଖିନି-। ଅସହଣି ବିଚ୍ଛେଦରେ ବୁଡ଼ିଯାଇଥିଲା ଅଶୋକର ମନ । ତା’ ମନର ନିଭୃତ କୋଣରେ ଉଙ୍କିମାରୁଥିଲା–ଏକ ଅସମାପ୍ତ ପ୍ରଶ୍ନ, ସତେ କ’ଣ ମୁଁ ଅନିତାକୁ ପାଇବି ? ପାଇପାରିବି ପ୍ରାଣର ପ୍ରତିମା ରୂପେ ? ନିଜ ପ୍ରଶ୍ନର ଉତ୍ତର ସେ ନିଜେ ପାଇ ନ ପାରିଲେ ମଧ୍ୟ ସେ ଜାଣେ ଓ ଜାଣିପାରୁଛି ନିଶ୍ଚୟ ଅନିତାକୁ ସେ ପାଇବ ।

 

ଚିନ୍ତାଶୀଳ ମନ ନେଇ ଚାଲିଛି ଅଶୋକ । ରାତି ସାଢ଼େ ସାତଟା ବୋଧେ.....ଶୀଘ୍ର ଶୀଘ୍ର ପାଦ ପକାଇ ଆଗେଇଲା ସେ । ମନରେ ଅସରନ୍ତି ଭାବନା ରହି ରହି କାନରେ ବାଜୁଛି । କୋକିଳର ସଞ୍ଜୁଆ ଗୁଞ୍ଜନ । ଭାଗବତ ଟୁଙ୍ଗିରୁ ଶୁଭୁଚି ଭଜନ । କାନରେ ଗୁଞ୍ଜନ ଦେଇ ବାଜି ଉଠୁଛି ଅନିତାର ଅନୁରୋଧ ମିଶା କଥା ପଦିକ । ପୁଣି ଆସିବେ, ଏଁ–ଭୁଲି ଯିବେନି ।

 

ଅଶୋକ ବିଚଳିତ ହୋଇ ଉଠିଲା । ଅନିତା ଦେଇଥିବା ଚିଠିଖଣ୍ଡିକ ସେପର୍ଯ୍ୟନ୍ତ ପଢ଼ିପାରିନି । ଦ୍ରୁତଗତିରେ ଆଗେଇଲା ସେ ।

 

ଆଗରେ ସନେଇ ଭୋଇ ଘର । ଡ୍ରାଇଭର ସନେଇ ଭୋଇର ଝିଅ ମାଳା । ସେ ବସିଛି ଦାଣ୍ଡ ପିଣ୍ଡାରେ, ଆବୃତ୍ତି କରୁଛି ସନ୍ଧ୍ୟା ପ୍ରାର୍ଥନା । ସନେଇକୁ ଥରେ ଦେଖି ଆସିଲେ ମନ୍ଦ ହୁଅନ୍ତା ନାହିଁ । ବିଚାରା ଅନେକ ଦିନ ଖଟିଛି । ଆଜି ସେ ପଙ୍ଗୁ ଓ ବୃଦ୍ଧ । ଅଶୋକ ପାଦ ବଢ଼ାଇଲା ସନେଇ ଘରକୁ ।

 

ସନେଇ ବସିଛି, ସନେଇ ସ୍ତ୍ରୀ ଫୁଲ ଚୁଲି ପାଖରେ । ମାଳ ଅଶୋକକୁ ଦେଖି ମୁଣ୍ଡରେ ଲୁଗାଦେଲା ।

 

‘‘ବାପା ଅଛନ୍ତି ?’’ ପ୍ରଶ୍ନକଲା ଅଶୋକ । ହଠାତ୍‌, ଓ ଖୁବ୍‌ ନିକଟରେ ଅଶୋକକୁ ଦେଖି ଲାଜରେ ଝାଉଁଳିପଡ଼ି ମାଳ କହିଲା–ଅଛନ୍ତି, ଡାକିଦେବି ? ସନେଇ ଘର ଅଗଣାରୁ ଜବାବ ଦେଲା, କିଏ କି ମାଳ ? ମାଳ ଟିକିଏ ଥମିଯାଇ କହିଲା–ବାବୁ ଡାକୁଛନ୍ତି । ମାଳ ପାଟିରୁ ବାବୁ ଶବ୍ଦ ଶୁଣି ଅଶୋକ କହିଲା–ମାଳ, ତୁମେ ମୋତେ ବାବୁ ନ କହି ଏଣିକି ଭାଇ ବୋଲି ଡକିବ ।

 

ଭାଇ ଡାକିବି ! ଆମେ ପରା ହରିଜନ, ବାଉରି ଜାତି ।

 

ଅଳ୍ପ ହସି ସ୍ନେହବୋଳା କଣ୍ଠରେ ଅଶୋକ କହିଲା–ମାଳ ତୁମେ ଭୁଲ କହୁଚ, ଈଶ୍ୱର ଆମ ସମସ୍ତଙ୍କୁ ଜନ୍ମ ଦେଇଛନ୍ତି, ତାଙ୍କ ଆଖିରେ ଆମେ ସମସ୍ତେ ସମାନ । ବାଉରି ଜାତି ବୋଲି ତୁମେ ନିଜକୁ ଏତେ ହେୟ ମନେକରନା । ଜାତି ମଣିଷ ସୃଷ୍ଟି କରିଛି । ଆମର ଗୋଟାଏ ଜାତି, ତାହା ହେଲା–ମଣିଷ ଜାତି । ଏଇ ମଣିଷ ଜାତିକୁ ଦୁଇ ଭାଗରେ ବିଭକ୍ତ କରାଯାଉଛି, ତାହା ହେଲା–ନାରୀ ଏବଂ ପୁରୁଷ । ମାଳ ହସିଲା । କହିଲା, ଆପଣ ସିନା ଏଠି ମୋ ଆଗରେ ଏକଥା କହୁଛନ୍ତି–ହେଲେ ଏସବୁ କ’ଣ ଆପଣଙ୍କ ଘରେ ଚଳିବ ? ସବୁ ଲୋକ ଏ କଥା ମାନି ଚଳିବା, ଏ ନୀତିରେ ଦୀକ୍ଷିତ ହେବା; ଅଛୁଆଁକୁ ନିଜ ସହିତ ମିଶାଇ ନେବା କ’ଣ ସମ୍ଭବ ? କହିବା କଥା କରିବା ସମ୍ଭବ ନୁହେଁ । ହଉ ବସନ୍ତୁ । ମାଳ ଖଣ୍ଡିଏ ସପ ପକାଇଦେଲା । ଅଶୋକ ମାଳଠାରୁ ଏପରି ନୀତିପୂର୍ଣ୍ଣ କଥା ଶୁଣି ଆଶ୍ଚର୍ଯ୍ୟରେ ବୁଡ଼ି ଯାଇଥିଲା । ମାଳ ଯାହା କହୁଛି ମିଛ ତ କହୁନି–ମଣିଷ ଏଭଳି ଅନ୍ଧ ମନୋବୃତ୍ତି କାହିଁକି ଯେ ଧରି ରଖିଛି, କିଛି ବୁଝି ହେଉନି । ସପ ଉପରେ ବସିପଡ଼ି ଅଶୋକ କହିଲା–ଦେଖ ମାଳ, ନିଜକୁ ପବିତ୍ର ମନେକରି ଏବଂ ନିଜେ ସତ୍ୟ ପଥରେ ଯାଇ, ପୂର୍ବପୁରୁଷଙ୍କ ମଙ୍ଗଳ ଲାଗି ଚରିତ୍ରବାନ ହେବା ପାଇଁ ପନ୍ଥା ସ୍ଥିର କରିବା ଦରକାର । କିଏ କ’ଣ କଲା, କ’ଣ କହିଲା ଏସବୁ ଧରି ବସିଲେ ଦୁନିଆ ଦାଣ୍ଡରେ ଚାଲିବା କଷ୍ଟକର ହେବ । ମୋ ହାତରେ ମୁଁ ଏସବୁ ମାନେନା । ମୋର ଗୋଟିଏ ଧାରଣା–ଆମେ ସମସ୍ତେ ସମାନ ।

 

ମାଳ ଆକାଶକୁ ଲକ୍ଷ୍ୟ କରି କହିଲା–ତା’ହେଲେ ସବୁ ବାଛବିଚାର ଉଠିଯିବ । ପୁରୁଷମାନେ ଯେଉଁ ନୀତି ନିୟମ ରଖି ଯାଇଛନ୍ତି ତାହାର ଧାରା କ’ଣ ବଦଳିଯିବ ? ଏହା କ’ଣ ସମ୍ଭବ ?

ଗୋଟିଏ ପନ୍ଦର ଷୋଳ ବର୍ଷ ଝିଅଠାରୁ ମହତ୍ୱପୂର୍ଣ୍ଣ କଥା ଶୁଣି ଅଶୋକ ତାଜୁବ୍‌ ହୋଇଥିଲା । ଆତ୍ମହରା ହୋଇ ଉଠିଥିଲା । ସେ ଭାବୁଥିଲା–ଯେଉଁଦିନ ସମସ୍ତ ମାତୃଜାତି ଠିକ୍‌ ମାଳଭଳି ଯୁକ୍ତି ବାଢ଼ି ବସି, ନିଜର ମୂଲ୍ୟ ବୁଝିବେ, ସେତେବଳେ ସୁନାର ଭାରତ ମୁକ୍ତାମୟ ଭାରତରେ ମଣ୍ଡିତ ହୋଇ ସାରା ପୃଥିବୀରେ ସୁନାମ ଅର୍ଜନ କରି ଯଶସ୍ୱୀ ହେବ । ଅଜଣା ଆନନ୍ଦରେ ଅଶୋକ ପ୍ରାଣ ନାଚି ଉଠିଲା, ମାଳ ଦେଖିଲା–ଅଶୋକବାବୁ ନୀରବରେ କ’ଣ ଭାବୁଛନ୍ତି, ସେ ଧୀର ଗଳାରେ କହିଲା–ବାବୁ, ରାତି ହେଉଛି ଯାଆନ୍ତୁ, ବାବୁ ! ବିରକ୍ତ ହୋଇ ଅଶୋକ କହିଲା–ମାଳ ! ତୁମେ କ’ଣ ମୋତେ ଥଟ୍ଟା କରୁଛ ? ବ୍ୟକ୍ତିତ୍ୱକୁ ଉପହାକସ କରୁଛ ? ସତେ, ଅଶୋକ ଅନୁଭବ କରୁଥିଲା–ମାଳ ତାକୁ ଉପହାସ କରୁଛି ସେ ହାରିଯାଇ ଥିବାରୁ, ମାଳ ଆଜି କଟା ଘା’ରେ ଲୁଣଛିଟା ଦେଉଛି । ସହାନୁଭୂତି ସୂଚକ ସ୍ୱରରେ ଅଶୋକ ମାଳକୁ କହିଲା, ତୁମେ ମୋତେ ‘ଭାଇ’ ବୋଲି ଡାକିଲେ ପ୍ରକୃତରେ ମୋତେ ଆଘାତ ଲାଗିବ ମାଳ । ସନେଇ ଅଦୂରରେ ଠିଆ ହୋଇ ସବୁ ଶୁଣୁଥିଲା ବାହାରକୁ ଆସି କହିଲା–ବାବୁ, ଆପଣ ଯାହା କହିଲେ ସେ କଥା କେଉଁଠି ହେଲାଣି ନା ହେବ ।

କାହିଁକି ନ ହେବ । ଅଶୋକ ଯୁକ୍ତି କଲା ।

କିମିତି ହେବ କହିଲେ । ଆପଣଙ୍କ ପାଖରେ ପନ୍ଦର ବର୍ଷକାଳ ଚାକିରି କଲି । ଏଇ ପନ୍ଦର ବର୍ଷ ଭିତରେ ପଦେ କୋମଳ କଥା ଶୁଣିବାକୁ ପାଇନି । ମୁଁ ଗାଡ଼ି ଚଳାଇଲେ ମା’ ଅପବିତ୍ର ହୋଇଯିବେ, ଏହି ଭୟରେ ସେ ଗାଡ଼ିରେ ବସନ୍ତ ନାହିଁ । ଆଉ ଆଜି ଆପଣ କହୁଛନ୍ତି ଆମେ ସମସ୍ତେ ସମାନ । ଏସବୁ ଭଣ୍ଡାଇବା କଥା ସିନା ?

ଦେଖ ସନେଇ, ଯାହା ଯାଇଛି ତାକୁ ଘାଣ୍ଟି କିଛି ଲାଭ ନାହିଁ । ଭଲ ବାଟରେ ଯିବାକୁ ଶିକ୍ଷା କର ।

ଆପଣ ତାହାହେଲେ କହୁଛନ୍ତି ଆମେ ସଭିଏଁ ସମାନ ?

ମୁଁ ଏକା କହୁନି–ଦେଶର ଚାରିଆଡ଼େ ସମସ୍ତେ କହୁଛନ୍ତି ।

ଆପଣ ଯେବେ ଏତେ ଜ୍ଞାନୀ, ଏତେ ମହତ୍ତ୍ୱବାନ, ତେବେ ଆପଣ ଦୁନିଆକୁ ଆଦର୍ଶ ଶିକ୍ଷା ଦେବାପାଇଁ ମାଳକୁ ବିବାହକରନ୍ତୁ ।

ସନେଇ !!

ମୁଁ ମିଛ କହୁନି ଆଜ୍ଞା । ମାଳ ସନେଇ ବାଉରି ଝିଅ ସତେ, କିନ୍ତୁ ତା’ ମୁଣ୍ଡରେ ରାଜା ଘର ବୁଦ୍ଧି । ଆପଣ ଯେବେ ଜଗତକୁ ଆଦର୍ଶ ଦେଖାଇବାକୁ ଇଚ୍ଛା କରୁଛନ୍ତି, ତେବେ ସେହି ପରୀକ୍ଷା ମୁଁ ଆପଣଙ୍କଠାରୁ ଚାହେଁ । ମାଳକୁ ବିବାହ କରି ତାକୁ କୁଳବଧୂର ଗୌରବ ଦିଅନ୍ତୁ । ତା’ପରେ ଆପଣ ଦେଶ-ସେବକ ବୋଲି ପୂଜା ହୋଇ ପାରିବେ ।

ତୁମେ ଏସବୁ କ’ଣ କହୁଛ ସନେଇ !

ମୁଁ ଜାଣେ ଅଶୋକବାବୁ, ଆପଣ ଏସବୁ ପାରିବେ ନାହିଁ । ଏମିତି ହଜାର ହଜାର ଦେଶ ସେବକ ଅଛନ୍ତି ଯେଉଁମାନେ ଶସ୍ତା କଥା କହି ନିରୀହ ସରଳ ମଣିଷକୁ ଭୁଲାଇ ନିଜେ ସୁଖର ପରିସର ବୃଦ୍ଧି କରି ବେଶ୍‍ ଆରାମରେ ଦିନ କାଟୁଛନ୍ତି । ଆପଣ ମଧ୍ୟ ସେଇ ମୁଖା ପିନ୍ଧି ଆସିଛନ୍ତି । ଆଉ ଠିଆ ହେଲେ କାହିଁକି–ଯାଆନ୍ତୁ ।

ସନେଇ !

କ୍ଷମା କରିବେ ସାନବାବୁ, ମୁଁ ଆପଣଙ୍କ ମନରେ ବହୁତ ଦୁଃଖ ଦେଇଛି । ପଥର ଭିକାରି ମୁଁ । ପୁଣି ହରିଜନ । ଏତେ ରାତିରେ, ଆପଣ ମୋ ଘରେ ଅଛନ୍ତି ଶୁଣିଲେ, ଆପଣଙ୍କ ବାପା ହୁଏତ ମୋତେ ଏଠୁ ତଡ଼ି ଦେଇ ପାରନ୍ତି, ଆପଣ ଯାଆନ୍ତୁ....

ଅଶୋକ ନିର୍ଜୀବ ପଥର କଣ୍ଢେଇ ଭଳି ଠିଆ ହୋଇଛି । ଭାବି ଚାଲିଛି କେତେ କ’ଣ–

ସତେ ତ, ସନେଇ ତ ମିଛ କହିନି । କ’ଣ ତା’ର କର୍ତ୍ତବ୍ୟ ? ଆଖି ଆଗରେ ମାଳ, ଲୁହଭରା ଆଖିରେ ଠିଆ ହୋଇଚି । ତା’ ବାପର କଥା ଅଶୋକକୁ ଯେତିକି ବାଧିଛି, ମାଳକୁ ତା’ଠାରୁ ବେଶି ବାଧିଛି । ଅଶୋକ କିଛି ଭାବିପାରୁ ନାହିଁ । ଗୋଟିଏ ଦିନରେ ମାତୃ ପିତୃହରା ଅଭାଗିନୀ ଅନିତା କଥା, ଅନ୍ୟ ଦିଗରେ ହରିଜନ ସନେଇ ଭୋଇ ଝିଅ ମାଳ କଥା । କ’ଣ କଲେ ଉଭୟେ ସୁଖି ହେବେ ? ନା, ସେ ମାଳକୁ ବିବାହ କରିବ । ଦୁନିଆ ଜାଣିବ ଜାତି ଗୋଟାଏ–ତାହା ହେଲା ମଣିଷ । ସନେଇକୁ ଚାହିଁ ଅଶୋକ କହିଲା–‘‘ସନେଇ, ମୁଁ କଥା ଦେଉଛି ମାଳକୁ ମୁଁ ବିବାହ କରିବି ।’’

ସନେଇ ନୀରବରେ ଚାହିଁ ରହିଲା କେବଳ । ମାଳ ସରମରେ ଭାଙ୍ଗିପଡ଼ୁଥିଲା ।

ବାବୁ ଆପଣ ଯାହା କଥାରେ କହିଲେ ତାହା କାର୍ଯ୍ୟରେ ପରିଣତ କରିପାରିବେ ତ ? ଆପଣ ପିଲା–ଦୁନିଆର ଭଲମନ୍ଦ ଜାଣିବାକୁ ଆହୁରି ବାକି ଅଛି ଆପଣଙ୍କର । ମୋ ମନ କହୁଚି–ମାଳକୁ ଆପଣ ବିବାହ କରିପାରିବେନି–କାରଣ ସେ ଅଛୁଆଁ, ଆପଣ ପୂଜ୍ୟ ସମସ୍ୟ । ଦୁନିଆ ଦରବାରରେ ଆପଣଙ୍କ ସ୍ଥାନ ଉଚ୍ଚରେ । ମୋ ଜୀବନ ଭିତରେ ମୁଁ ବହୁ ଠୋକ୍‌କର ଖାଇଚି । ସେସବୁ କେବଳ–ମୁଁ ଅଛୁଆଁ ବୋଲି । ଜିପ୍ ଦୁର୍ଘଟଣାରେ ମୋ ଗୋଡ଼ ଭାଙ୍ଗିଗଲା । କାମ କରିବାକୁ ଅକ୍ଷମ ହେଲି । ଏବେ ବାରଦ୍ୱାରେ ହାତ ପାତି ବୁଲୁଚି । ପନ୍ଦର ବର୍ଷର ଦାନାଦାର ଆପଣଙ୍କ ଘରକୁ ମୁଁ ଯାଇଥିଲି । ସେ ମୋତେ ନିରାଶରେ ଫେରେଇ ଦେଲେ । ଯାହାର ବାପ ଏତେ କଠୋର ତାହାର ପୁଅ ଯେ ଆଦର୍ଶରେ ନିଜକୁ ଗଢ଼ି ତୋଳୁଛ, ଏକଥା ଏ ଗ୍ରାମର ଲୋକ ଶୁଣିଲେ ହସିବେ ।

ଆହତ ହୋଇ ଅଶୋକ କହିଲା–ସନେଇ, ତୁମେ ମୋତେ ଉପହାସ କରୁଛ ? ମୋ ଉପରେ ଭରସା ରଖ । ତୁମକୁ କଥା ଦେଉଛି ମୁଁ ମାଳକୁ ବିବାହ କରି ମୋରି ଘରେ ଆଶ୍ରୟ ଦେବି-। ସେ ହେବ ବିନୋଦ ମହାପାତ୍ର ବଂଶର କୁଳବଧୂ । ମୋତେ ବିଶ୍ୱାସ କର ସନେଇ, ମୁଁ ତା’ହେଲେ ଆସୁଛି.... ।

ଟିକିଏ ରହି ସନେଇ କହିଲା–ମାଳ ପରା ଆପଣଙ୍କର ସ୍ତ୍ରୀ ?

ଅଟକିଗଲା ଅଶୋକ । ସତେ ଯେପରି ତା’ ଜୀବନରେ ଏଇ ପ୍ରଥମ ଆଘାତ ଓ ପ୍ରଥମ ଆନନ୍ଦ ! ସନେଇକୁ ଲକ୍ଷ୍ୟକରି ସେ କହିଲା–ତୁମର ବିଶ୍ୱାସ ହେଉନି ।

କିମିତି ହେବ ?

କ’ଣ କଲେ ତୁମେ ବିଶ୍ୱାସ କରିବ ?

ମୋର କିଛି କହିବାର ନାହିଁ । ଆପଣ ମାଳ ସହିତ କଥାବାର୍ତ୍ତା କରନ୍ତୁ । ସନେଇ ଚାଲିଗଲେ, ଠିଆ ହୋଇଛି ମାଳ, ମନରେ ଅସଂଖ୍ୟ ଭାବନା । ହଠାତ୍‌ ଏସବୁ କ’ଣ ହୋଇଗଲା । ଅଶୋକ ଡାକିଲା–ମାଳ ।

‘‘କୁହନ୍ତୁ....’’

ତୁମ ବାପା ଯାହା କହିଲେ, ସେଥିରେ ତୁମର ମତ କ’ଣ ?

‘‘..........’’

ନୀରବ ରହିଲ ଯେ…. ?

ମୋର କିଛି.....

ଅଟକି ଗଲ ଯେ.... ?

ମୋର ଅନୁରୋଧ, ଆପଣ ଆପଣଙ୍କ ମତ ବଦଳାନ୍ତୁ ।

କାରଣ !

ମୁଁ ଶୁଣୁଛି, ଆପଣ ଅନିତା ଅପାଙ୍କୁ ଭଲ ପାଆନ୍ତି । ତା’ଛଡ଼ା ଆପଣଙ୍କ ବିବାହ ଅନିତା ଅପାଙ୍କ ସହିତ ହେବ ।

ତୁମକୁ ଏସବୁ ମିଛ କଥା କିଏ କହିଲା ?

ମିଛ ନୁହେଁ, ମୁଁ ସଦାନନ୍ଦବାବୁଙ୍କଠାରୁ ଶୁଣିଛି ।

ଅଶୋକ ନୀରବ ରହି ଭାବନା ରାଜ୍ୟରେ ଘୂରି ବୁଲୁଥିଲା । ଅନିତାକୁ ସେ କେତେ ଭଲପାଏ ସେ କଥା ମାଳ ବୁଝିବ କିମିତି ! ଅନିତା, ଯାହା କଥା ଭାବି ଭାବି ଦିନ ସରୁନି, ଯାହା ଚିନ୍ତାରେ ବେଳ ବୁଡ଼ିନି–ସେହି ସେ ଅନିତା ତା’ ପ୍ରାଣରେ ଅନିତା । କି ଅସୀମ ଆଦର୍ଶରେ ଅନିତା ଗଢ଼ା, ତାହା ମାଳ ବୁଝିବ କିମିତି ? ଅଶୋକକୁ ନୀରବ ଥିବା ଦେଖି ମାଳ ପ୍ରଶ୍ନ, କଲା–ନୀରବ ରହିଲ ଯେ.....

ଅର୍ଥହୀନ ଭାବରେ ମାଳକୁ ଲକ୍ଷ୍ୟକରି ଅଶୋକ କହିଲା– ତୁମେ ମିଛ କହିନ ମାଳ । ଅନିତା ମୋ ପ୍ରାଣର ଅନିତା, ସେ ମୋତେ ପ୍ରାଣ ଦେଇ ଭଲପାଏ । କଥା ଛଡ଼ାଇ ମାଳ କହିଲା– ଅନିତା ଅପାଙ୍କୁ ଆପଣ ବିବାହ କରିବା କଥା । ଏ ଗାଁ ଲୋକେ ସମସ୍ତେ ଜାଣନ୍ତି–ତଥାପି ବାପାଙ୍କୁ ଏପରି ପ୍ରତିଶ୍ରୁତି ଦେଲେ କାହିଁକି ?

ବିବ୍ରତ ହୋଇ ଅଶୋକ କହିଲା–ମାଳ, ତୁମେ ମୋତେ ବିବ୍ରତ କରିଦିଅନା–ମୁଁ ଯାଉଛି....ପୁଣି ତୁମ ସହିତ ଦେଖା ହେବ ମାତ୍ର ଦଶଦିନ ପରେ.... ।

ଦଶଦିନ ପରେ ?

ହଁ, ଆଗାମୀ ବାର ତାରିଖରେ ଆଶ୍ରମ ଉଦ୍‌ଘାଟନ ଉତ୍ସବ ପାଳିତ ହେବ, ତେର ତାରିଖରେ କାମ ଆରମ୍ଭ ହେବ । ଅନିତା ସୁନନ୍ଦ, ସୁନନ୍ଦା, ତୁମେ ଓ ମୁଁ ବିଭିନ୍ନ କାମର ଦାୟିତ୍ୱ ନେବା । ରମେଶବାବୁ ଆସି ଏଇ ଗ୍ରାମରେ ରହିବେ । ମୋତେ କାଲି କଟକ ଫେରିଯିବାକୁ ହେବ-। ମୁଁ ଯାଏ......ବାପା ତେଣେ ବ୍ୟସ୍ତ ହେବେଣି..... ।

–ମୋତେ କିଛି ଶୁଣେଇଲେ ନାହିଁ । ଦୃଢ଼ କଣ୍ଠରେ ନିଷ୍ଠାର ଝଙ୍କାର ତୋଳି ଅଶୋକ କହିଲା, ବେଳ ପଡ଼ିଲେ ସବୁ କହିବି, ଏବେ ଏଠି କିଛି କହିବାର ନାହିଁ କିମ୍ବା କହି କିଛି ଲାଭ ନାହିଁ । ତେବେ ଯିବାବେଳେ ଏତିକି କହୁଛି–ମୋ ପ୍ରତିଜ୍ଞା ମୁଁ ନିଶ୍ଚୟ ପାଳନ କରିବି । ମୋ ଜୀବନରେ ଯେତେ ଝଡ଼ ଝଞ୍ଜା ଆସୁନା କାହିଁକି ମୁଁ ତୁମକୁ ନିଶ୍ଚୟ କୁଳଲକ୍ଷ୍ମୀର ଗୌରବ ଦେବି । ମୋ ଉପରେ ତୁମେ ଆସ୍ଥା ରଖ ।

ଅନିତା ଅପା.... ?

ଏଁ....ହଁ, ଅନିତା.... ! ନା ସେ ମୋର କେହି ନୁହଁ ।

ମୋର ଅନୁରୋଧ ଆପଣ ଅନିତା ଅପାଙ୍କୁ ବିବାହ କରନ୍ତୁ । ସାମାନ୍ୟ ଟିକିଏ ଆଦର୍ଶ ପାଇଁ ଗୋଟିଏ ସରଳ ଜୀବନ ନଷ୍ଟ ହେବାକୁ ଦେବିନି....କ୍ଷଣିକ ଦୁର୍ବଳ ମୁହୂର୍ତ୍ତରେ ଶପଥରୁ ମୁଁ ସମର୍ଥନ କରିପାରିବିନି । ବାପାଙ୍କ ଈପ୍ସିତ ଆଶା ହୁଏତ ଆହୁରି ବିଷାକ୍ତ ଓ ବିଷମୟ ହୋଇପାରେ । ଆପଣ ମୋତେ କ୍ଷମା କରନ୍ତୁ–କ୍ଷମା କରନ୍ତୁ–ଆପଣ ଯଦି ଆପଣଙ୍କ ନୀତି ପରିବର୍ତ୍ତନ ନ କରିବେ ମୁଁ ଆତ୍ମହତ୍ୟା କରିବି......ହଁ, ହଁ–ଅନିତା ଅପାଙ୍କ ପାଇଁ ମୁଁ ଆତ୍ମହତ୍ୟା କରିବି । ଅଶୋକର ପାଦ ଦୁଇଟି ଧରି ପକାଇ ମାଳ କାନ୍ଦି ଉଠିଲା । ଆଖିରେ ଧାରାଶ୍ରାବଣ । ଅନ୍ତର ମହାଦେଶରୁ ଶତ ଅନୁରୋଧର ବନ୍ୟା । ଅଶୋକ ମାଳକୁ ଉଠାଇ ତା’ ଆଖିରୁ ଲୁହ ପୋଛିଦେଇ କହିଲା–ତୁମେ ଯାଅ, ଯାହା ସୁବିଧା ହେବ ତାହା ମୁଁ କରିବି ମାଳ । ମାଳ ଅଶୋକ ନିକଟରୁ ଫେରି ବ୍ୟଥା ମନ ନେଇ ଘରେ ବସିଲା । ଦୋଦୁଲ୍ୟ ମନ ନେଇ ଆଗକୁ ପାଦ ବଢ଼ାଇଲା ଅଶୋକ ।

ରାତି ବାରଟା ବାଜି ତିରିଶ ମିନିଟ....

ଭାବନାର ଅଥଳ ସାଗରବକ୍ଷରେ ବୁଡ଼ି ଯାଇଛି ଅଶୋକ....ଟେବୁଲ ଉପରେ ଅନିତା ଦେଇଥିବା ଦୁଇଖଣ୍ଡ ଚିଠି....ଚିଠି ଆସିଲାଣି ପ୍ରାୟ ତିନିଦିନ ହେବ......ଦ୍ୱିତୀୟ ଖଣ୍ଡକ ଏଇ କାଲି ଆସିଚି । ସମୟ ଅଭାବ, ତେଣୁ ସେ ପଢ଼ି ପାରିନି..... । ଚିନ୍ତିତ ମନ, କ୍ଳାନ୍ତ ଶରୀର, ତଥାପି ଚିଠିଟି ଉଠାଇ ନେଲା ସେ..... ।

ଅଭୁଲା ପ୍ରିୟ.....

ସୁଦୂର କଟକ ସହରରୁ ମୋର ଭୂମିଷ୍ଠ ପ୍ରଣାମ ଗ୍ରହଣ କରିବେ । ଆପଣଙ୍କ ପ୍ରେରିତ ପତ୍ରଟି ପାଇ ଖୁବ୍‍ ଆଗ୍ରହରେ ପଢ଼ିଲି । ଆନନ୍ଦରେ ମନ ମୋର ନାଚିଉଠିଲା । ସତ କହୁଛି–ଶୟନେ, ସ୍ୱପନେ, ଗୋପନେ, ଜାଗରଣେ–ଆପଣହିଁ ମୋର ଚିନ୍ତାର ବସ୍ତୁ । ଦୀର୍ଘ ଦେଢ଼ମାସ ହେଲା ଆପଣଙ୍କୁ ଦେଖିନି । ଆଜି ଗୋଟିଏ କଥାଖୋଲି ଲଖୁଛି, କିଛି ମନେକରିବେନି । ଶୁଣିଚି ମାମୁ ଆପଣଙ୍କ ବାପାଙ୍କ ସହିତ, ‘‘ତୁମ ସହ ମୋ ବିବାହ’’ ପ୍ରସ୍ତାବ ପକାଇଛନ୍ତି । ବାପା ମଧ୍ୟ ଆଗ୍ରହ ପ୍ରକାଶ କରିଛନ୍ତି । ଏ କଥା ଆପଣ ନିଶ୍ଚୟ ଶୁଣିଥିବେ, ଏବଂ ଠିକ୍‌ ମୋ’ଭଳି ଖୁସି ହେଉଥିବେ । ଅନେକ ଦିନ ହେଲା ଆଉ ଗୋଟିଏ କଥା ମଧ୍ୟ ଆପଣଙ୍କୁ ଲୁଚାଇ ରଖିଛି । କଥାଟି ହେଲା–ଏକ ଦୁର୍ବଳ ମୁହୂର୍ତ୍ତରେ ସୁନନ୍ଦର ହାତ ସହିତ ସୁନନ୍ଦାର ହାତ ମିଶାଇଦେଇ ଉଭୟଙ୍କୁ ବିବାହ ବନ୍ଧନରେ ଶୃଙ୍ଖଳିତ କରିଚି । ଆପଣ ଅବଶ୍ୟ ଲକ୍ଷ୍ୟ କରିଥିବେ–ସୁନନ୍ଦା ସୁନନ୍ଦକୁ ଚାହୁଁଥିଲା ଆଉ ସୁନନ୍ଦ ମଧ୍ୟ......ମୋର ଉଦ୍ଦେଶ୍ୟ ଉଭୟେ ମିଶି ମୋର ଲକ୍ଷ୍ୟ ପୂରଣ କରିବେ । ଏକଥା ମୁଁ ଭଳଭାବେ ଜାଣିଥିଲି ଯେ ସୁନନ୍ଦା ଓ ସୁନନ୍ଦ ଦିନେ ନା ଦିନେ ସ୍ୱାମୀ-ସ୍ତ୍ରୀ ରୂପେ ନିଜକୁ ନିଜେ ସଜେଇ ନେଇଥାନ୍ତେ, ପଟ୍ଟନାୟକ ବଂଶ ସହିତ ମହାପାତ୍ର ବଂଶର ମିଳନ ହେବା ଲକ୍ଷ୍ୟ ବାପାଙ୍କର ଆଶାଥିଲା । ସେଥିପାଇଁ ମୁଁ ତାହା ରକ୍ଷା କଲି । ଯଦି ମୋର ଭୁଲଥାଏ ରାଗିବେନି । ଚିଠି ପାଇ ଚିଠି ଦେବେ । ମାଳ ପାଖକୁ ମୁଁ ଚିଠି ଦେଇଥିଲି, ଲେଖିଥିଲି–ଆମର ପୂର୍ବକାର୍ଯ୍ୟ କର୍ମରେ ‘‘ତୁ ଆମକୁ ସାହାଯ୍ୟ କରିବୁ କି ?’’ ଉତ୍ତର ଦେଇ ସେ ଲେଖିଛି । ‘‘ସାହାଯ୍ୟ କରିବି ନିଶ୍ଚୟା ।’’ ଘର କାମ ବୋଧେ ସରିଯିବଣି । ଆପଣ ପାସ୍‍ କରିଥିବା ଖବର ଶୁଣି ଖୁସି ହେଲି–ଏଥର ଆପଣଙ୍କ ନାମ ହେଲା–ଅଶୋକ କୁମାର ମହାପାତ୍ର B.Sc.Ac । ଆପଣ ନିଶ୍ଚୟ ଖୁସିରେ ଥିବେ, ନୁହେଁ ? ମୋତେ ଛାଡ଼ି ସତେ କ’ଣ.... ? ବହୁତ ଦିନ ହେଲା କାଠଯୋଡ଼ି କୂଳଆଡ଼େ ଯାଇନି ଆସିନେ, ନିଶ୍ଚୟ ଯିବା ଏଁ..... ? ମାମୁଙ୍କୁ ମୋର ପ୍ରଣାମ । ମଉସାଙ୍କୁ ପ୍ରଣାମ-। ମାଳକୁ ସ୍ନେହ । ଶେଷରେ ଆପଣଙ୍କୁ ଗୋଟିଏ..... । କ’ଣ ବୁଝିପାରିଲେନି ବୋଧେ ? ଏଁ ସେଇ କଥାମ, ଚୁମ୍ବନ....ନାଇଁ.....ନାଇଁ....ଲାଜ ମାଡ଼ୁଛି–ଇସ୍, ଆପଣ ନିଶ୍ଚୟ ଭାବୁଥିବେ ଅନିତା ବଡ଼ ଦୁଷ୍ଟ, ଅଭଦ୍ର । ନୁହେଁ–ସତ ମଣିମ ! ମୁଁ ମୋଟେ ଦୁଷ୍ଟ ନୁହେଁ, ଆପଣ ମୋତେ ଦୁଷ୍ଟ କରିଛନ୍ତି– । ଆଜି ତାହାହେଲେ ଏତିକିରେ ଇତି କରେ.... ?

। ଇତି ।

ଆପଣଙ୍କର

‘‘ଅନିତା’’

 

ଚିଠିଟି ପଢ଼ିସାରି ଦୀର୍ଘଶ୍ୱାସ ନେଲା ଅଶୋକ । ଆଖିପଡ଼ିଲା ଆଉ ଖଣ୍ଡି ଏ ଚିଠି ଉପରେ....

ମୋ ରାଜକୁମାର,

ଦୂରରୁ ପ୍ରେରିତ ପ୍ରଣତି ନେବ । ଆପଣଙ୍କର ଆସିବା ଡେରି ହେବାରୁ ଏ ପତ୍ରଟି ପୁଣି ଲେଖୁଛି । ଶୁଣି ଖୁସିହେବ ଯେ–ସୁନନ୍ଦ ପ୍ରଥମ ହୋଇ ପାସ୍‍ କରିଛି । ଆପଣ ଆସିଲେ ଆଶ୍ରମ ଓ ମେଡ଼ିକାଲ ପାଇଁ ଆବଶ୍ୟକୀୟ ଦ୍ରବ୍ୟମାନ କିଣାହେବ । ସାଇନବୋର୍ଡ଼ଗୁଡ଼ିକ ଲେଖାହୋଇ ଆସିଗଲାଣି । ଗତ ବୁଧବାର ଦିନ ବାପା କଲିକତା ଯାଇଛନ୍ତି । ସେଠାରେ ବାପା ରଘୁନାଥ ପଟ୍ଟନାୟକଙ୍କର ପ୍ରତିମୂର୍ତ୍ତି ତିଆରି କରାଇଛନ୍ତି । ଟେଲିଗ୍ରାମ ଆସିଥିଲା ତେଣୁ ସେ ଗଲେ । ବୋଉଙ୍କହ ଦେହ ଭଲ ନଥିଲା ଏବେ ଟିକିଏ ଭଲ ଅଛନ୍ତି । ଦିନରାତି ମୋର ଆପଣଙ୍କ ଚିନ୍ତା । କେବେ ଦେଖିବି ଏଇ ଆଶାରେ ଅନାଇ ବସିଛି । ପୂର୍ବ ଚିଠିରୁ ସବୁ ଜାଣିଥିବେ । ବିନୋଦ ମଉସା ଆଶ୍ରମ ନିର୍ମାଣ କାମ ନିଜେ ଦାୟିତ୍ୱ ନେଇ କରୁଥିବାର ଜାଣି ଖୁବ୍‍ ଖୁସି ହେଲି । ଯାହାହେଉ, ବାପା ଆର ପୁରରେ ଥାଇ ଆନନ୍ଦ ଲାଭ କରୁଥିବେ । ଗତ ଶନିବାର ଦିନ ସୁନନ୍ଦା ସୁନନ୍ଦ ସହିତ ପୁରୀ ଯାଇଛି । ବାପାତ କଲିକତାରେ, କାର୍‌ ଏଇନେ ସୁନନ୍ଦ ହାତ ମୁଠାରେ । ଆମ୍ବାସଡ଼ର କାର୍‌ଟି ଫୁରୁସତ ପାଉନି, ଆଜି ପୁରୀ ତ କାଲି ଭୁବନେଶ୍ୱର । କାମତ ସରିଯିବଣି । ସେଠାରେ ବସିଛନ୍ତି କାହିଁକି ଯେ, ଆସନ୍ତୁନା । ଏଇ ଅଳ୍ପଦିନରେ ତ’ ଗ୍ରାମକୁ ଫେରିବେ । ଡେରିକଲେ କି ଲାଭ ? ଶୀଘ୍ର ଆସିବେ, ଆପଣଙ୍କ ଅପେକ୍ଷାରେ ରହିଲି । ।ଇତି।

ଆପଣଙ୍କ ଚରଣ ଆଶ୍ରିତ

‘‘ଅନିତା’’

 

ଲୁହ ପୋଛିଲା ଅଶୋକ । କ’ଣ ତା’ର କର୍ତ୍ତବ୍ୟ । ଏକ ଦିଗରେ ଅନିତା ଅନ୍ୟଦିଗରେ ମାଳ । ନିଜେ ନିଜ ହାତରେ ଏସବୁ ଭେଇଛି । କାହାକୁ ଦୋଷ ଦେବ ? ଅନିତା ଯିଏ ପ୍ରାଣ ବିନିମୟରେ ଚାହେଁ ତାକୁ, ସେହି ସେ ପ୍ରିୟତମା ଅନିତା । ତା’ଛଡ଼ା ରଘୁବାବୁଙ୍କ ଅନ୍ତିମ ଆଶା ଥିଲା ଅନିତା ମହାପାତ୍ର ବଂଶର ବୋହୂ ହେବ । ଏବେ ସବୁ ଓଲଟ ପାଲଟ ହୋଇଗଲା । ମାଳକୁ ସେ ଜବାବ ଦେଇଛି, ନା ବାପ ସନେଇ ଆଗରେ ପ୍ରତିଜ୍ଞା କରିଛି । କ’ଣ କରିବ ! କିମିତି ଅନିତାକୁ ନାସ୍ତିବାଣୀ ଶୁଣାଇବ । କିମିତି କହିବ ? କ’ଣ କହିବ ? ଅନିତା ଯେତେବେଳେ ଶୁଣିବ, ସେ ମାଳକୁ ବିବାହ କରିବାକୁ ସ୍ଥିର କରିଛି ସେତେବେଳେ ସେ କ’ଣ ଭାବିବ ? କ’ଣ ନ କହିବ ସତେ । ହୁଏତ ଆତ୍ମହତ୍ୟା କରିପାରେ ।

 

ଅଶୋକ ଭାବୁଥିଲା କେବଳ, ଆଉ ଚିନ୍ତାଥିଲା ତା’ ମାନସ ପଟରେ । କଟକ ଚଣ୍ଡିଙ୍କ ଚରଣକୁ ସାକ୍ଷୀ ରଖି ଅନିତା ଯେଉଁ ଶପଥ କରିଛି କ’ଣ ହେବ ସେ ପ୍ରତିଜ୍ଞାର ପଠନ ? ଭାବିପାରୁନି ସେ । ଆଖି ଆଗରେ ନାଚି ଉଠୁଛି ଅନିତାର ହସହସ ମୁଖ ଖଣ୍ଡିକ । ଏଇ ସେ ଦେଖିପାରୁଛି ତା’ ଆଖିରେ କରୁଣ ଚାହାଣି, ଥରିଲା ଓଠରେ ଅକୁହା କାହାଣୀ, ମନରେ ଅଶୋକକୁ ପାଇବାର କାମନା, ଜୀବନରେ ସ୍ୱାମୀ ମୁଖର ଅସଂଖ୍ୟ କଳ୍ପନା, ତେବେ । ତେବେ ? ତେବେ ?? ନା ନା–ସେ ଅନିତାକୁ ପରିତ୍ୟାଗ କରିପାରିବ ନାହିଁ । ଅନିତା ସେ ତା’ର ଧର୍ମପତ୍ନୀ, ସେ ତାକୁ ଛାଡ଼ି ଚଳିପାରିବନି । ଅଶୋକ ଟେବୁଲ ଉପରେ ମଥାରଖି ଭାବିଚାଲିଥିଲା । ସେ ଭାବୁଥିଲା କେତେକ ଅସମାପିକା କଥାର ଇତିବୃତ୍ତି । ରାତି ଆହୁରି ଘନେଇଥିଲା । ଆହୁରି ଦୂରକୁ ଦୂରକୁ ଲମ୍ବିଯାଇଥିଲା ଅଶୋକର ଚିନ୍ତାଧାରା । ଦୂର ଆମ୍ବତୋଟାରୁ ଶୁଭୁଥିଲା କେଉଁ ଏକ ଅନାମଧେୟ ପକ୍ଷୀର କରୁଣ କାକଳି । ଅଶୋକ ଶୋଇଗଲା । ହଁ, ସେ ଶୋଇଯିବ, ଶୋଇଯିବ ଖୁବ୍‌ ଆରାମରେ । ଓଃ ! କି କ୍ଳାନ୍ତ ସେ : କ୍ଷେତ୍ରପାଳ ମହାଦେବୀଙ୍କ ମନ୍ଦିରରୁ ବୃଦ୍ଧ ସନ୍ନ୍ୟାସୀ ଜଣକ ଗାଇ ଉଠୁଥିଲେ ଏକ କରୁଣ ବୋଳା ଭଜନ ପଦିଏ–

 

‘‘ଦୁନିଆ ହାଟକୁ ଆସି

ହେଲି ମୁଁ ବଣା......

ଉଜୁଡ଼ି ଯାଉଛି ମୋର

ଘର କରଣା

ଦୁନିଆ.....’’

 

(ପୁରାତନୀ)

 

ଛଅ

 

ଅନିତା ଠାକୁର ପୂଜା ସାରି ଅଗଣାରେ ପାଦ ଦେଇଚି କି ନାହିଁ, କାନରେ ବାଜିଲା ରମେଶବାବୁଙ୍କ କଣ୍ଠସ୍ୱର । ଅନିତା ଶୀଘ୍ର ଆଗେଇ ଗଲା ଓ ଦରଜା ଖୋଲିଦେଲା । ରମେଶବାବୁଙ୍କୁ ପ୍ରଣାମ କରି ଅନିତା କହିଲା–ବାପା, ତୁମେ ବୋଧେ ଏଇ ସକାଳ ଗାଡ଼ିରେ ଆସିଲ ? ଅନିତାର ମୁଣ୍ଡ ଆଉଁସିଦେଇ ରମେଶବାବୁ ହସି କହିଲେ, ହଁରେ ବୁଢ଼ୀ ! ଆଚ୍ଛା, ଅଶୋକ ଆସିଲାଣି ?

ନା–ନା, ସେ ଆସି ନାହାନ୍ତି, ଆସ ଆଗ ଘରକୁ..... ।

ତୁ ଅନନ୍ତାକୁ ଡାକ୍‍, ମହିଆକୁ ଡାକ୍‌ ରିକ୍ସାରୁ ମାଲଗୁଡ଼ିକ ବୋହି ନିଅନ୍ତୁ ସେମାନେ– ।

କ’ଣ ବାପାଙ୍କ ପ୍ରତିମୂର୍ତ୍ତି କାମ ସରିଯାଇଛି ?

ସରିଛି ମାନେ, ମୁଁ ସାଥିରେ ନେଇ ଆସିଛି ।

ରମେଶବାବୁଙ୍କ କଥା ସରିଛି କି ନାହିଁ ଅଶୋକ ଆସି ପହଞ୍ଚିଲା । ପ୍ରଣାମ କଲା ରମେଶବାବୁଙ୍କୁ । ଅଶୋକକୁ ଦେଖି ଅନିତାର ମନ ମୟୂରୀ ଆନନ୍ଦରେ ନାଚିଉଠିଲା ସତେ !–

ନୁହେଁ ତ ଆଉ କ’ଣ ? ସକାଳୁ ପ୍ରିୟତମଙ୍କ ଦର୍ଶନ । ଇସ୍‌; ଏ ମନ ଭାବେ ଯାହା.....ଅନିତା ଲାଜରେ ଖଞ୍ଜା ଭିତରକୁ ଆସି ମହିଆ ଓ ଅନନ୍ତାକୁ ଡାକିଦେଲା ଏବଂ ଚା’ ବସାଇଲା ।

ଅଶୋକ ଫେରିଛି । ଫେରିଛି ଦୀର୍ଘ ଦେଢ଼ମାସ ପରେ । ଦୀର୍ଘ ଦିନର ଦାରୁଣ ବିରହ ପରେ ପ୍ରେମମୟ ମଧୁର ମିଳନଲଗ୍ନ । ହଁ ଲଗ୍ନଟା ଖୁବ୍ ନିକଟରେ । ସତେ ଅଶୋକବାବୁ କେଡ଼େ ଭୁଲା ମଣିଷ ଯେ–ଏଇ ଆସୁଛି ବୋଲି ଦେଢ଼ମାସ ରହି ଆସୁଛନ୍ତି । ହଉ.....ଦେଖିବି ଯେ କେମିତି ସିହାଣିଆ ତୁମେ– । ଅନିତା ମୁଖମଣ୍ଡଳରେ ଅଭିମାନର ଇନ୍ଦ୍ରଧନୁ ।

ମହିମା ଓ ଅନନ୍ତା ସମସ୍ତେ ମାଲ ବୋହିନେଲେ ଘର ମଧ୍ୟକୁ । ରଘୁବାବୁଙ୍କ ମାର୍ବଲ ମୂର୍ତ୍ତିଟିକୁ ମଧ୍ୟ ବହୁ କଷ୍ଟରେ ଦାଣ୍ଡଘରେ ରଖିଲେ । ରିକ୍ସାବାଲା ତିନୋଟି ନିଜ ନିଜର ପ୍ରାପ୍ୟ ନେଇ ଚାଲିଗଲେ । ବୈଠକ ଘରେ ବସିଲେ ରମେଶବାବୁ ଓ ଅଶୋକ । ଖଣ୍ଡିଏ ଚେୟାର ଗ୍ରହଣ କରି କହିଲା–ସମସ୍ତ ଜିନିଷପତ୍ର ତାହାହେଲେ ଆସିଗଲା ? ରମେଶବାବୁ କହିଲେ–ହଁ, ପ୍ରାୟ ଅଧିକାଂଶ କିଣି ଆଣିଛି । ବାକି ଯାହା ସବୁ ଅଛି, ସେ ସମସ୍ତ ଏଇ କଟକରୁ କିଣାଯିବ । ସଦାନନ୍ଦବାବୁ ଆସିଲେ ସେସବୁ ହେବ । ମେଡ଼ିକାଲ ପାଇଁ ଦଶଟା ଖଟିଆ କିଣା ସରିଛି, ଅନ୍ୟ ସମସ୍ତ–ଏହି ମଧ୍ୟରେ ଖର୍ଦ୍ଦି କରିଦେବା । ହଁ ଅଶୋକ, ତେଣେ କାମ କେତେଦୂର ଗଲା ?

ହଁ, ସମସ୍ତ କୋଠକାମ ସରିଯାଇଛି । ଏପରିକି ବାଡ଼ବନ୍ଦୀ ମଧ୍ୟ ସରିଛି । କେବଳ ଆଶ୍ରମ ଗୃହ ସମୂହ ପ୍ରତିଷ୍ଠା ହେବା କଥା– ।

ଆଚ୍ଛା ଅଶୋକ, ତୁମେ ସଦାନନ୍ଦବାବୁଙ୍କୁ ଆସିବାକୁ କହିଛ ?

ହଁ ମୁଁ ତାଙ୍କୁ କହିଚି । ସେ ବୋଧେ କାଲି ଆସିବେ ।

କାଲି ଆସିବେ ? ବୁଝିଲ ବାବୁ, ମୁଁ ତୁମ ବାପାଙ୍କ ପାଖକୁ ଓ ସଦାନନ୍ଦବାବୁଙ୍କ ପାଖକୁ ଟେଣଲିଗ୍ରାମ କରିଛି, ବୋଧେ ଆଜି ଆସି ପହଞ୍ଚିଲେ ।

କ’ଣ କଚେରି କାମ ଅଛି ? ସ୍ନେହବୋଳା କଣ୍ଠରେ ରମେଶବାବୁ, କହିଲେ, ତମେ ପିଲାଲୋକ ସେଥିରୁ କ’ଣ ପାଇବ । ମାତ୍ର ଚାରିଟା ଦିନ ବାକି, ମୁଁ ଏକୁଟିଆ ମଣିଷ, ପୁଣି ବୁଢ଼ା ହେଲିଣି, କ’ଣ ଭଲା କରିବି–ଆଉ ମୁଁ ପାରୁନି । କିଛି ବୁଝି ନ ପାରି ଅଶୋକ କହିଲା–ମୁଁ ଆପଣଙ୍କ କଥା କିଛି ବୁଝିପାରୁନି ଆଜ୍ଞା । କେହି ବୁଝି ନାହାନ୍ତି, କେହି ଜାଣି ନାହାନ୍ତି । ଜାଣନ୍ତି ତୁମ ମାଉସୀ ମିନାକ୍ଷୀ, ଜାଣେ ମୁଁ ଆଉ କିଏ ଜାଣେ କହିଲ ? ସଦାନନ୍ଦବାବୁ ମଧ୍ୟ ଜାଣନ୍ତି, ବୁଝିଲ ।

ବୁଝିଲି ।

କ’ଣ ବୁଝିଲ ?

ବଡ଼ ଅଡ଼ୁଆରେ ପଡ଼ିଲା ଅଶୋକ । ରମେଶବାବୁ କେତେବେଳେ ଯେ କ’ଣ କହୁଛନ୍ତି, ସେ କିଛି ବୁଝିପାରୁନି, କି ଜାଣିପାରୁନି । ଉତ୍ତର ଦେବାକୁ ଯାଇ ଅଶୋକ କହିଲା, ମୋତେ କ୍ଷମା କରନ୍ତୁ, ମୁଁ ଆପଣଙ୍କର କୌଣସି କଥା ବୁଝିପାରୁନି ।

ଏତିକିବେଳେ ଅନିତା ଚା’ ନେଇ ଆସିଲା । ଟେବୁଲ ଉପରେ ଚା’ କପ୍‌ ଦୁଇଟି ଥୋଇ ଦେଇ ଖୁବ୍‌ ଶୀଘ୍ର ସେ ଚାଲିଗଲା । ରମେଶବାବୁ ଚା’ ଖାଉ ଖାଉ କହିଲେ, ତୁମେ ମୋ କଥା ବୁଝିବା ଦରକାର ନାହିଁ । ଆସନ୍ତା ଗୁରୁବାର ଦିନ ସବୁକିଛି ବୁଝିପାରିବ । ହଁ, ଚାହା ଖାଇନିଅ– ।

ମିନାକ୍ଷୀ ଆସିଛନ୍ତି । ତାଙ୍କ ହାତରେ ଗୋଟାଏ ଛୋଟ ସୁଟକେସ୍‌ । ମୀନାଙ୍କୁ ଦେଖୁ ଦେଖୁ ରମେଶବାବୁ କହିଉଠିଲେ–କ’ଣ ଅନିତା ମା’ ସବୁ ଭଲତ ? କିମିତି ଅଛ ? ଦେହପା ସବୁ ଭଲ ଅଛି ତ ?

ମିନାକ୍ଷୀ ବଡ଼ ଅସୁବିଧାରେ ପଡ଼ିଲେ । କି ଅଦ୍ଭୁତ ମଣିଷ, ଏତେ ଭାବବିହ୍ୱଳ ହେଲେ ମଣିଷ ଲୋକହସା ହେବ ସିନା କ’ଣ ଏବେ କରିବେ । କ’ଣ କହିବେ ? ସେ କୃତ୍ରିମ ରାଗରେ ଆଖି ଇସାରାରେ ରମେଶବାବୁଙ୍କୁ ସୂଚାଇ ଦେଲେ ଯେ, ଏଠି ଅଶୋକ ଅଛି । ତୁମର ଟିକିଏ ଭଦ୍ରାମି ନାହିଁ ।

କଥା ଘୂରେଇ ରମେଶବାବୁ କହିଲେ, ଓ....ହଁ .....ହଁ....ଆରେ ଅଶୋକ ତୁମେ ଭିତରକୁ ଯାଅ । ଯାଅ, ଅନିତା ନିଶ୍ଚୟ ଜଳଖିଆ ତିଆରି କରିସାରିବଣି–ଯାଅ ଖାଇ ନେବ । ଅଶୋକ ଧୀରେ ଧୀରେ ଚାଲି ଆସିଲା ଅଗଣା ଆଡ଼କୁ....କଥା ବାଆଁରେଇ ରମେଶବାବୁ କହିଲେ–ଆରେ ଠିଆ ହେଲ କାହିଁକି ମୀନା, ବସ । ହଁ, କଥା କ’ଣ କି ଜିଭଟା ଟିକିଏ ଖସିଗଲା– । କ’ଣ ବୁଝିଲଟି– ? ବିରକ୍ତ ହୋଇ ମିନାକ୍ଷୀ କହିଲେ–ଛୋଟ ପିଲାଙ୍କ ଆଗରେ ତୁମେ ଟିକିଏ ଜଗିରଖି କଥା କହିପାରନା ? ଅଶୋକ କ’ଣ ଭାବିଥିବ କହିଲ । ଓଃ ତୁମକୁ ନେଇ ମୁଁ ଆଉ ପାରୁନି...... ।

ଭୁଲ ତ ହୋଇଯାଇଛି । ଆଉ କ’ଣ କାନ ଧରିବ ?

ମୁଁ ତ ସେ କଥା କହୁନି । ଶୁଣ, ବଣିଆ ଅଳଙ୍କାର ଦେଇଯାଇଛି । ଟଙ୍କା ମଧ୍ୟ ନେଇଯାଇଛି । ମିନାକ୍ଷୀ ଅଳଙ୍କାର ବାକ୍ସ ଖୋଲି ସବୁ ଗୁଡ଼ିକ ରମେଶବାବୁଙ୍କୁ ଦେଖାଇଲେ । ଅଳଙ୍କାରଗୁଡ଼ିକ ରମେଶବାବୁ ଦେଖୁଥାନ୍ତି, ମିନାକ୍ଷୀ କହିଲେ–କ’ଣ ପସନ୍ଦ ହେଉଛି କି ନାହିଁ ?

 

ହଁ, ପସନ୍ଦ ହେବନି । ତୁମେ ଯେତେବେଳେ ବରାଦଦେଇ ତିଆରି କରାଇଛ, ସେତେବେଳେ ମୁଁ ବା କି ଛାର, ମୋ ଅଫିସର ମଧ୍ୟ ପସନ୍ଦ କରିବ । ବିରକ୍ତ ହୋଇ ମିନାକ୍ଷୀ କହିଲେ–ତୁମେ ଆଜିକାଲି ବେଶୀଗୁଡ଼ାଏ ଗପୁଛ । ଏତେ ଭାବପ୍ରବଣତା ତୁମକୁ ସାଜେନା । ମୁଁ କହୁଛି କ’ଣ, ଆଉ ତମେ କହୁଛ କୋଉ କଥା– ? ଏଁ..... ! ରମେଶବାବୁ ଟିକିଏ ବିରକ୍ତ ହେଲେ କିନ୍ତୁ ସେ ବିରକ୍ତିରେ ରାଗ ବା ଈର୍ଷା ନ ଥିଲା । ଯିଏ ସରଳ ପବିତ୍ର, ସେ ସର୍ବଦା ପବିତ୍ର । ରମେଶବାବୁ ନିଜର ଅକ୍ଳାନ୍ତ ପରିଶ୍ରମରେ, ଅଜସ୍ର ଧନ୍ୟ ବ୍ୟୟରେ ଅନିତା ଓ ସୁନନ୍ଦକୁ ଦୁନିଆ ଦାଣ୍ଡରେ ଚଳାଇ ଶିଖିଛନ୍ତି । ସୁନ୍ଦନକୁ ଡାକ୍ତର କରିଛନ୍ତି, ଦୀର୍ଘ ଚାକିରି ଜୀବନରେ ସେ ଯାହା ରୋଜଗାର କରିଥିଲେ ସେ ସମସ୍ତ ଧନ ଏଇ ଭାଇ-ଭଉଣୀଙ୍କ ଉନ୍ନତିରେ ଲଗାଇଛନ୍ତି । ଆଜି....ଆଜି ଅନିତାର ଭବିଷ୍ୟତ ପାଇଁ ତାଙ୍କ ମଥା ଘୂରୁଛି..... ! ସ୍ୱର୍ଗତ ରଘୁନାଥ ପଟ୍ଟନାୟକଙ୍କ ଅନ୍ତିମ ଇଚ୍ଛା ପୂରଣ କରିବା ପାଇଁ ସେ ଅନିତାକୁ ଅଶୋକ ସହ ବିବାହ ଦେବାକୁ ସ୍ଥିର କରିଛନ୍ତି । ଆଉ ମିନାକ୍ଷୀ ଦେବୀଙ୍କ ଅନୁରୋଧ ଓ ଅନିତାର ଅନୁରୋଧ ରଖିବାକୁ, ସେ ସୁନନ୍ଦ ସହ ସୁନନ୍ଦାର ମଧ୍ୟ ବିବାହ ସ୍ଥିର କରିଛନ୍ତି, ‘ଶୁଭ ବିବାହ’ । ମାତ୍ର ଆଉ ଚାରିଟା ଦିନ ପରେ......ଆଗାମୀ ଆନନ୍ଦ ପାଇଁ ରମେଶବାବୁ ଆତ୍ମହରା ! ମିନାକ୍ଷୀ ଦେବୀଙ୍କ ଆଖିରେ ଆନନ୍ଦାଶ୍ରୁ ।

 

ତଳ ଖଞ୍ଜାକୁ ଯାଇ ଅଶୋକ ଦେଖିଲା ଅନିତା ଜଳଖିଆ ତିଆରି କରୁଛି । ଧୀରେ ଧୀରେ ଅନିତାର ପଛପଟକୁ ଯାଇ ସେ କହିଲା, ଭୀଷଣ ଭୋକ, ଟିକିଏ ଜଳଖିଆ ମିଳିବ ?

 

ଚମକି ପଡ଼ିଲା ବିରହିଣୀ ଅନିତା । ଦୀର୍ଘ ଦୁଇମାସର ବିଚ୍ଛେଦ ପରେ ତା’ ମନ ବଗିଚାରେ ଫୁଟି ଉଠିଲା ଅଗଣିତ ରଜନୀଗନ୍ଧା । ଲାଜେଇ ଯାଇ ଅନିତା କହିଲା–ଏତେ ଦିନ ସେଠି କ’ଣ କରୁଥିଲ ?

 

କ’ଣ କରୁଥିଲି, ତମେ ନିଶ୍ଚୟ ଜାଣିଥିବ, ଦିନ ନାହିଁ ରାତି ନାହିଁ, ଖଟି ଖଟି ମୁଁ ବଡ଼ ଦୁର୍ବଳ । ଏଇ ମାତ୍ର କାଲି ସବୁକାମ ଶେଷ ହେଲା, କାଲି କାମ ସରିଛି–କାଲି ମଧ୍ୟ ଆସିଛି । ସକାଳ ହେଲା, ହାଜର ତମ ପାଖରେ । ତା’ପରେ ତମେ ମୋତେ ଏକ ଅବାନ୍ତର ପ୍ରଶ୍ନ କଲ, ତା’ପରେ ମୁଁ ତମ ପ୍ରଶ୍ନର ଉତ୍ତର ଦେଲି, ତା’ପରେ..... । କଥା ଛଡ଼ାଇ ଅନିତା କହିଲା, ତା’ପରେ ତମେ ଟିକିଏ ହସିଲ, କଥା କହିଲ, ତା’ପରେ ପୁଣି ।

 

ଅନିତାର ପିଲାଳିଆ କଥାରେ ହସିଉଠିଲା ଅଶୋକ । ସତରେ ଅନିତା ବେଳେ ବେଳେ ଏମିତିଆ କଥା କୁହେ ଯେ ଅଶୋକ ନ ହସି ରହିପାରେନା । ଅନିତା ମଧ୍ୟ ଠିକ୍‌ ଅଶୋକର ଏକ ଅନ୍ୟ ଛବି ବା ନକଲ– । ଆଜି ମଧ୍ୟ ଅଶୋକ ହସିଛି, ହସାଇଛି ପ୍ରୀତିର ପ୍ରତିମା–ଅନିତାକୁ । ତା’ ପ୍ରାଣର ଅନିତା–ପ୍ରେୟସୀ ଅନିତା । ଅନିତା ପାଖକୁ ଲାଗିଗଲା ସେ । କେଉଁ ଏକ ଅଜଣା ଆବେଗରେ କୋଳେଇ ଧଇଲା ତାକୁ । ମାନଭରା ମୁଖଚନ୍ଦ୍ରରେ ଆଙ୍କିଦେଲା ଉଷ୍ଣ ଚୁମ୍ବନ କେତୋଟି.....ଲାଜରେ ଭାଙ୍ଗିପଡ଼ିଲା ଅଭିସାରିକା ଅନିତା । ଇସ୍‌, କିମିତିଆ ଦୁଷ୍ଟ ତୁମେ ? ଦିନଟାରେ, ପୁଣି ପର ଝିଅ ପାଖରେ । ବଡ଼ ଅଭଦ୍ର, ଅତି ଚଗଲାମି, ଛି–ଯଦି ବାପା ବୋଉ ଦେଖନ୍ତି ? ଦେଖିଲେ କ’ଣ ନ ହେବ ମୋ ଅବସ୍ଥା ! ହୁଁ, ଏସବୁ କ’ଣ ଶିକ୍ଷିତ ଲୋକଙ୍କ ପକ୍ଷେ ସାଜେ । ଲାଜକୁଳି ଲତା ଭଳି ସରମରେ ନଇଁପଡ଼ିଲା ସେ । ଅଶୋକ ଅନିତାକୁ ଛାଡ଼ିଦେଇ କହିଲା–ଏଁ..... ?

 

ନୀରବ....ମହାନ ମୋହନୀୟ ସୂର୍ଯ୍ୟାଲୋକର ଚାନ୍ଦୁଆ ତଳେ ପ୍ରଣୟ ବିଧୁରା ଅନିତା ଓ ପ୍ରୀତି ପାଗଳ ମଧୁପ ଅଶୋକ.....ଏଇ ନୀରବତା ମଧ୍ୟ ସ୍ଥଳରେ ମୂର୍ତ୍ତିମନ୍ତ ପବିତ୍ରଭରା ସ୍ନେହ ଶିହରଣ ବୋଳା ପ୍ରେମ, କାମନା ମାୟା ମମତା ଓ ଦେବା, ପାଇବାର ସତ୍ୟ ଶିବ ସୁନ୍ଦର ସ୍ନେହର ମିଳନ କାମନା.....ଜଣେ ଚାହେଁ ଜଣକୁ । ଅନ୍ୟ ଜଣକ ମଧ୍ୟ.....ତେବେ ପାଇବା ନ ପାଇବାର ଭୁଲ ବୁଝାମଣା ଭିତରେ ଉଭୟେ ଖୋଜି ଖୋଜି ହାଲିଆ ହେଲେଣି, କ୍ଳାନ୍ତ ହୋଇପଡ଼ିଲେଣି ଖୋଜି ସେଇ ମିଳନ ଲଗ୍ନକୁ । ଆଉ କେତେ ଦୂରେ କେଉଁଠି ସେ....ମଧୁମୟ ଲଗ୍ନଟି..... । ଓଃ....-! ମୁଁ କ୍ଳାନ୍ତ, ଖୁବ୍‌ କ୍ଳାନ୍ତ, ଅତି ଦୁର୍ବଳ । ଆଉ ମୁଁ ପାରୁନି...... !!!

 

‘‘ହୁଁ...... ।’’

 

ତେବେ ଟିକିଏ ବସି ପଡ଼ନା....ଅନିତା ରୋଷେଇ ଘର ଦ୍ୱାର ମୁହଁରେ ଖଣ୍ଡିଏ ଚୌକି ପକାଇ ଦେଇ ଅଶୋକକୁ ବସିବାକୁ ନିମନ୍ତ୍ରଣ କଲା । ଅଶୋକ ବସିଲା, ଅନିତା ଗୋଟିଏ ପ୍ଲେଟରେ କିଛି ଜଳଖିଆ ନେଇ ଛୋଟ ଟୁଲ ଉପରେ ରଖି କହିଲା–ଆପଣ ଖୁବ୍‌ କ୍ଳାନ୍ତ ନା ? ତେବେ ଏତକ ଖାଇଦିଅନ୍ତୁ, ଦେଖିବେ ସବୁ କ୍ଳାନ୍ତି ଦୂରେଇ ଯିବ ।

 

ସତେ ?

 

ଆରେ, ମୁଁ କ’ଣ ମିଛ କୁହେ ।

 

ତୁମେ ଖାଇବନି– ?

 

ଉଁ–ହୁଁ

 

ତୁମେ ନ ଖାଇଲେ ମୁଁ ଖାଇବିନି, ଆସନା–

 

ଦିନକୁ ଦିନ ପିଲା ହେଲେ ଚଳିବ ? ବାପା କି ବୋଉ ଆସିଲେ ଭାବିଲ ଅବସ୍ଥାଟା କ’ଣ ହେବ ?

 

ହଉ, ତୁମ ଇଚ୍ଛା ।

 

ଅଶୋକ ଖାଇବାରେ ମନୋନିବେଶ କଲା । ହାତ ଧୋଇ ନେଇ କହିଲା ଅଶୋକ–ମୁଁ ତେବେ ଆସୁଛି–ସଞ୍ଜକୁ ଆସିଲେ କାଠଯୋଡ଼ି କୂଳଆଡ଼େ ଯିବା–କ’ଣ ରାଜି ତ ?

 

ରାଜି, ଏକଦମ୍ ଏକମତ ।

 

ବେଶ୍‌ ଆସେ ତା’ହେଲେ..... ?

 

ଆସନ୍ତୁ, ନମସ୍କାର ।

 

ମୋର ନମସ୍କାର ଦରକାର ନାହିଁ, ମୋର ଦରକାର– ଏତକ କହି ଅନିତା ପାଖକୁ ଅଶୋକ ଲାଗିଆସି ଅନିତାର ଗୋଲାପି ଗଣ୍ଡିରେ ଆଙ୍କି ଦେଲା ଏକ ସ୍ନେହର......

 

ସାତ

 

ଭାନୁ ବିଦାୟ କାଳୀନ କରୁଣ ସମୟ । ଦୂର ଦିଗ୍‍ବଳୟ ଅସ୍ତାଚଳେ’ ମା’ଙ୍କ ସୁଖମୟ କୋମଳ କୋଳେ ଲୁଚିଗଲେ ଦିନକର ଦିନମଣି, ପଶ୍ଚିମ ଦିଗରେ ରାଶି ରାଶି ଅବିର ରଙ୍ଗର ବୋଳା ରଙ୍ଗିଲା ବାଦଲ । ଅମାପ ଦୂରରେ ଅନ୍ଧାର କୁହୁଡ଼ିଘେରା ଗଗନରେ, ଅଗଣିତ ନୀଡ଼ ମୁହାଁ ପକ୍ଷୀ ଫେରି ଯାଉଛନ୍ତି ନିଜ ନିଜର ନୀଡ଼କୁ ।

 

ଏଇ ସମୟରେ.....

 

ଅନିତା ଓ ଅଶୋକ......

 

ଇତିହାସ ବର୍ଣ୍ଣିତ ବାରବାଟି ଦୁର୍ଗର ମସୃଣ-ଘାସ ଗାଲିଚାରେ ଭାବାମଗ୍ନ ସେ ଦୁହେଁ....

 

ଅଶୋକ କୋଳରେ ନିଜର ଭାରାକ୍ରାନ୍ତ ମସ୍ତକଟି ରଖି ଅନିତା ଚେଷ୍ଟା କରୁଥିଲା ସବୁ କିଛି ଭୁଲି ଯିବାକୁ, କିନ୍ତୁ..... ! କାହିଁକି ? –ସେ ଆଜି ଅଭାଗିନୀ ନୁହେଁ, ସେ ପ୍ରିୟ ସୋହାଗିନୀ ପ୍ରିୟା, ତା’ର.....ଈପ୍ସିତ ପ୍ରିୟତମ ଅଶୋକବାବୁ ଆଜି ତା’ର ଅତି ନିକଟରେ । ଅନିତା କେବଳ ନୀରବ ରହି ଭାବୁଥିଲା ଆଗାମୀ ଦିନର ଛପିଲା କଥା– ?

 

‘‘କ’ଣ ତୁମେ କିଛି କହିବନି– ?’’

 

‘‘କ’ଣ କହିବି ?’’

 

‘‘ଏଇ....ଏମିତି....’’

 

‘‘ହଁ’ ସେଇ ସେମିତି....’’

 

‘‘କିମିତି, କିଏମ ?’’

 

‘‘ତୁମେତ, ଦୁଷ୍ଟ ଅତି......’’

 

‘‘ମୁଁ, ମୁଁ, ଦୁଷ୍ଟ ?’’

 

ଅଶୋକ ଅନିତାର ଦର ହସିଲା ମୁଖମଣ୍ଡଳ ଉପରକୁ ନିଜର ଥରିଲା ଓଷ୍ଠ ଯୁଗଳକୁ ତଳକୁ କଲା, ଲାଜରେ ମରି ଯାଇଥିଲା ସୁନ୍ଦରୀ ଅନିତା ! ଓଃ ବଡ଼ ଅଡ଼ୁଆରେ ସେ ପଇଲା । ଆଜି.....ଚାଲନ୍ତୁ ଯିବା ?

 

ଉଁହୁଁ–କହିଲା ଅଶୋକ, ଅଭିମାନକୁ କଥାରେ ବୋଳି ଅନିତା କହିଲା–ତା’ହେଲେ ଆପଣ ଏଠି ରହିବେ ଏ ଅନ୍ଧାର ରାତିରେ ?

 

ତୁମେ ବି ରହିବ ।

 

ମୁଁ !

 

ଡରିଗଲ ଯେ, କ’ଣ ଡର ଲାଗୁଛି ?

 

ମୁଁ ରହିବି, ପୁଣି ଆପଣଙ୍କ ପାଖରେ ?

 

ହଁ, କ୍ଷତି କଅଣ–

 

ଆପଣ ପୁରୁଷ, ମୁଁ.....କଥା ଛଡ଼ାଇ ଅଶୋକ କହିଲା–ତୁମେ ସ୍ତ୍ରୀ, ମୋ ସ୍ତ୍ରୀ । ଲାଜରେ ଝାଉଁଳି ପଡ଼ିଲା ଅନିତା । ଆନନ୍ଦରେ ସେ ଆତ୍ମହରା ହେଲା । ଦେହରେ ଲାଗିଲା ଅଜଣା ବେପଥୁ–ପ୍ରାଣରେ ଲାଗିଲା–ପ୍ରେମର ବତାସ, ମନଟା ଓଲେଇ ଭଳି ପଘା ଛିଣ୍ଡାଇ ଅମାନିଆ ହେଲା । ଭୟରେ ଆଖି ଦୁଇଟି ଶୋଇପଡ଼ିଲା । ସାରା ଅଙ୍ଗଲତା ଆଶ୍ରୟ ଆଶାରେ ଅଶୋକର ଗଳା ଦେଶରେ ନିଜର ବାହୁ ଦୁଇଟି ଗୁଡ଼ାଇ ଧରିଲା । ବିବେକ ହଜିଗଲା, ସ୍ଥାନ କାଳପାତ୍ର । ଫିଟିଲା ବସନ ଲୋଟିଲା । ଯୌବନ ଦ୍ୱାରେ ଅଗଣିତ ପ୍ରୀତି-ଗୋଲାପ । ଆଶା ମୟୂରୀଟି ପୁଚ୍ଛ ଟେକି ନର୍ତ୍ତକୀ ସାଜିଲା, ତା’ପରେ.....

 

ଦୁଇଟି ଅତୃପ୍ତ ଯୌବନ ମିଶିଗଲେ, ଈପ୍ସିତ କାମନାର ଯୌବନ ସାଗର ଢେଉରେ । ଦୂର ନଦୀ କୂଳରେ ନୌକା ମଙ୍ଗରେ ନାଉରୀଟି ବସି ଗାଇ ଉଠୁଥିଲା ଏକ ମିଳନ ସଙ୍ଗୀତ.....

 

‘‘ଜୀବନ ପାଇବି ତୁମକୁ ପ୍ରିୟରୂପେ

ମନେ ମୋ ନଥିଲା ଭରସା

ଆଗୋ ପ୍ରିୟତମ ରୂପେ ଅନୁପମ

କୋଳେ ତୋଳି ନେଇ ସହସା,

ହସିଲି ହସିଲି ପ୍ରେମରେ ରସିଲି

ରସାଇଲ ପ୍ରୀତି ରସରେ

ବନ୍ଧନେ ବାନ୍ଧିଲି, ହୃଦୟେ ଛନ୍ଦିଲି

ବନ୍ଦିଲି ଶାରଳା ପୟରେ ।’’

 

ଆଠ

 

ଏବେ.....

 

‘‘ରଘୁନାଥ ସେବା ସଦନ’’ର ସମସ୍ତ କାମ ସରିଯାଇଛି । ପୂର୍ବ ପଟକୁ ଦାତବ୍ୟ ଚିକିତ୍ସାଳୟ । ତା’ ପାଖକୁ ଲାଗି ବିରାଟ କୋଠା, ଏଇ କୋଠାଟି ଅନାଥ ଆଶ୍ରମ । ଶେଷ ପଟକୁ ଚାରି ଦାଣ୍ଡି ସିମେଟ୍‌ ଚଦର ଛାଉଣି ଘର । ପ୍ରଥମଟି–କୃଷି ସମ୍ବନ୍ଧୀୟ କାର୍ଯ୍ୟାଳୟ ମଝିଟି–ବିହନ ଓ ସାର ଗୋଦାମ, ତା’ ପାଖଟି ହସ୍ତତନ୍ତ କାର୍ଯ୍ୟାଳୟ ଓ ଅନାଥ ବିଦ୍ୟାଳୟ । ମଝିରେ କେତୋଟି ଛୋଟ ଧରଣର ଘର । ସେମାନଙ୍କର କୁକୁଡ଼ା ପାଳନ କେନ୍ଦ୍ର, ପ୍ରସ୍ତୁତି ଭାବନ, ଶିଶୁ ପାଳନ ଓ ଗୋଚିକିତ୍ସା କେନ୍ଦ୍ର । ଗେଟ୍‌ ନିକଟରେ ଏକ କୋଠା, ସେଇଟି ଲାଇବ୍ରେରି ।

 

ସଦାନନ୍ଦବାବୁ ଇଆଡ଼େ ବୁଲି ମନଯୋଗ ସହ ସମସ୍ତ ଦେଖୁଥିଲେ । ମନରେ ଅସରନ୍ତି ଆନନ୍ଦ । ଅନ୍ତର ତାଙ୍କର ଆଜି ତୃପ୍ତିରେ ଭରି ଯାଇଚି । ସେ ଭାବୁଥିଲେ–ରଘୁଭାଇ ଆଜି ନାହାନ୍ତି, ସେ ଥିଲେ କେତେ ଆନନ୍ଦ ହେଉଥାନ୍ତେ । ତାଙ୍କ ଈପ୍ସିତ ସୁନାର ସୌଧ ଆଜି ବାସ୍ତବ ରୂପ ନେଇଚି-। ଅନିତା ଅଛି, ସୁନନ୍ଦ ଅଛି । କିନ୍ତୁ ଅପା ନାହିଁ କି ନାହାନ୍ତି ରଘୁନାଥ ପଟ୍ଟନାୟକ..... !!

 

ନୀଳ ଆକାଶକୁ ଚାହିଁ ସଦାନନ୍ଦବାବୁ କହିଉଠିଲେ–ରଘୁଭାଇ, ତୁମେ ଆରପୁରେ ଥାଇ ଦେଖ, ତୁମରି ହତଭାଗ୍ୟ ସଦାନନ୍ଦ ତୁମ ଆଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରିଛି । ସବୁ ସରିଚି, ବାକି ଅଛି ଗୋଟାଏ କାମ–ଅଶୋକ ସହ ଅନିତାର ଶୁଭ ବିବାହ । ଆଉ ମାସ ଚାରିଟା ବାକି ଅଛି । ଆକାଶରେ ଥାଇ ତୁମେ କଲ୍ୟାଣ କର, ଅନିତା ସହିତ ସୁନନ୍ଦ ତୁମରି ଆଦର୍ଶରେ ଅନୁପ୍ରାଣିତ ହୁଅନ୍ତୁ । ଏତିକିବେଳେ ବିନୋଦ ମହାପାତ୍ରେ ସଦାନନ୍ଦଙ୍କୁ ପଛରୁ ଡାକି କହିଲେ–ସଦାନନ୍ଦବାବୁ, ରମେଶବାବୁ ଟେଲିଗ୍ରାମ କରିଛନ୍ତି । କାଲି ଯାଇ କଟକରେ ପହଞ୍ଚିବାକୁ ହେବ । ଆସନ୍ତା ଗୁରୁବାର ଦିନ ବାହାଘର, ଆଉ ମାତ୍ର ଚାରିଟାଦିନ ବାକି–

 

ଟେଲିଗ୍ରାମ ଉପରେ ଆଖି ବୁଲାଇ ନେଇ ସଦାନନ୍ଦବାବୁ କହିଲେ–ଆପଣ ତେବେ ଆଜି ଯିବେ ? ଟିକିଏ ଚିନ୍ତାକରି ମହାପାତ୍ରେ କହିଲେ– ଆଜି ଆଉ କେମିତି ଯିବି, ଏଣେତ ଅନେକ କାମ । ମଦନ ବାବୁ ଆଜି ଆସିଥିଲେ । ତାଙ୍କ ସହିତ କଥା ହୋଇ ସାରିଛି–ଏଇ ବିବାହ ବିଷୟରେ । ସେ କଟକ ଗଲେଣି । ମୁଁ ଭାବୁଛି–କାଲିଯିବି । ତୁମ ଇଚ୍ଛା କ’ଣ ଆଜି ଯିବା ? ସଦାନନ୍ଦବାବୁ କହିଲେ–ଆଜି ଆଉ ସମୟ କାହିଁ ? କାଲି ସାଙ୍ଗ ହୋଇ ଯିବା, ମୋର ମଧ୍ୟ ଅନେକ କାମ ଅଛି । ଗୋଟାଏତ ନୁହେଁ, ଦୁଇ ଦୁଇଟା ବାହାଘର । ମୁଁ ଏପର୍ଯ୍ୟନ୍ତ କିଛି ଠିକ୍‍ ଠାକ୍‌ କରିବାକୁ ନାହିଁ । ସମସ୍ତ ଜିନିଷ ଠିକ୍ କରି ତ ପୁଣି ଯିବା ?

 

ମହାପାତ୍ରେ ଓ ସଦାନନ୍ଦବାବୁ ଚାଲୁ ଚାଲୁ ଗେଟ୍‌ ଆଡ଼କୁ ଅଗ୍ରସର ହେଲେ–

 

ନଅ

 

ଅନିତା ଶୋଇଛି ସତ, କିନ୍ତୁ ଆଖିରେ ତା’ର ଆଦୌ ନିଦ ନାହିଁ । ସେ ଭାବୁଛି–ହଁ, ସେ କେତେ କ’ଣ ଭାବି ଚାଲିଛି । ଏଇ ମାତ୍ର ଆଉ ଦିନ ଦୁଇଟା ବାକି–ବାହାଘର....ପୁଣି ସେଇ ତିଥିରେ ତା’ର ବିବାହ ହେବ । ଜୀବନର ଦେବତା ହେବେ ଅଶୋକ । ଆନନ୍ଦରେ କୁରୁଳି ଉଠିଲା ଅନିତାର ମନ-ମୟୂରୀଟି ।

 

କିନ୍ତୁ..... !

 

ଚମକି ପଡ଼ିଲା ସେ ମାନସ ପଟରେ । ସତେ ଯେପରି କିଏ କହି ଦେଉଛି–ଅନିତା, ତୁ ସ୍ୱାର୍ଥପର । ସାମାନ୍ୟ ଟିକିଏ ପ୍ରେମ ପାଇଁ ପଥ ହୁଡ଼ି ବସୁଛୁ ? କ୍ଷଣସ୍ଥାୟୀ ଯୌବନକୁ ଉପଭୋଗ କରିବା ପାଇଁ ତୁ ତୋ ଶପଥ ଭୁଲି ଯାଉଛୁ ? ଭୁଲି ଯାଉଛୁ–ଯେଉଁ ପାପୀ ତୋ ବାପକୁ ଦରମରା ଅବସ୍ଥାରେ ରୋଗଶଯ୍ୟାରେ ଅତି ନିଷ୍ଠୁର ଭାବରେ ହତ୍ୟାକଲା, ତୋତେ ଓ ତୋ ଛୋଟଭାଇକୁ ଛତରକୁ ଠେଲି ଦେଲା, ତୁ ତା’ ପୁଅକୁ ବରମାଲ୍ୟ ଦେବୁ..... ? ଯେଉଁ ନରହତ୍ୟାକାରୀ ରଘୁନାଥଙ୍କ ଭଳି ଦେବତାକୁ କଂସେଇ ଭଳି ହତ୍ୟା କରିଛି, ତୁ ତାକୁ ଦବୁ କ୍ଷମା ? ତୁ ଯେଉଁ ପ୍ରତିଜ୍ଞା କରିଥିଲୁ ତାକୁ ଏଡ଼େ ବେଗି ପାଶୋରି ଦେଲୁ ? ଛି, ଛି, ଏଇ କ’ଣ ପ୍ରତିଜ୍ଞା ? ଏଇ କ’ଣ ତୋର ଶପଥ । ଯୌବନ ମୋହରେ ମାତି, ଯିଏ ତୋ ବଂଶର ଚିର ଶତ୍ରୁ ତୁ ଆଜି ତା’ ପାଦସେବା କରିବାକୁ ସଙ୍କଳ୍ପ କରି ବସିଛୁ । ଧିକ୍‌ ତୋତେ । ଧିକ୍ ତୋ ଶପଥକୁ ! ତୁ ପାତକୀ, ମହାପାତକୀ, ତୁ ଗୋଟାଏ କକ୍ଷଚ୍ୟୁତ ତାରକା ।

 

ଅନିତାର ଅନ୍ତରଆତ୍ମା ଥରି ଉଠିଲା, ଜଳି ଉଠିଲା ପ୍ରତିହିଂସାର ଗୁପ୍ତବହ୍ନି । ଆତ୍ମା ପ୍ରଦେଶରୁ ମନ ତା’ର କହି ଉଠିଲା–ନା, ନା ମୁଁ ପାତକୀ ହେବିନି ପ୍ରତିଜ୍ଞା ଭୁଲି ଯିବିନି, ମୁଁ ପ୍ରତିଶୋଧ ନେବି । କଳେ ବଳେ କୌଶଳେ ମୁଁ ନେବି ମୋର ପିତୃ ହତ୍ୟାକାରୀ ପ୍ରତି ଚରମ ପ୍ରତିଶୋଧ ।

 

ଏଁ, ଆରେ....ଆରେ....ମୁଁ ଏସବୁ କ’ଣ ଭାବୁଛି ! ଅଶୋକ ଯେ ମୋର ବାଗ୍‌ଦତ୍ତା ସ୍ୱାମୀ । ତାହାହେଲେ ? କ’ଣ ହେବ ତାହାହେଲେ..... ?

 

ନା, ନା, ମୁଁ ଅଶୋକକୁ ବିବାହ କରିବି ନାହିଁ, ସେ ଗୋଟାଏ ଚୋରର ପୁଅ । ସେ ଗୋଟାଏ ନରହତ୍ୟାକାରୀ ନର ବିଶାଚର ପୁଅ । ତା’ଭଳି ଛୋଟଲୋକର ପୁଅକୁ, ରଘୁନାଥ ପଟ୍ଟନାୟକ ଝିଅ ବରମାଲ୍ୟ ଦେବନି, ଦେବ ଶାଣିତ ଛୁରିକା ! ହଁ ହଁ–ମୁଁ ମହାପାତ୍ର ବଂଶର ଉଚ୍ଛେଦ ସାଧନ କରିବି । କିମିତି ? କିମିତି ? ? କେଉଁ ଉପାୟରେ.... ?

 

ଅନିତା ଆଉ କିଛି ଭାବିପାରୁନି, ଆଖିରେ ଲୁହ । ଓଃ !! ବାପା ଆଜି କେଉଁଠି ? ଦୁନିଆରେ ସେ ସର୍ବହରା । ଏତେ ବଡ଼ ପୃଥିବୀରେ ଆପଣାର ବୋଲି ତା’ର କିଏ ଅଛି ? କୁଳ ପାଉନି କି କିନାରା ପାଉନି ସେ । ବହୁ କଷ୍ଟକରି ଜୀବନ ତରୀକୁ କୂଳରେ ଲଗାଇଲା ବେଳକୁ ଦୁର୍ଭାଗ୍ୟ ତାକୁ ଠେଲି ଦେଉଛି ମଝି ନଈକୁ । ନା, ନା ସେ ହାରି ଯିବନି ଦୁନିଆକୁ ସଠିକ୍‍ ଜାବାବ୍‌ ଦେବ ।

 

ପର ମୁହୂର୍ତ୍ତରେ ଅନିତା ଭାବିଲା–ବାପା ତା’ର ଇଚ୍ଛା କରିଥିଲେ, ଅଶୋକ ସହ ତା’ର ବିବାହ ହେବ ବୋଲି । ତେବେ ତାହା ସେ କାଟିଦେବ କିମିତି ?

 

ନା, ସେ ଅଶୋକକୁ ବିବାହ କରିବ । ଅଶୋକ ହିଁ ତା’ର ସ୍ୱାମୀ । ମନରେ ଏସବୁ ଧାରଣା ଆଣିବା ଅନାବଶ୍ୟକ । ଅନିତା ଶୋଇବାକୁ ଚେଷ୍ଟା କଲା, ମନେପଡ଼ିଲା ଗାଁରୁ ଖଣ୍ଡେ ଚିଠି ଆସିଥିଲା, ସେ’ତ ପଢ଼ିନି–ଉଠିଲା ସେ, ଚିଠିଟି ଆଣି ଖୋଲି ପଢ଼ିଲା–

 

ତା ୧୩ । ୧ । ୬୬

 

ଅନିତା ଅପା,

 

ମୋର ପ୍ରଣାମ ନେବ । ଚିଠିଟିକୁ ଧୈର୍ଯ୍ୟସହ ପଢ଼ିବ । ମୋଟେ ବିଚଳିତ ହେବନି । ଗୋଟିଏ ଦୁର୍ବଳ ମୁହୂର୍ତ୍ତରେ ବାପାଙ୍କ ସହ ଅଶୋକ ଭାଇଙ୍କର ଯୁକ୍ତିତର୍କ ହେଲା, କୌଣସି ଗୋଟାଏ କଥାର ସାରମର୍ମ ମତେ ଅଶୋକ ଭାଇ ବୁଝାଉଥିଲେ, ଏଇ ସମୟରେ ବାପା ଅଶୋକ ଭାଇଙ୍କୁ କହିଲେ–ଆପଣ ଏତେ ଆଦର୍ଶ ଦେଖେଇ କିଛି ଲାଭ ନାହିଁ, ଯାହା କଥାରେ କହୁଛନ୍ତି ତାହା ଯଦି କାମରେ କରିପାରିବେ, ତା’ହେଲେ ଆପଣ ଯେ ପ୍ରକୃତରେ ଆଦର୍ଶବାନ ତାହା ସିନା ପ୍ରମାଣିତ ହେବ । ନୋହିଲେ ଏମିତି କଥା ଗପି କିଛି ଲାଭ ନାହିଁ । ଅଶୋକ ଭାଇ ଯୁକ୍ତି ଦେଖେଇଲେ, କ’ଣ କଲେ ତୁମେ ଖୁସି ହେବ ସନେଇ ।

 

ବାପା କହିଲେ ଆପଣ ଯଦି ମାଳକୁ ବିବାହ କରିପାରିବେ, ତା’ହେଲେ–ସମାଜ ଆପଣଙ୍କୁ ଠିକ୍ ଦେଶ-ସେବକ ବୋଲି ସମର୍ଥନ କରିବ । ଏ କଥାରେ ଅଶୋକ ଭାଇ ବିନା ଆପତ୍ତିରେ ରାଜି ହୋଇଗଲେ । ଅନିତା ଅପା, ତୁମେ ଅଶୋକ ଭାଇକୁ ବୁଝାଇ ଦେବ ସେ ତୁମକୁ ବିବାହ କଲେ ମୁଁ ଖୁବ୍ ଖୁସି ହେବି ଓ ପିଲାଳିଆ କଥା ସେ ଯେପରି ନ କରନ୍ତି । ହଉ, ଏତିକିରେ । ଇତି ।

 

ତୁମର ସ୍ନେହଧୀନା

‘‘ମାଳ’’

 

ଅନିତା ଚିଠିଟିକୁ ରଖିଦେଲା । ତା’ ଅନ୍ତର ଥରାଇ ବାହାରି ଆସିଲା ଗୋଟାଏ ଦୀର୍ଘଶ୍ୱାସ । ପ୍ରକୃତରେ ଅଶୋକବାବୁ କିଛି ତ ଭୁଲକରି ନାହାନ୍ତି, ମାଳ ସନେଇ ଭୋଇ ଝିଅ । କ’ଣ ଅଛି ସେଥିରେ । ମଣିଷ ଆଖିରେ ଯାହା ଅଛୁଆଁ, ଯାହା ଅପବିତ୍ର, ଦେବତାଙ୍କ ଆଖିରେ ଠିକ୍‌ ତା’ର ବିପରୀତ । ଜଗତ କରତା–ସମସ୍ତଙ୍କୁ ସୃଷ୍ଟି କରିଛନ୍ତି, ସମସ୍ତେ ମଣିଷ । ତେବେ ମାଳକୁ ଅଶୋକବାବୁ ବିବାହ କଲେ କ୍ଷତି କ’ଣ ? ଏପରି ଛୁଆଁ ଅଛୁଆଁ ଭେଦଭାବ ଉଠିଯିବା ଦରକାର । ଯେ ପର୍ଯ୍ୟନ୍ତ ଏ ମନୋଭାବ ମଣିଷ ମନରେ ଥିବ, ସେ ପର୍ଯ୍ୟନ୍ତ କୌଣସି ମଙ୍ଗଳକର କାମ ହୋଇପାରିବ ନାହିଁ । କଥାରେ କହି କିଛି ଲାଭ ନାହିଁ । କାମରେ କରି ଦେଖାଇଦେବା ପ୍ରକୃତ କର୍ତ୍ତବ୍ୟ ଓ ପ୍ରତ୍ୟକ୍ଷ କାମ । ସେଥିପାଇଁ ଲୋଡ଼ା ତ୍ୟାଗ, ଆଦର୍ଶମୟ ଜୀବନଯାପନ କରିବାକୁ ହେଲେ ଠିକ୍‌ ଅଶୋକବାବୁଙ୍କ ପରି ହେବାକୁ ପଡ଼ିବ । ସତରେ କେଡ଼େ ମହତ ଏଇ ଅଶୋକବାବୁ-! ମାଳକୁ ସେ ବିବାହ କରନ୍ତୁ । ତାଙ୍କ ଜୀବନ ଆଦର୍ଶରେ ବୁଡ଼ିଯାଇ ଆଦର୍ଶମୟ ହେଉ । ତେବେ, ମାଳକୁ ବିବାହ କରିବେ ତା’ର ପ୍ରିୟ, ଚିର ପ୍ରିୟ ଅଶୋକ ? କଇଁ କଇଁ ହୋଇ କାନ୍ଦି ଉଠିଲା ଅନିତା-। ଯାହାଙ୍କୁ ଶୟନେ ସ୍ୱପନେ ଓ ଜାଗରଣେ ସେ ଚିନ୍ତାକରେ ସେ ହେବ ସନେଇ ଭୋଇ ଝିଅ ମାଳର ସ୍ୱାମୀ ? ଅନିତା ମନରେ ଦ୍ୱନ୍ଦ୍ୱ । ଅସରନ୍ତି ଭାବନା । କ’ଣ ହେବ ତା’ହେଲେ-। ସତେ କ’ଣ ମାଳ ବରମାଲ୍ୟ ଦେବ ଅଶୋକବାବୁଙ୍କର ଗଳାରେ.....

 

X X X

 

ରଘୁନାଥ ସେବାସଦନର ସମସ୍ତ ଆୟୋଜନ ସରିଯାଇଛି । ଏଣିକି କାମ ଆରମ୍ଭ ହେବା କଥା । ରମେଶବାବୁ ଆଶ୍ରମ ପରିଚାଳନା ଦାୟିତ୍ୱ ବହନ କରିଛନ୍ତି । ସେ ନିଜ ବ୍ୟୟରେ ଘର ତିଆରି କରିଛନ୍ତି ଆଶ୍ରମ ପାଖରେ । ତାଙ୍କର ଇଚ୍ଛା, ସୁନନ୍ଦର ବିବାହ ପରେ ସହର ଛାଡ଼ି ମଫସଲରେ ରହିବେ । ନିଜକୁ ହଜାଇ ନେବେ ଦୁଃସ୍ଥ ଜନତା ସେବାରେ । ଅଶୋକବାବୁ ଶପଥ କଛନ୍ତି ଚାକିରି ନ କରି, ସେ ପରିଚାଳନା କରିବେ କୃଷି ଉନ୍ନତିର କାର୍ଯ୍ୟକ୍ରମ । ତାଙ୍କର ଲକ୍ଷ୍ୟ ଗାନ୍ଧିଜୀ ପରିକଳ୍ପିତ ରାମରାଜ୍ୟର ପୁନରାବୃତ୍ତି ହେଉ । ସମସ୍ତେ ସମସ୍ତଙ୍କୁ ଭାତୃ ସ୍ନେହରେ ବାନ୍ଧି ରଖନ୍ତୁ । ଛୋଟ ବଡ଼ ବ୍ୟବଧାନ ଉଠିଯାଉ, ଜାତି ଅଜାତି ରୂପକ କଣ୍ଟକ-ପାଚେରି, ଆଦର୍ଶ-ରୂପକ ଅସ୍ତ୍ରଦ୍ୱାରା ଭୂପତିତ ହେଉ । ସେ କହନ୍ତି–ମଣିଷ ମରିବ, ଦିନେ ସେ ତା’ ଜୀବନ ନାଟକରେ ଯବନିକା ଆଣିବ । ତା’ ପୂର୍ବରୁ ସେ ଏପରି ଏକ କର୍ମ କରିଯିବ ଯାହାକି ତାକୁ ସବୁଦିନେ ଅମର କରି ରଖିବ ।

 

ଅଶୋକବାବୁ ଖୁବ୍‌ ଅନୁତପ୍ତ । ନିଜ ପାପର ଅପକର୍ମ ପାଇଁ ସେ ଦୁଃଖିତ । ଦୁଃସ୍ଥ ଜନତାର ସେବା କଲେ ଓ ରଘୁବାବୁଙ୍କ ପରିକଳ୍ପିତ କାର୍ଯ୍ୟରେ ସହଯୋଗ କଲେ ରଘୁବାବୁ ହୁଏତ ବିନୋଦ ମହାପାତ୍ରଙ୍କୁ କ୍ଷମା ଦେଇ ପାରନ୍ତି । ସେଇଥିପାଇଁ ଅଶୋକବାବୁ ନିଜକୁ ଭୁଲି ଲାଗିପଡ଼ିଛନ୍ତି ଆଶ୍ରମ କାମରେ । ପ୍ରକୃତରେ ତାଙ୍କ ଭଳି ଆଦର୍ଶବାନ ଯୁବକ ପୃଥିବୀରେ ବିରଳ ।

 

ଆନନ୍ଦରେ ଆତ୍ମହରା ହେଲା ଅନିତା । ଆଖିରେ ଲାଗିଆସିଲା ନିଦ୍ରା । ସେ ଶୋଇଗଲା–ଚିନ୍ତାଶୀଳ ମନନେଇ–

 

ଦଶ

 

ତିନିଦିନ ପରେ–

 

ଅନିତା ସହ ଆଶୋକର ଓ ସୁନନ୍ଦ ସହ ସୁନନ୍ଦାର ବିବାହ ସରିଯାଇଛି । କଟକରୁ ସମସ୍ତେ ଫେରିଲେ । ବିନୋଦ ମହାପାତ୍ରେ ଅଶୋକ ଓ ଅନିତାକୁ ନେଇ ନିଜ ଘରକୁ ଗଲେ । ରମେଶବାବୁ ମିନାକ୍ଷୀଙ୍କ ସହିତ ପୁଅ ସୁନନ୍ଦ ଓ ବୋହୂ ସୁନନ୍ଦାକୁ ନେଇ ଆନନ୍ଦରେ ନୂଆ ବାସଭବନରେ ଅବସ୍ଥାନ କଲେ ।

 

ଆଜି......

 

ହଁ, ଆଜି ବିବାହର ଦ୍ୱିତୀୟ ଦିନ । ଆଜି ଆଶ୍ରମ ପ୍ରତିଷ୍ଠା ଦିବସ । ମହାଆଡ଼ମ୍ବର ସହ ଏ ସମସ୍ତ କାମ ଶେଷ ହେଲା । ରମେଶବାବୁ, ସଦାନନ୍ଦବାବୁ, ଅଶୋକ, ସୁନନ୍ଦ, ସୁନନ୍ଦା ଅନିତା ଓ ମାଳ ଯେଝା ଯେଝାର ଦାୟିତ୍ୱ ନେଲେ । ଆଜି ହିଁ ପ୍ରତିଷ୍ଠା ହେଲା ରଘୁନାଥବାବୁଙ୍କ ପରିକଳ୍ପିତ ସେବାସଦନ ।

 

ଶେଷ

 

ଆଜି ଏଇ ଚାନ୍ଦ ରାତି । ଆକାଶରେ ଶୁଭ୍ର ଚାନ୍ଦ । ସବୁଜ ପୃଥିବୀ ବକ୍ଷରେ ଚାନ୍ଦ ଜ୍ୟୋତ୍ସ୍ନାର ଶୁଭ୍ର ଆବରଣ । ଦୂର ଆମ୍ବ ତୋଟାରୁ କୁହୁ କୁହୁ ତାନରେ ଗୁଞ୍ଜନ ତୋଳୁଛି ଫଗୁଣର ପ୍ରିୟତମା–କଳା କୋକିଳ । ପ୍ରେମରେ ସେ ଆଜି ଆତ୍ମହରା । ଚାନ୍ଦୁଆ ଧଳା ପଣତରେ ପ୍ରକୃତି ହସୁଛି ପ୍ରାଣଖୋଲା ହସ । ଜନ କୋଳାହଳମୟ ପୃଥିବୀ ଏବେ ବେଶ୍‌ ମରାମରେ ଶୋଇଯାଇଛି । ସେ ସୁପ୍ତି ମାତ୍ର ଏଇ କେଇ ଘଣ୍ଟା ପାଇଁ ସିନା.....

 

ରାତି ବାରଟାରୁ ବୋଧେ ଟିକିଏ ଅଧିକା....

 

.....ସୁସଜ୍ଜିତ କୋଠରୀ ! ପଲଙ୍କର ଗୋଟିଏ ପାଖକୁ ବସିଛି ଅନିତା । ଆଜି ଚଉଠି । ଦୀର୍ଘ ଦୁଃଖମୟ ଜୀବନରେ ଆସିଛି ସୁଖର ମଧୁମୟ ପରଶ । ଅନିତା ନବବଧୂ ବେଶରେ କୋମଳ ପଲଙ୍କର ବୁକୁ ଉପରେ ଅଭିସାର ନେଇ ବସିଛି । ମନରେ ଅସରନ୍ତି କଳ୍ପନା । ଅନ୍ତର ମଧ୍ୟରେ ଅଦିନ ତୋଫାନ, ନୟନ ନଦୀ ତୀରରେ ପ୍ରବଳ ବରଷା ।

 

ଅନିତା କାନ୍ଦୁଛି । ଜୀବନରେ ଚିର ଆକାଙ୍‌କ୍ଷିତ ବାସର ଶେଯରେ ମନମରା ହୋଇ, ତୁହାଇ ତୁହାଇ କାନ୍ଦୁଛି କାହିଁକି ? ସଂକ୍ଷିପ୍ତ ଜୀବନର ଅସଂଖ୍ୟ ଦିନର ଲକ୍ଷ୍ୟ ଏଇ ବାସର ରାତି, ଆଜି ଆସିଛି । ଆସିଛି ସେଇ ମଧୁମୟ ବାସର ରଜନୀ । ଏତେ ବଡ଼ ମଧୁମୟ ରାତିରେ କାନ୍ଦୁଛି କାହିଁକି, କିଛି ଜଣାପଡ଼ୁନି । ସେ ମଧ୍ୟ ନିଜେ ଜାଣିପାରୁନି । ତା’ ମନରେ ଏପରି ଅଦିନ ବତାସ କାହିଁକି ? ଯାହା ସେ କଳ୍ପନା କରିଥିଲା, ତାହା ତ ସବୁ ସମ୍ପୂର୍ଣ୍ଣ ହୋଇଯାଇଛି । ସୁନନ୍ଦ ଆଜି ସୁନନ୍ଦାକୁ ବିବାହ କରିଛି । ଅଶୋକ ତା’ର ସ୍ୱାମୀ, ଆଉ ଦୁଃଖ କ’ଣ ? ତେବେ ??

 

ମାଳ.... !

 

ହଁ ମାଳ ଆଜି ଆସିଥିଲା, ଅନିତା ସେଇ କଥା ଭାବୁଛି । ମାଳକୁ ଦେଖି ଅଶୋକ ଲୁଚିଗଲେ । ଏକଥା ଅନିତା ଭୁଲିପାରୁନି, ତା’ ଆଖି ଠିକ୍‌ ଲକ୍ଷ୍ୟ କରିଚି ଅଶୋକର ଦୁର୍ବଳତାକୁ, ତେବେ ଏ ସବୁର ସମାଧାନ କିପରି ହେବ ?

 

ନିଜର ପ୍ରତିଜ୍ଞା କିପରି ପୂରଣ ହେବ ?

 

ମାଳ ଆଗରେ ଅଶୋକ କ’ଣ ହାରିଯିବେ ?

 

ସନେଇ କଥା ସତକୁ ସତ ସତ୍ୟରେ ପରିଣତ ହେବ ?

 

ତେବେ ସେ କ’ଣ କରିବ ?

 

ଅଶୋକଙ୍କୁ ମାଳ ସହିତ.....

 

ଏହା କ’ଣ ସମ୍ଭବ ?

 

ନା ।

 

ତେବେ ?

 

ଏଠି ତା’ର କି କର୍ତ୍ତବ୍ୟ ?

 

ତା’ଦ୍ୱାରା ଏହାର ସମାଧାନ କ’ଣ ସମ୍ଭବ ?

 

ଅନିତାର ଆତ୍ମା ଥରାଇ ବାହାରି ଆସିଲା ଗୋଟାଏ ଦୀର୍ଘଶ୍ୱାସ । ଓଃ ! ଜୀବନଟା ଏପରି ଜଞ୍ଜାଳମୟ ! ହେଉ ଭଗବାନ ! ଏତେ ଜ୍ୱାଳା ଏ ପ୍ରାଣରେ । ଏତେ ଦାହ ଏ ମର ଜୀବରେ-। ଇସ୍‌, ମଣିଷ ଏତେ ଦୁଃଖରେ ବଞ୍ଚେ କିପରି ?

 

ଅନିତା ଭାବନା ରାଜ୍ୟରେ ଘୂରି ବୁଲୁଥିଲା । କ’ଣ କରିବ, କିମିତି ବଞ୍ଚିବ, କିପରି ଏ ସ୍ୱାର୍ଥପର ଦୁନିଆରେ ବାଟ ଚାଲିବ । ଏହାହିଁ ତା’ ଭାବନା ରାଜ୍ୟର ତରୀ, ସେ ବେଶୀ କିଛି ଚିନ୍ତା କରିପାରୁନି । ତା’ ଆଖି ଆଗରେ ନାଚି ଉଠୁଛି ‘‘ରଘୁନାଥ ସେବା ସଦନ’’ର ଦୃଶ୍ୟ । ଗେଟ୍‌ ସମ୍ମୁଖରେ ରଘୁନାଥଙ୍କ ମାର୍ବଲର ପ୍ରତିମୂର୍ତ୍ତି । ଆଶ୍ରମ ମଧ୍ୟରେ ଦୁଃଖୀରଙ୍କୀମାନଙ୍କର ଆନନ୍ଦର କୋଳାହଳ । ରୋଗୀମାନେ ଆରୋଗ୍ୟ ଲାଭ କରି, ଆନନ୍ଦ ମନରେ ରଘୁନାଥଙ୍କ ଜୟଧ୍ୱନି ଦେଉଛନ୍ତି । ଉନ୍ନତ ଚାଷ ପ୍ରଣାଳୀ ଅନୁସରଣ କରି, ଚାଷୀ ଭାଇ ହସୁଛନ୍ତି । ଆଶ୍ରମ ସ୍କୁଲରୁ ଶୁଭୁଛି ରମେଶବାବୁଙ୍କ କଣ୍ଠ–ତାଙ୍କ କଣ୍ଠରେ ହରିକୀର୍ତ୍ତନର କେତୋଟି ପଂକ୍ତି–

 

ମୋର କାମକୁ କରାଅ ସରସ

ମୋର ମୁଖେ ଦିଅ ଚିର ହରଷ

ତୁମ ଚରଣରେ ଥାଉ ଭକତି

ଦିଅ ବିପଦେ ସାହସ ଶକତି....

 

ମାଳ କୁଟୀର-ଶିଳ୍ପ କେନ୍ଦ୍ରରେ ପିଲାମାନଙ୍କୁ ସୂତାକଟା କାମ ଶିକ୍ଷା ଦେଉଛି । ମାଳ ପାଖରେ ସୁନନ୍ଦା, ଆଦର୍ଶ ସେବିକା ସେ । ରୋଗୀମାନଙ୍କ ସେବାରେ ସେ ନିଜକୁ ହଜାଇ ଦେଇଛି-

 

ଅନିତା ଆନନ୍ଦରେ ଆତ୍ମହରା ହୋଇଗଲା । ଆଜି ପରିକଳ୍ପିତ କାର୍ଯ୍ୟସବୁ ଖୁବ୍ ସୁନ୍ଦର ଭାବେ ସଫଳ ହୋଇଛି । ଓଃ.... । ଗୋଟାଏ ଚିନ୍ତିତ ମନ ଏତେ ଦିନେ ଶାନ୍ତି ପାଇଲା ।

 

ଅନିତା ଆକିରେ ଆନନ୍ଦାଶ୍ରୁ । ଆଉ କେତୋଟି ମିନିଟପରେ ହୁଏତ ଅଶୋକ ଆସିବେ-। ଶିହରି ଉଠିଲା ନବବଧୂ ଅନିତା । ସେ ଆସିବେ । ଦୀର୍ଘଦିନର ଈପ୍ସିତ ବାସନା....ହଁ, ଆଉ ମାତ୍ର କେଇଟି ମିନିଟ୍‌ ପରେ....କିନ୍ତୁ..... । କିନ୍ତୁ ଅଶୋକବାବୁଙ୍କୁ ବିବାହକରି ସେ ପ୍ରକୃତରେ କ’ଣ....-? ନିଜର ପ୍ରଶ୍ନ ନିଜର ମନ, ନିଜର ଦେହ, ନିଜ ଦେହରେ କେବଳ ଛଟପଟ ହୋଇ ଚିନ୍ତା ସାଗରରେ ଉବୁଟୁବୁ ହୋଇ ବୁଲି ମରୁଥିଲା ସେ....ଅନିତାକୁ ଦେଖିଲେ ମନେହେଉଥିଲା; ସତେ ଯେପରି ସେ କୌଣସି କଥାର ଖିଅ ଖୋଜୁଛି ଓ ପନ୍ଥା ସ୍ଥିର ନ କରିପାରି ଏଣେତେଣେ ଉପାୟ ଅଣ୍ଡାଳି ବ୍ୟସ୍ତ ହୋଇଉଠୁଛି । ହଁ, ଅନିତା ସତକୁ ସତ ଉପାୟ ଖୋଜୁଥିଲା । ସେ ଭାବୁଥିଲା କି ଉପାୟ କଲେ....-? ଆଃ ବଡ଼ ଚିନ୍ତିତ ସେ ବିଚାରୀ....

 

ରାତି ଗୋଟାଏ ହୋଇ ଗଲାଣି । ମହାପାତ୍ରଙ୍କ ଅଗଣାରେ ସୁଅ । ଏବେ ମଧ୍ୟ ଲୋକ ଭିଡ଼ କମିନି । ଖିଆ, ପିଆ, ଦିଆନିଆର ସୁଅ ଏବେ ମଧ୍ୟ ବନ୍ଦ ହୋଇନି । ଜନ କୋଳାହଳରେ ଉଆସଟା କମ୍ପୁଛି । ଅଶୋକ ତା’ର ସାଥୀମାନଙ୍କୁ ଯଥାବିଧି ସମ୍ମାନଦେବାରେ ଲାଗିପଡ଼ିଛି । ମହାପାତ୍ରେ ମଧ୍ୟ ବରାଦ ଦେବାରେ ବ୍ୟସ୍ତ ଅଛନ୍ତି ତଳ ଖଞ୍ଜାରେ ।

 

ରାତି ଦୁଇଟା....

 

ଅଶୋକ ଆସିଛି ଧୀରେ ଧୀରେ....ଅନିତା ବୋଧେ ଜାଣିପାରିନି.... ! ସେ ପ୍ରାୟ ଭାବନାରେ ବୁଡ଼ିରହିଥିଲା । ଆରେ.... ! ‘ଏଇ’ ତେବେ ଆସିଗଲେଣି.... ! ଲାଜରେ ଭାଙ୍ଗିପଡ଼ି ଓଢ଼ଣା ଦେଲା ଅନିତା ! ହସିଉଠିଲେ ଅଶୋକବାବୁ ! ଅନିତା ଚାହିଁଛି– ହସୁଛନ୍ତି ତା’ର ପ୍ରିୟତମ ଅଶୋକବାବୁ । ହସନ୍ତୁ । ତାଙ୍କ ମନରେ ଆଜି ଅସୀମ ଆନନ୍ଦ । ସେ ମନଭରି ହସନ୍ତୁ....କିନ୍ତୁ ସିଏ କ’ଣ ଜାଣନ୍ତି, ଏ ହସ ମାତ୍ର କିଛି ସମୟ ପରେ..... !

 

ଏତେ ଲାଜ କେଉଁଠି ରଖିଥିଲା ଅନିତା ? ଅନିତା ନୀରବ, ଓଢ଼ଣାଟି ଟେକିଦେଇ ଅଶୋକ ତାକୁ ଚାହିଁଲା । ଚାହିଁ ରହିଲା, ତା’ ପ୍ରୀତିର ପୂଜାରିଣୀକୁ । ଧୀର ଗଳାରେ ମୁଖ ତଳକୁ କରି ଅନିତା କହିଲା–କ’ଣ ଏତେ ଦେଖୁଛ ଯେ ?’’

 

ଦେଖୁଛି ତୁମକୁ !

 

ମୋତେ ?

 

ହଁ, ତୁମକୁ । ମୋ ପ୍ରାଣର ପ୍ରତିମାକୁ । ସତରେ ଅନିତା–ମୋ ସପନ ଆଜି ସତ୍ୟରେ ପରିଣତ ହୋଇଛି ।

 

ମୋ ସ୍ୱପ୍ନ ମିଛ ହୋଇନି । ମୋ ଆଶାଥିଲା, ବାପାଙ୍କ କଥା ପୂରଣ କରିବି । ମାମୁଙ୍କ ଅକ୍ଳାନ୍ତ ପରିଶ୍ରମରେ ସବୁ କିଛି ହୋଇଗଲା । ବାପା ଥିଲେ ଆଜି କେତେ ଖୁସି ହେଉଥାନ୍ତେ– କିନ୍ତୁ.... ! ବୋଉ ନାହିଁ, ସେ ଥିଲେ ତା’ ଗୋଡ଼ ତଳେ ଲାଗୁନଥାନ୍ତା । ମୋ ଭାଗ୍ୟରେ ତାଙ୍କ ସ୍ନେହ ଆସିବ କୁଆଡ଼ୁ !

 

ସତ କଥା ଅନୁ ! ଏତେ ବଡ଼ କାମ ଯେ ଏତେ ଶୀଘ୍ର ଶେଷ ହୋଇଯିବ, ଏ ବିଶ୍ୱାସ ମୋର ନଥିଲା ।

 

ମୋର କିନ୍ତୁ ଥିଲା । ଛାଡ଼ନ୍ତୁ, ସେସବୁ ଭାବିଲେ ଆଖିରେ ଲୁହ ଆସୁଚି । ଗୋଟିଏ କଥା କହିବି, ରଖିବେ ?

 

କ’ଣ କୁହ ।

 

ଆପଣ ମାଳକୁ ନିରାଶ କରନ୍ତୁନି......

 

ଅନିତା !

 

ହଁ, ଅବହେଳିତାକୁ ଆପଣ ଯଦି ଉଚ୍ଚସ୍ଥାନ ଦେବେ, ତା’ହେଲେ ଦେଖିବେ, ବର୍ତ୍ତମାନ ଚାଲିଥିବା ଅନ୍ଧ କୁସଂସ୍କାର ବହୁତ ପରିମାଣରେ ଦୂର ହୋଇଯିବ । ମଣିଷ ମଣିଷକୁ ବୃଥାରେ ଘୃଣା କରିବା ମଧ୍ୟ କମିଯିବ । ଆପଣଙ୍କର ତ୍ୟାଗ ଓ ଆଦର୍ଶରେ ସମାଜରେ ଗୋଟାଏ ବିରାଟ ପରିବର୍ତ୍ତନ ଆସିବ । ସମସ୍ତେ ମିଳିମିଶି ଖୁବ୍ ସୁଖରେ ଚଳିବେ । ମାଳ ମଧ୍ୟ ମୋ ପରି ଝିଅଟି । ତାକୁ ଆପଣ ବିବାହ କରନ୍ତୁ ।

 

ଆଶ୍ଚର୍ଯ୍ୟ ହେଲା ଅଶୋକ । ମଥା ତା’ର ଅନିତା ନିକଟରେ ତଳକୁ ହୋଇଗଲା । ତା’ ବିବେକର ଆଖି ଆଗରେ ଦେଖିବାକୁ ପାଇଲା ସେ ମହାଭୁଲ କରିଛି । ଟିକିଏ ଚିନ୍ତାକରି ଅଶୋକ କହିଲା–ଅନିତା, ତୁମେ ଏସବୁ କ’ଣ କହୁଛ ?

 

ମାଳ ମୋ ନିକଟକୁ ଚିଠି ଦେଇଥିଲା ।

 

ତୁମେ ସେସବୁ ଭୁଲିଯାଅ ଅନୁ । ମାଳକୁ ମୁଁ ଅନ୍ୟ ଜଣେ ଶିକ୍ଷିତ ଯୁବକ ସହିତ ବିବାହ କରାଇ ଦେବି । ଯୁକ୍ତି ବାଢ଼ି ଅନିତା କହିଲା–ଆପଣ ଯେ ତା’ ନିକଟରେ ପ୍ରତିଜ୍ଞା କରିଛନ୍ତି ।

 

ଅନୁ !!

 

ସ୍ୱାମୀ, ଆପଣ ମୋର ଆରାଧ୍ୟ ଦେବତା । ଇହକାଳ–ପରକାଳର ମୁକ୍ତିମଣ୍ଡପ ମୋର । ମୋ ସାନ କୁହା ମାନି ମାଳକୁ ଆପଣ ବିବାହ କରନ୍ତୁ । ଜଗତ ଆଦର୍ଶମୟ ହେବାପାଇଁ ଆପଣଙ୍କଠାରୁ ଉପଯୁକ୍ତ ଶିକ୍ଷା ପାଉ ।

 

ତାହା କ’ଣ ହୋଇପାରେ ଅନିତା ?

 

ହେବନି ? କାହିଁକି ହେବନି ? ଆପଣ ରାଜି ହୁଅନ୍ତୁ– ଦେଖିବେ ମୁଁ ସମାଧାନ କରିଦେବି ।

 

ତୁମେ ?

 

ହଁ, ମୁଁ କରିବି । ଆପଣଙ୍କର ମୁଁ ସ୍ତ୍ରୀ । ସ୍ୱାମୀଙ୍କୁ ଭଲ ବାଟରେ ନେବା ସ୍ତ୍ରୀର ପ୍ରଧାନ କର୍ତ୍ତବ୍ୟ ।

 

ତୁମେ ଥାଉଁ ଥାଉଁ ମୁଁ....କଥାକୁ ଛଡ଼ାଇ ନେଇ ଅନିତା କହିଲା–ମୁଁ ଚାଲିଯିବି ଆପଣଙ୍କ ପାଖରୁ ବହୁତ ଦୂରକୁ.....ଅଶୋକ ଅଥୟ ହୋଇପଡ଼ିଲା ଦାରୁଣ ଆଘାତ ପାଇ । ଅନିତାକୁ କୋଳକୁ ଭିଡ଼ିନେଇ ଅଶୋକ କହିଲା–ଅନିତା, ମତେ ବିଚଳିତ କରି ଦିଅନା । ତୁମକୁ ଛାଡ଼ି ମୁଁ ମାଳକୁ ଚାହେଁନା, ଏପରି ନିଷ୍ଠୁର ମୁଁ ହୋଇପାରିବିନି । ତୁମେ ହିଁ ମୋର ପ୍ରଥମ ଓ ଶେଷ ଆକର୍ଷଣ-! ଜୀବନ ସାରା ମୁଁ ତୁମକୁ ହିଁ ଚାହେଁ । ତୁମେ ହିଁ ହେବ ମୋର ସାରା ଜୀବନର ସହଯାତ୍ରିଣୀ-! ଅଶୋକ ବିବ୍ରତ ହୋଇ ପଡ଼ୁଥିଲା ।

 

ଅନିତା ଅଶୋକକୁ ଭୁଲାଇବା ଉଦ୍ଦେଶ୍ୟରେ କହିଲା–ଏଇ ଟିକକ କଥାରେ ଆପଣ ଭାଙ୍ଗିପଡ଼ୁଛନ୍ତି ? ମିଛରେ କହିଲି ବୋଲି ଆପଣଙ୍କ ଆଖିରେ ଲୁହ ? ଆପଣ ମୋର ପ୍ରାଣର ଦେବତା, ଆପଣଙ୍କୁ ପାଇବି ବୋଲି ମୋର କେତେ ଆଶା, କେତେ ଉପାସନା । ଆଉ ପୁଣି କିଏ ଅଧିକାର କରି ବସିବ ଆପଣଙ୍କୁ–ମୁଁ ସତ କହୁଛି–ଏତେ ବଡ଼ ଦୁଃଖ ମୋଟେ ସହିପାରିବିନି....ଆତ୍ମହରା ହେଲା ଅଶୋକ । ସତେ, ତୁମେ ଏଡ଼େ ଦୁଷ୍ଟ ! ଅନିତା, ଅଶୋକର ଉଷ୍ମକୋଳରେ ଢଳି ପଡ଼ିଲା । ଅଙ୍ଗରେ ଖେଳିଗଲା ଅଜଣା କମ୍ପନ । ପ୍ରାଣରେ ଜଳି ଉଠିଲା ପ୍ରେମର ରଙ୍ଗିନ୍‌ ପ୍ରଦୀପ । ମନ-ବୀଣାରେ ବାଜିଉଠିଲା ମଧୁର ଝଙ୍କାର, ସୃଷ୍ଟିକଲା ସୁପ୍ତ ଅକୁହା ସଙ୍ଗୀତ । ଦେହ ଲୋଡ଼ିଲା ବନ୍ଧନ । ଯୌବନ ଲୋଡ଼ିଲା ପ୍ରୀତି । ଭୋକିଲା ଯୌବନର ସୁଅ ବିଚଳିତ କଲା ରୂପସୀ ଅନିତାକୁ । ସେ ଆତ୍ମହରା ହୋଇ ନିବିଡ଼ ବନ୍ଧନରେ ବାନ୍ଧି ରଖିଲା ତା’ ପ୍ରୀତିର ପୂଜା ଦେବତାଙ୍କୁ....

 

ଅଶୋକ କୋଳରେ ଅନିତା । ଦୁଃଖିନୀ ଅନିତା ଆଜି ହଜିଯାଇଛି ତା’ ପ୍ରିୟତମଙ୍କ କୋମଳ କୋଳରେ । ‘ଅଭାଗିନୀ ପ୍ରିୟା’ ଆଜି ସୌଭାଗ୍ୟବତୀ ହୋଇଛି । ଆଜି ଚଉଠି । ‘ଅଭାଗିନୀର ଚଉଠି’ ରାତି ଆଜି । ଅନିତାର ମୁଖ ଚୁମ୍ବନ କରି ଅଶୋକ ମଧ୍ୟ ଢଳି ପଡ଼ିଲା ଅନିତାର ଉନ୍ମତ୍ତ ବକ୍ଷ ଉପରେ ।

 

ତା’ପରେ....ଦୁଇଟି ଅତୃପ୍ତ ଆତ୍ମା ତୃପ୍ତିର ସୁଧାସିନ୍ଧୁ ଖୋଜି ଉଡ଼ି ଚାଲିଲେ ଦୂରକୁ....ନା, ଅଜଣା ରାଇଜକୁ.... । କିନ୍ତୁ !!

 

କେତୋଟି ମିନିଟ୍‌ ପରେ.....

 

ଅନିତା ଶୋଇପଡ଼ିଛି । ବଡ଼ କ୍ଳାନ୍ତ ସେ । ତୃପ୍ତିର ଦୀର୍ଘଶ୍ୱାସ ନେଇ ସେ ଶୋଇଯାଇଛି-। ଖୁବ୍‌ ନିଶ୍ଚିନ୍ତ ସେ.....

 

ଅନିତା ଉଠିଲା । ଶୋଇବା ସ୍ଥାନରୁ ଉଠି ଘର ଚଟାଣରେ ସେ ପାଦ ଦେଲା । ଆଖିରୁ ଅବିଶ୍ରାନ୍ତ ଅଶ୍ରୁ ଛୁଟି ଚାଲିଛି.....ଟିକିଏ ସ୍ୱାମୀଙ୍କ ମୁଖମଣ୍ଡଳକୁ ଚାହିଁଲା–ତା’ପରେ ଅଶୋକ ମୁଖମଣ୍ଡଳରେ ଚୁମାଟିଏ ଆଙ୍କିଦେଲା । ପାଦଧୂଳି ନେଇ ସୀମାନ୍ତରେ ବୋଳିଲା । ଘୁଞ୍ଚିଗଲା ଟେବୁଲ ପାଖକୁ, କାଗଜ କଲମ ଧରି କ’ଣ ଲେଖିବାକୁ ଆରମ୍ଭ କଲା । ରାତି ବୋଧେ ତିନିଟା ହେବ । ଟେବୁଲ ପାଖକୁ ଲାଗି ଛୋଟ ଥାକଟିଏ । ଥାକରେ ଥୁଆ ହୋଇଛି, ବନ୍ଧୁମାନେ ଦେଇଥିବା ଉପହାର ସାମଗ୍ରୀଗୁଡ଼ିକ । ସିଗାରେଟ କେସ୍‌, ରେଡ଼ିଓ, ଓ୍ୟାଚ୍‌ ଏପରି ଅନେକ ଜିନିଷ ଥୁଆ ହୋଇଛି । କାନ୍ଥକୁ ଡେରା ହୋଇଛି ଗୋଟିଏ ସୌଖିନ ଛୁରା । ଏଇଟିକୁ ଜଣେ ବିଦେଶୀ ଶିଳ୍ପୀ ଉପହାର ଦେଇଥିଲେ । ଅନିତାର ଆଖି ଲାଖି ରହିଲା ସେହି ଛୁରିଟି ଉପରେ । ସେ ଉଠିଆସିଲା ପଲଙ୍କ ପାଖକୁ । ଅଶୋକ ଶୋଇପଡ଼ିଛି ନିଝୁମ ନିଦରେ । ଚିଠିଟିକୁ ତକିଆ ଉପରେ ରଖି ଅଶୋକର ପାଦଧୂଳି ପୁଣି ଥରେ ନେଲା, ଆଖିରେ ଅବାରିତ ଅଶ୍ରୁ ନେଇ ଅନିତା ବାହାରିଗଲା ଖୁବ୍‌ ଦ୍ରୁତ ଗତିରେ ତଳ ଖଞ୍ଜାକୁ ।

 

ଆକାଶରେ ପୁଞ୍ଜି ପୁଞ୍ଜି ତାରା । ରାତି ଗଭୀର ହେଉଥିଲା । ଧୀରେ....ଧୀରେ....ଆମ୍ବ ଗଛରୁ ପେଚାଟି କୁନ୍ଥେଇ ଉଠିଥିଲା । ଠିକ୍‌ ସେତିକିବେଳେ ଅନିତା କାଳଭୈରବୀ ମୂର୍ତ୍ତି ନେଇ ଓହ୍ଲାଇ ଆସୁଛି ସିଡ଼ିଦେଇ ତଳକୁ । ବିନୋଦ ମହାପାତ୍ରେ ବୋଧେ ଖୁବ୍‌ ନିଦରେ ଶୋଇଯାଇଥିବେ-। ତାଙ୍କୁ ଏଇ ଛୁରାଦ୍ୱାରା–ବା– ଏହି ଛୁରାର କ୍ରୂର ଚୁମ୍ବନ ପରଶରେ ସେ ଆହୁରି ଆରାମ, ଆହୁରି ନିଶ୍ଚିନ୍ତରେ ଶୁଆଇ ଦେଇ ଚାଲିଯିବ ତା’ ଗନ୍ତବ୍ୟ ପଥରେ ।

 

ଅନିତା ଆଖିରେ ପ୍ରତିହିଂସାର ନିଆଁ । ସତେ ଯେପରି ସେ ରାକ୍ଷସୀ ପାଲଟି ଯାଇଛି ।

 

ମହାପାତ୍ରେ କ୍ଳାନ୍ତ ହୋଇ ଶୋଇଯାଇଥିଲେ, କିନ୍ତୁ ତାଙ୍କ ଆଖିରେ ନିଦ୍ରା ନ ଥିଲା । ସେ ଶୋଇରହି ମାବୁଥିଲେ ରଘୁନାଥ ପଟ୍ଟନାୟକଙ୍କ କଥା । ଅନିତା ପହଞ୍ଚିଲା ମହାପାତ୍ରଙ୍କ ଶୋଇବା ଘରେ । ଲ୍ୟାମ୍ପ ତେଜି ମହାପାତ୍ରେ ଦେଖିଲେ, ଅନିତା ଠିଆ ହୋଇଛି ହାତରେ ଛୁରା ନେଇ । ଚମକି ପଡ଼ିଲେ, ଅନିତାକୁ ଏପରି ବେଶରେ ଦେଖି । କୁଳବଧୂ ଅନିତା ତା’ ବାସର କୋଠରୀରୁ ଏପରି କାଳଭୈରବୀ ରୂପରେ ଏଠି କାହିଁକି ? ମହାପାତ୍ରଙ୍କ ଆଖି ଆଗରେ ନାଚିଉଠିଲା ଅତୀତରେ ଘଟିଥିବା ଘଟଣାର କେତୋଟି ଦୃଶ୍ୟ । ଅନିତାକୁ ସଂହାରିଣୀ ବେଶରେ ଦେଖି ସେ ଡରିଗଲେ । କୃତ୍ରିମ ହସ ହସି ମହାପାତ୍ରେ କହିଲେ–ତୁ ଏତେବେଳଯାଏ ଶୋଇନୁ ମା’ ? ସ୍ଥିର ଭାବେ ଉତ୍ତର ଦେଲା ଅନିତା–ଶୋଇଲି ଆଉ କେତେବେଳେ ? ମୁଁ ଶୋଇବା ପୂର୍ବରୁ ଆସିଲି ଆପଣଙ୍କୁ ଶୁଆଇ ଦେବାକୁ । ଆପଣ ବଡ଼ କ୍ଳାନ୍ତ ନା ? ଭୟାକୁଳ ମନରେ ମହାପାତ୍ରେ ଉତ୍ତର ଦେଲେ, ହଁ ମା’ ମୁଁ କ୍ଳାନ୍ତ । ବୁଢ଼ା ହେଲି ନା– ଆଉ ବେଶୀ କିଛି କରିପାରୁନି । ଟିକିଏ ଆଗଇ ଦୃଢ଼ ଗଳାରେ ଅନିତା କହିଲା–ଆପଣ ବୋଧେ ଭଲଭାବରେ ଜାଣନ୍ତି, ମୁଁ ରଘୁନାଥ ପଟ୍ଟନାୟକଙ୍କ ଝିଅ–ଆଉ ଆପଣଙ୍କର ପୁତ୍ରବଧୂ ? ଏବେ ବୋଧେ ଖୁବ୍‌ ରାତି ହୋଇଛି, ଏଇ ରାତିଟିରେ ମୁଁ ଆପଣଙ୍କ ନିକଟକୁ ଆସିଛି ମୋର ପ୍ରତିଶୋଧ ନେବାକୁ ! ଆପଣ ବିନା ଦୋଷରେ ମୋ ବାପାଙ୍କୁ ରୋଗ ଶଯ୍ୟାରେ ଅତି ନିର୍ମମ ଭାବେ ହତ୍ୟା କଲେ । ସେ ଦୃଶ୍ୟ ଏବେ ମଧ୍ୟ ମୋ ମାନସ ପଟରେ ନାଚି ଉଠୁଛି । ମୁଁ ସେଇ ତ୍ରୁଟିର ମୀମାଂସା କରିବାକୁ ଚାହେଁ– !

 

ମୀମାଂସା..... !!

 

ଅନିତା ଆଗେଇ ଆସିଲା ମହାପାତ୍ରଙ୍କ ଅତି ନିକଟକୁ । ହାତରେ ଛୁରିଟା ଥରି ଉଠିଲା-

 

ସେଇ ଛୁରିଟାକୁ ଚାହିଁ ବୃଦ୍ଧ ବିନୋଦ ମହାପାତ୍ରେ କମ୍ପି ଉଠିଲେ ଏକ ଅଜଣା ଭୟରେ । ସେ କିଛି ଚିନ୍ତା କରପାରୁନଥିଲେ । ସତେ କ’ଣ ମୃତ ରଘୁନାଥର ଝିଅ–ତାଙ୍କର ପୁତ୍ରବଧୂ ଅନିତା ତାଙ୍କୁ ହତ୍ୟା କରିବାକୁ ବାସର ଶେଯରୁ ଉଠି ଆସିଛି ? ସତେ କ’ଣ ସେ ତାଙ୍କୁ ହତ୍ୟା କରିବ ? ତା’ ବାପର ହତ୍ୟାକାରୀ ବୋଲି କ’ଣ ଶ୍ୱଶୁରକୁ ମଧ୍ୟ..... ??

 

ଅନିତା ସମୟ ନଷ୍ଟ କରିବାକୁ ମୋଟେ ଚାହୁଁନଥିଲା । ସେ ଖୁବ୍ ଶୀଘ୍ର ଆଗେଇ ଆସି, ମହାପାତ୍ରଙ୍କ ବକ୍ଷରେ ଛୁରାଟାକୁ ଭୁଷି ଦେଲା । ମହାପାତ୍ରେ ଟିକିଏ ସତର୍କ ସହକାରେ ଗୋଟାଏ କଡ଼କୁ ଘୁଞ୍ଚିଗଲେ । ଛୁରାଟା ତାଙ୍କ ଛାତିରେ ନ ଭୁଷି ତାଙ୍କୁ ବାମ ବାହୁରେ ବିଦ୍ଧ ହେଲା । ସେ ଚିତ୍‌କାର କରି ପଲଙ୍କ ତଳକୁ ଗଡ଼ି ପଡ଼ିଲେ । ଅନିତା ଏଇ ସୁଯୋଗରେ ଛୁରାଟିକୁ ତଳୁ ଉଠାଇନେଇ ମହାପାତ୍ରଙ୍କୁ ପୁଣି ଥରେ ଆଘାତ କଲା । ଏଥର ଛୁରାଟା ମହାପାତ୍ରଙ୍କ ବକ୍ଷ ଭେଦକଲା । ମହାପାତ୍ରେ ବିକଳ ଚିତ୍କାର କରି ସଂଜ୍ଞା ହରାଇ ଚଟାଣରେ ଗଡ଼ିବାକୁ ଲାଗିଲେ । ଅନିତା ଖୁବ୍ ଦ୍ରୁତ ଗତିରେ ଘରୁ ବାହାରି ଦୌଡ଼ିବାକୁ ଲାଗିଲା । କିନ୍ତୁ କୁଆଡ଼େ ସେ ଯିବ ? ରାତି ବୋଧେ ପାହି ଆସୁଛି । ଅନିତା କାଳବିଳମ୍ବ ନ କରି ଲକ୍ଷ୍ୟହୀନ ଭାବର ମେନ୍‍ ରୋଡ଼ ଉପରକୁ ଆସି ଦୌଡ଼ିବାକୁ ଲାଗିଲା । ନବ ବିବାହିତା କୁଳବଧୂ ଅନିତା ଆଜି ଛୁଟି ଚାଲିଛି କକ୍ଷଚ୍ୟୁତ ତାରକା ଭଳି । ଗତି ତା’ର କେଉଁଆଡ଼େ ସେ କିଛି ଠିକ୍‌ କରିପାରୁନି । ସେ ଚାଲିଛି ଅଜଣା ଭୟରେ.....କେସବାସ ଅସମ୍ଭାଳ ତା’ର । ଲକ୍ଷ୍ୟ ତା’ର ଅଲକ୍ଷ୍ୟ । ଗତି ତା’ର ସୀମାହୀନ । ମନ ତା’ର ହଜି ଯାଇଛି....ମଜି ଯାଇଛି । ଦେହ ତା’ର ସର୍ବନାଶ ପଥରେ । ଏଡ଼େ ବିରାଟ ବିଶ୍ୱର ତା’ ନିଜର ବୋଲି କିଏ ଅଛି ? ସୁନନ୍ଦ ବୋଧେ ମଧୁରାତ୍ର ଯାପନ କରୁଥିବ ନବବଧୂ ସୁନନ୍ଦା ସହିତ । ମିନାକ୍ଷୀ ବୋଧେ ତୃପ୍ତିରେ ଖୁବ୍‌ ନିଶ୍ଚିନ୍ତରେ ଶୋଇଯାଇଥିବ । ରମେଶବାବୁ ବୋଧହୁଏ ଆଶ୍ରମରେ ବୁଲି ରୋଗୀମାନଙ୍କ ଯତ୍ନ ନେଉଥିବେ । ମାଳ ! ମାଳ ମନଦୁଃଖରେ ଅଶୋକଙ୍କୁ ଅଭିଶାପ ଦେଇଥିବ । ବାପା ! ବାବା ଓ ବୋଉ ଆକାଶରେ ଥାଇ ତାଙ୍କ କନ୍ୟାର ଅମଙ୍ଗଳ ଆଶଙ୍କାରେ ଅଶ୍ରୁଧାରା ଛୁଟାଇ ବାହୁନି ଉଠୁଥବେ । ଆଉ ସ୍ୱାମୀ–ଅଶୋକ ସେ ଖୁବ୍‌ ଆରାମରେ ଶୋଇ ମଧୁର ସ୍ୱପ୍ନ ଦେଖୁଥିବେ । ଅନିତା ଆଖିରେ ଅଦିନ ଶ୍ରାବଣ । ତା’ ଦୁର୍ବଳ ମନରେ କେବଳ ଗୋଟାଏ ପ୍ରଶ୍ନ, ମୁଁ କୁଆଡ଼େ ଯିବି ? କେଉଁଠି ଆଶ୍ରୟ ନେବି ? ମୁଁ ଯେ ନରହତ୍ୟା ଅଭିଯୋଗରେ ଅଭିଯୁକ୍ତା । ତେବେ ? ତେବେ କ’ଣ ଆତ୍ମହତ୍ୟା ?? ହଁ, ଆତ୍ମହତ୍ୟା ହିଁ ଶେଷ କଥା । ଆଉ ମାତ୍ର ଗୋଟାଏ ମାଇଲ ଦୂରରେ ପ୍ରବାହିତ କାଠଯୋଡ଼ି ନଦୀ । ସେ ଯିବ, ସେଇ ନଦୀ ଗର୍ଭରେ ବିସର୍ଜିବ ତା’ ହିନିମାନୀ ଜୀବନ ? କୌଣସି ଆଡ଼େ ମନ ନ ଦେଇ ପାଗଳୀ ଭଳି ଛୁଟି ଚାଲିଲା ଅନିତା, ଶେଷଥର ପାଇଁ ବାପାଙ୍କ ପ୍ରତିମୂର୍ତ୍ତିଟିର ଚରଣ ତଳେ ଶେଷ ପ୍ରଣାମ ଜଣେଇ ଆସିବ ସେ– ହଁ ଶେଷଥର ।

 

ସୁନନ୍ଦା ସହ ମଧୁରାତ୍ରି ଯାପନ କରୁଥିଲେ ସୁନନ୍ଦ । ଆଶ୍ରମରେ କରୁଣ କ୍ରନ୍ଦନ କରୁଛି କିଏ ଜଣେ ଆସନ୍ନ ପ୍ରସବା ନାରୀ । ସୁନନ୍ଦା ସୁନନ୍ଦକୁ ହଲେଇଦେଇ କହିଲା– ଶୁଣୁଚ, ଆସ ମେଡ଼ିକାଲଆଡ଼େ ବୁଲି ଆସିବା ? ବୋଧେ କୌଣସି କେସ୍‍ ଆସିଛି । ସୁନନ୍ଦ କିନ୍ତୁ ନିଘୋଡ଼ ନିଦରେ ଶୋଇଯାଇଥିଲା । ସୁନନ୍ଦା ଡାକି ଡାକି ଥକିଲାଣି–ତଥାପି ସେ ଶୁଣୁନି । ଆରେ ଏମିତିଆ ଅଳସୁଆ ମଣିଷ ତ ମୁଁ କାହିଁ ଦେଖିନି, ବାଧ୍ୟହୋଇ ଏକା ଉଠିଲା ସୁନନ୍ଦା । ସେବାଠାରୁ ବଡ଼ କାମ ଆଉ କ’ଣ ଅଛି । ପରର ଉପକାରରେ ଯେତେ ଆନନ୍ଦ ମିଳେ, ସ୍ୱାମୀ କୋଳ ସୁଖଠାରୁ ତାହା ଯଥେଷ୍ଟ ଉଚ୍ଚରେ । ସୁନନ୍ଦ ମଧ୍ୟ ସେଇ କଥା କୁହେ । ସୁନନ୍ଦା ନିଜର ଶାଢ଼ି ବଦଳାଇ ନେଇ ଆପ୍ରନ୍‌ ପିନ୍ଧିନେଲା । ତା’ପରେ ଆଗେଇ ଚାଲିଲା । ଦାତବ୍ୟ ଚିକିତ୍ସାଳୟ ଆଡ଼େ । ସୁନନ୍ଦା ଦାତବ୍ୟ ଚିକିତ୍ସାଳୟର ବାରଣ୍ଡାକୁ ଉଠୁ ଉଠୁ ତା’ ଆଖି ପଡ଼ିଲା ରାସ୍ତା ଉପରେ । ଆରେ କିଏ ଦୌଡ଼ୁଛି ! ରାତି ବୋଧେ ପାହାନ୍ତା ପ୍ରହର....ଏ କିଏ ? ସ୍ତ୍ରୀ ଲୋକଟିଏ, ସୁନନ୍ଦା ଭଲକରି ନିରେଖି ଦେଖିଲା ସେଇ ଦୌଡ଼ୁଥିବା ସ୍ତ୍ରୀ ଲୋକଟିକୁ । ଅନିତା ଆଶ୍ରମ ଗେଟ୍‌ ଦେଇ ଆଶ୍ରମ ଭିତରେ ପ୍ରବେଶ କଲା-। ସୁନନ୍ଦା ଭାବିଲା କୌଣସି ରୋଗିଣୀ ବୋଧେ ଅସମୟରେ ଆଶ୍ରୟ ଓ ଆରୋଗ୍ୟ ଆଶାରେ ଆସୁଛି । ଅନିତା ରଘୁନାଥଙ୍କ ମାର୍ବଲ ପ୍ରତିମୂର୍ତ୍ତି ପାଖରେ ପ୍ରଣାମ କରି ଫେରିଗଲା ବେଳେ, ସୁନନ୍ଦା ଦେଖିଲା ଅନିତାକୁ–କିଏ, ଅନିତା ଭାଉଜ ! ଭାଉଜ, ତୁମେ ଏକା ! ଏତେ ରାତିରେ.....ଏଠି କାହିଁକି ?

 

ଚମକି ପଡ଼ିଲା ଅନିତା । ପବନ ବେଗରେ ସେ ସ୍ଥାନ ତ୍ୟାଗ କଲା । ସୁନନ୍ଦାର ଆଜି ଚଉଠି । ସେ ଆଶ୍ରମରେ କାହିଁକି, ଏମିତି କେତେ କ’ଣ ଅଡ଼ୁଆ ତଡ଼ୁଆ ପ୍ରଶ୍ନ ଉଙ୍କି ମାଇଲା ଅନିତାର ମାନସ ପଟରେ । ସେ କୌଣସି ବିଷୟ ଚିନ୍ତା ନ କରି ଦ୍ରୁତଗତିରେ ଦୌଡ଼ିବାକୁ ଲାଗିଲା-

 

ଆଶ୍ଚର୍ଯ୍ୟ ହେଲା ସୁନନ୍ଦା, ଅନିତା ଭାଉଜ ଏଠି, ପୁଣି ଏତେ ରାତିରେ, ଡାକିଲେ ଉତ୍ତର ନ ଦେଇ ପଳାୟନ ! କ’ଣ ଏସବୁ ? ତେବେ କ’ଣ..... ? କାଳବିଳମ୍ବ ନକରି ସୁନନ୍ଦା ଦୌଡ଼ିବାକୁ ଲାଗିଲା ଘରକୁ । ଘରେ ନୀରବତା ଭରି ରହିଛି । ପ୍ରଧାନ ଦରଜା ଖୋଲା । କାର୍ ମଧ୍ୟ ଗ୍ୟାରେଜରେ ଥୁଆ ହୋଇଛି, ଘର ଭିତରକୁ ଆସି ଓପର ମହଲା ଉପରକୁ ଉଠିଗଲା ସେ । ଭାଇଙ୍କ ଶୋଇବା ଘର ଖୋଲା, ଭାଇ ନିଦରେ ଶୋଇଯାଇଛନ୍ତି । ତେବେ, ଭାଉଜ–ତା’ ଅନିତା ଅପା..... । ଚିତ୍କାର କରି ଉଠିଲା ସୁନନ୍ଦା । ଭାଇ.....

 

ଏଁ..... ! କିଏ ??

 

ଭାଉଜ କାହାନ୍ତି ?

 

କିଏ, ସୁନନ୍ଦା ! ତୁ.... ?

 

ମୁଁ ପଚାରୁଛି, ଅନିତା ଭାଉଜ କାହାନ୍ତି ?

 

ଅନିତା । ସେ କ’ଣ ନାହିଁ ?

 

ନା ।

 

ଅନିତା ନାହିଁ ? ଅନିତା ନାହିଁ । କୁଆଡ଼େ ଗଲା ସେ ? ଅଶୋକ ବିଚଳିତ ହେଲା । ତକିଆ ପାଖରେ ଥିବା ଚିଠିଟି ଉପରେ ତା’ ଆଖି ପଡ଼ିଲା । ତର ତର ହୋଇ ଖୋଲି ପଢ଼ିଲା.....ସତେ ଯେପରି ଅନିତା ବହୁ ଦୂରରେ ଥାଇ କହୁଛି....ମନର ଦେବତା !

 

ଆଜି ମୁଁ ଆପଣଙ୍କୁ ଦାରୁଣ ଦୁଃଖରେ ବୁଡ଼ାଇ ଦେଇ ବହୁତ ଦୂରକୁ ଚାଲି ଯାଉଛି । କାରଣ ମୁଁ ଥିଲେ ଆପଣ ମାଳକୁ ବିବାହ କରିପାରିବେନି । ଅନ୍ୟଟି ହେଲା–ମୋ ପିତୃ-ହତ୍ୟାକାରୀକୁ ମୁଁ ଉଚିତ ଦଣ୍ଡ ଦେବି ବୋଲି ପ୍ରତିଜ୍ଞା କରିଥିଲି । ସେ ସୁଯୋଗ ମଧ୍ୟ ପାଇଲି । ମୋ ଆଖି ଆଗରେ ଆପଣଙ୍କ ବାପା ଯେମିତି ମୋ ବାପାଙ୍କୁ ଅତି ନିର୍ମମ ଭାବେ ଶେଷ କରି ଦେଇଥିଲେ– ମୁଁ ମଧ୍ୟ ଆପଣଙ୍କ ଆଖି ଆଗରେ ଠିକ୍‌ ସେହି ଭାବେ....

 

ସ୍ୱାମୀ ! ମୋତେ କ୍ଷମା କରିବେ । କ’ଣ କରିବି ! ମୋ ଭାଗ୍ୟ ସେଇମିତି । ଜୀବନଟା ମୋର ହା-ହୁତାଶରେ କଟିଲା ସିନା ! କ୍ଷମା ଦେଇ ମୋତେ ଭୁଲିଯିବେ । ମୁଁ ଶେଷଥର ପାଇଁ ପ୍ରଣାମ ଜଣାଉଛି । ଶେଷରେ ଅନୁରୋଧ–ଆଶାକରେ, ମୋର ଏହି ଶେଷ ଅନୁରୋଧଟି ଆପଣ ନିଶ୍ଚୟ ରଖିବେ–ମାଳକୁ ବିବାହ କରି ତାକୁ କୁଳଲକ୍ଷ୍ମୀ ଗୌରବ ଦେଲେ ମୁଁ ଆରପୁରରେ ଥାଇ ନିଶ୍ଚୟ ଖୁସି ହେବି । ଶେଷ ପ୍ରଣାମ । ଇତି ।

 

ଅଭାଗିନୀ

‘ଅନିତା’

 

ଚିଠିଟି ପଢ଼ିସାରି ଅଶୋକ ଭୟରେ ଥରି ଉଠିଲା । ଏସବୁ ଯାହା ଘଟିଗଲା ସେ କିଛି ବୁଝିପାରୁନଥିଲା । ଅଶୋକ ପାଗଳଭଳି ଦୌଡ଼ିଗଲା ବାପାଙ୍କ ଶୋଇବା ଘରକୁ । ସେତେବେଳେ ବିନୋଦ ମହାପାତ୍ରେ ଆରପୁରକୁ ଚାଲିଯାଇଥିଲା । ପିଣ୍ଡରେ ପ୍ରାଣ ନଥିଲା । ମାଟି ଦେହଟା ମାଟିରେ ପଡ଼ି ରହିଥିଲା କେବଳ । କାନ୍ଦି କାନ୍ଦି ସୁନନ୍ଦା କହିଲା, ଭାଇ ! ଭାଉଜ ରାସ୍ତାରେ ଦୌଡ଼ୁଥିବାର ମୁଁ ଦେଖିଛି.....ତୁମେ ଶୀଘ୍ର ଚାଲ, ସେ ବୋଧେ....

 

ଅଶୋକ କାଳବିଳମ୍ବ ନକରି ଗ୍ୟାରେଜରୁ କାର୍‌ ବାହାର କରି ଅନିତାକୁ ଖୋଜିବା ଉଦ୍ଦେଶ୍ୟରେ ବାହାରି ପଡ଼ିଲା । ସାଥିରେ ସୁନନ୍ଦା । ସୁନନ୍ଦା କାନ୍ଦୁଛି । ବାପା ତା’ର ଚାଲିଗଲେ, ଆଉ ଭାଉଜ.....

 

ମେନ୍‌ ରୋଡ଼ର ମେରୁଦଣ୍ଡ ଉପରେ ଭୀମନାଦ କରି ଛୁଟି ଚାଲିଛି ଆମ୍ବାସଡ଼ାର କାର୍‌ଟା-। ଅଶୋକର ଆଖି ଦୁଇଟି ଆହୁରି ଚଞ୍ଚଳ ହୋଇ ଉଠିଛି.....ସେ କେବଳ ଖୋଜି ବୁଲୁଛି ଅନିତାର ହଜିଲା ରୂପକୁ । କାହିଁ, ସେ କେଉଁଠି ? କେତେ ଦୂରେ ଆଉ ? ଅଶୋକ ଆଖିରେ ଅଦିନ ବନ୍ୟା-

 

କୁହୁଡ଼ି-ଘେରା ପୃଥିବୀ । ରାତିର ଇତି ପ୍ରହର । ଅନିତା ଦୌଡ଼ୁଛି । ଲକ୍ଷ୍ୟ ହରାଇ ଦୌଡ଼ୁଛି.... । କାର୍‌ଟା ଛୁଟି ଚାଲିଛି ଦ୍ରୁତ ଗତିରେ । ଅଶୋକ ଆହୁରି ବେଗ ବଢ଼ାଇ ଦେଇଛି । ସେ ଭାବୁଛି ଅନିତା କ’ଣ କେଉଁଠି ଆତ୍ମଗୋପନ କରିଛି । ସୁନନ୍ଦାର ଚଞ୍ଚଳ ଚକ୍ଷୁ ଖୋଜି ବୁଲୁଛି ଅନିତାକୁ ।

 

ଅନିତା ଚାଲିଛି । ସେ ଚାଲିଛି ପାଗଳୀ ଭଳି । ରାତି ବୋଧେ ପାହିଯିବ । କ’ଣ ସେ କରିବ, କୁଆଡ଼େ ଯିବ ? ପଛରେ କାର୍‌ଟାଏ ଆସୁଛି । ଅନିତା ଦେଖିଲା–କାର୍‍ଟା ତା’ ସ୍ୱାମୀଙ୍କର । ଏଇ କାର୍‌ଟିକୁ ସଦାନନ୍ଦ ମାମୁ ଅଶୋକଙ୍କୁ ଉପହାର ଦେଇଥିଲେ । ତେବେ ଅଶୋକ ଆସୁଛନ୍ତି ନା କ’ଣ ? ପଛକୁ ଫେରି ଚାହିଁ ଅନିତା ଭୟରେ ଦୌଡ଼ିବାକୁ ଲାଗିଲା । ହେଲେ ସେ ଯିବ କୁଆଡ଼େ ? ଯାହାର ମନ ମରିଯାଇଛି ସେ ଚିନ୍ତା କରିବ କିମିତି ? ସ୍ୱାମୀ ତା’ର ଆସୁଛନ୍ତି, ହୁଏତ ତାକୁ ଉଦ୍ଧାର କରି ଘରକୁ ନେବାକୁ । କିନ୍ତୁ କ’ଣ ଦରକାର ଏ ଅଲୋଡ଼ା ଜୀବନରେ । ତା’ଛଡ଼ା ମାଳ ? ମହାପାତ୍ରଙ୍କ ହତ୍ୟାକାରୀ ସେ । ଆଇନ୍‌ ବଡ଼ କଠୋର । ସେଇ ଆଇନ ବଳରେ ତାକୁ ହୁଏତ ଫାସୀ ହୋଇପାରେ । ନା, ସେ ବଞ୍ଚିବା କିଛି ଦରକାର ନାହିଁ । ତା’ ପ୍ରତିଜ୍ଞା ସେ ପୂରଣ କରିଛି । ଏଥର ସେ ହସି ହସି ମରିପାରିବ । ଏ ଜୀବନରେ ସ୍ୱାମୀଙ୍କ କୋଳ ସେ ପାଇପାରିଲା ନାହିଁ । ଆରପୁରରେ ବାପ ମା’ଙ୍କ କୋଳ ପାଇବ ।

 

କାର୍‌ ନେଇ ଅଶୋକ ଅନିତାର ପ୍ରାୟ ନିକଟକୁ ଲାଗିଆସି, ଡାକିଉଠିଲେ–ଅନିତା..... ଅନିତା.... ଅନିତା ! ଅ....ନି.....ତା –ସୁନନ୍ଦା ଚିତ୍କାର କରି ଡାକିଲା–ଭାଉଜ....ରୁହ ଭାଉଜ.....ଭାଉଜ.....

 

ଗୋଟିଏ ମୁହୂର୍ତ୍ତ ଅଟକିଗଲା ସେ....କାନରେ ବାଜୁଛି ସ୍ୱାମୀଙ୍କ ଡାକ, ତାକୁ ଖୋଜିବା ପାଇଁ କେତେ ବିକଳରେ ସେ ନ ଧାଇଁଛନ୍ତି ? ଆଉ ସୁନନ୍ଦା....ନା–ନା, ସେ ମୋଟେ ଧରାଦେବନି-। ଆହୁରି ଜୋରରେ ସେ ଦୌଡ଼ିବାକୁ ଲାଗିଲା । ଅଶୋକ ସମସ୍ତ ଗତି ଦେଇ କାର୍‌ଟାକୁ ଛୁଟାଇ ଦେଲେ । ଏଥର ଅନିତା ମାତ୍ର ପାଞ୍ଚହାତ କି ଦଶହାତ ଦୂରରେ.....ଅଶୋକ ପାଟିକରି ଡାକିଉଠିଲା–ଅନିତା....ଅପେକ୍ଷା କର । ଅନିତା.....

 

ଅନିତା ଦେଖିଲା ପଛରେ ସ୍ୱାମୀ, ବିଳମ୍ବ କଲେ ହୁଏତ....ସେ କାଳବିଳମ୍ବ ନକରି କାର୍‌ ଆଗକୁ ଡେଇଁପଡ଼ିଲା । କାର୍‌ଟା ଟିକିଏ ଆଗକୁ ଗଡ଼ିଯାଇ ବିକଟ ଆଓ୍ୟାଜ କରି ଠିଆ ହୋଇଗଲା-। ଅଶୋକ ଭୟରେ ଆଖି ବୁଜି ପକାଇଲା.... !! ପର ମୁହୂର୍ତ୍ତରେ କାର୍‌ ଭିତରୁ ଓହ୍ଲାଇପଡ଼ି ଅଶୋକ ଚିତ୍କାର କରି ଉଠିଲା–ଅନିତା....ମୋ ପ୍ରାଣର ଅନୁ....ତୁମେ ଏସବୁ କ’ଣ କଲ-। ମୋ ସୁଖର ସଂସାର ଭାଙ୍ଗି ଚୂନା କରିଦେଇ କୁଆଡ଼େ ଚାଲି ଯାଉଛ..... ! ଅନୁ....ଅନୁ....ଅନୁ....-! ସୁନନ୍ଦା ଭୟରେ ଆଖି ବୁଜି କାନ୍ଦି ଉଠିଲା–ଭାଉଜ, ମୋ ସୁନା ଭାଉଜ, ଶେଷରେ ତୁମେ ନିଜପ୍ରତି ଏମିତି ପ୍ରତିଶୋଧ ନେଲ ?

 

କାର୍‌ ଚକତଳେ ପେଶିହୋଇ ରକ୍ତ ସୁଅରେ ଭାସୁଛି ଅନିତା । ଅଶୋକ ଅନିତାର କ୍ଷତ-ଚ୍ଛିନ୍ନ ଦେହଟିକୁ କୋଳକୁ ଉଠାଇ ଆଣି କାନ୍ଦି ଉଠିଲା ।

 

ତୁମେ ଏସବୁ କ’ଣ କଲ ଅନିତା । ଯନ୍ତ୍ରଣାରେ ଆର୍ତ୍ତ ଚିତ୍କାର କରି ଅନିତା କହିଲା–ଅତି କ୍ଷୀଣ କଣ୍ଠରେ–

 

‘‘ସ୍ୱାମୀ, ଆପଣ କାନ୍ଦୁଛନ୍ତି । ଆଜି ପରା ଚଉଠି ? ଏପରି ଶୁଭ ଦିନରେ କ’ଣ କାନ୍ଦନ୍ତି-?

 

ପିଲାଙ୍କ ଭଳି କାନ୍ଦି ଉଠିଲା ଅଶୋକ । ସୁନନ୍ଦାକୁ ଚାହିଁ ଅନିତା କହିଲା–ସୁନନ୍ଦା, ତୁ ସୁନନ୍ଦକୁ ଭଲ ବାଟରେ ନେବୁ । ପ୍ରାଣ ଥିବା ଯାଏ ଦେଶର ସେବା କରିବୁ । ମାଳକୁ ତୋ ଭାଇଙ୍କ ସହିତ ବିବାହ ଦେବୁ । ଅନିତା ଅଶୋକର ଆଖିରୁ ଲୁହ ପୋଛିଦେଲା, ତା’ପରେ ରହି ରହି କହିଲା–ଆଜି ଏ ‘‘ଅଭାଗିନୀର ଚଉଠି’’ ରାତି । ଏଇ ରାତିର ଶେଷ ପ୍ରହର । ମୋର ମଧ୍ୟ ଶେଷ ଅନୁରୋଧ ଆପଣ ମାଳକୁ ବିବାହ କରିବେ । ଦୁନିଆରେ ଆଦର୍ଶମୟ ହେବା ପାଇଁ ଆଖପଣଙ୍କଠାରୁ ଉପଯୁକ୍ତ ଶିକ୍ଷା ପାଉ । ମୁଁ ଚାଲିଲି । କାନ୍ଦିବ ନାହିଁ । ମୁଁ ମରିଯାଉଛି ବୋଲି ଦୂରକୁ ଯାଉନି–ମୁଁ ତୁମ ମନ ପ୍ରାଣ ଓ ହୃଦୟରେ ଅଛି । ଅନିତା ସର୍ବଦା ତୁମର । ସେ ତୁମ ଜନମ ଜନମର ସାଥୀ । ଶେଷରେ ମୋତେ କଲ୍ୟାଣ କର, ମୁଁ ଯେପରି ତୁମ ଜୀବନରେ ପୁଣି ଥରେ ଆସେ । ଅନିତା ଅଶୋକର ପାଦଧୂଳି ନେଇ ସୀମନ୍ତରେ ବୋଳିଲା । ତା’ପରେ ଆଖି ଦୁଇଟି ବୁଜିଦେଲା ସବୁଦିନ ପାଇଁ । ତା’ ଜୀବନ-ପ୍ରଦୀପ ନିର୍ବାପିତ ହେଲା–ପଡ଼ିରହିଲା ମାଟିର ପିଣ୍ଡଟା–

 

ସୁନନ୍ଦା ବାହୁନି ଉଠିଲା । ଅଶୋକ ଅନିତାର ରକ୍ତାକ୍ତ ଜଡ଼ଦେହଟାକୁ ବୁକୁରେ ଚାପିଧରି ପିଲାଙ୍କ ଭଳି କାନ୍ଦିଉଠିଲା । ସେତେବେଳକୁ କାଉଟିଏ ପ୍ରଥମ ଥରକ ପାଇଁ କାଆ–କାଆ’ ରାବରେ ସୂଚାଇ ଦେଉଥିଲା–ସେ ନାହିଁ, ସେ ନାହିଁ–ଆଶ୍ରମର ଅରକ୍ଷ ପିଲାଗୁଡ଼ିକ ପ୍ରାର୍ଥନାରେ ରତ ଥିଲେ–ଆଦର୍ଶ ସେବିକା ମାଳର କଣ୍ଠରେ ପ୍ରାର୍ଥନାର ପଂକ୍ତି–

 

ପୂଜାର ଦେବତା ମୋତେ ଦିଅ ପଦେ ଆଶ୍ରୟ

ମାରନା ନରକେ ଘାଣ୍ଟି ହୁଅନାହିଁ ନିର୍ଦ୍ଦୟ

ପାଇବି ଅନ୍ତର ଅଙ୍କେ ମନେଅଛି ବାସନା

ଗାଇବି ତୁମ ସୁଗୁଣ ସଙ୍ଗୀତର ମୂର୍ଚ୍ଛନା–

 

ଅଶୋକ ଅନିତାର ମରଦେହଟିକୁ କାନ୍ଧରେ ବହନ କରି ‘‘ରଘୁନାଥ ସେବା ସଦନ’’ ଆଡ଼କୁ ପାଗଳଭଳି ଅଗ୍ରସର ହେଲା । ଅଭାଗିନୀ ଅନିତା ଆଜି ସ୍ୱାମୀଙ୍କ ବାହୁବନ୍ଧନ ମଧ୍ୟରେ–ଆଜି ପରା ଅଭାଗିନୀର ଚଉଠି ?

Image